ଘରୋଇ କ୍ଲିନିକର ରକ୍ତ ମଳ ମୂତ୍ର ପରୀକ୍ଷା ହେଉଛି ଡାକ୍ତରଖାନାରେ, ଭାଇରାଲ ହେଲା ଭିଡିଓ

କଣ୍ଟାମାଳ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦିନକୁ ଦିନ ଦୁର୍ନୀତି ଓ ଅନିୟମିତତା ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ହେଲେ ବିଭାଗୀୟ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କି ଜିଲ୍ଲାପାଳ ଏଥିପ୍ରତି ଧ୍ୟାନ ଦେଉନଥିବାରୁ ଦିନକୁ ଦିନ ଏହା ବୃଦ୍ଧି ପାଇ ଚରମ ସୀମାରେ ପହଂଚିଲାଣି। ଗୁରୁବାର ଏକ ଘରୋଇ କ୍ଲିନିକର ରକ୍ତ ନମୁନା ଆଣି ମନମୁଣ୍ଡା ଡାକ୍ତରଖାନାରେ କାର୍ଯ୍ୟରତ ଲ୍ୟାବ୍‌ ଟେକ୍ନିସିଆନ ସୁବ୍ରତ ନାଏକ ଡାକ୍ତରଖାନା ପରିସରରେ ଥିବା ପରୀକ୍ଷାଗାରରେ ପରୀକ୍ଷା କରୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଆହୁରି ମଧ୍ୟ ଡାକ୍ତରଖାନାରେ ପରୀକ୍ଷା କରିବାକୁ ଥିବା ରକ୍ତ ମଳ ମୂତ୍ର ପରୀକ୍ଷା ପାଇଁ ଅନେକ ସମୟ ଲାଗିବ ବୋଲି ରୋଗୀଙ୍କୁ କହୁଥିବାରୁ ଶୀଘ୍ର କରିବା ପାଇଁ ବାହାର କ୍ଲିନିକରେ ପରୀକ୍ଷା କରୁଥିବା ଦେଖିବାକୁ ମିଳୁଛି।

ଜଣେ ବ୍ୟକ୍ତି ଏହାର ପ୍ରତିବାଦ କରିବାରୁ ଏଠୁ ଯିବ ନା’ ସାରଙ୍କୁ ଫୋନ କରିବି ବୋଲି ଧମକ ଦେଇଥିବା ସ୍ପଷ୍ଟ ଜଣାପଡୁଛି। ତେବେ ସେହି ସାର୍‌ କିଏ ଏବଂ ତାଙ୍କ ପ୍ରରୋଚନାରେ ଏଠି ଏସବୁ ବେଧଡକରେ ଚାଲିଥିବା ସ୍ପଷ୍ଟ ବାରି ହେଉଛି। ଏ ସମ୍ପର୍କରେ ବୌଦ୍ଧ ସିଡିଏମ୍‌ଓ ଡା. ତ୍ରିଲୋଚନ ପ୍ରଧାନଙ୍କୁ ପଚାରିବାରୁ ଭାଇରାଲ ହୋଇଥିବା ଭିଡିଓ କ୍ଲିପ୍‌ ମୋ ପାଖକୁ ପହଂଚିଛି। ଏହାର ବିଧିବଦ୍ଧ ତଦନ୍ତ କରି ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର