ଭୁବନେଶ୍ୱର: ନିଖିଳ ଉତ୍କଳ ବେସରକାରୀ ଶିକ୍ଷକ ସଂଘର ଏକ ଜରୁରୀ କାର୍ଯ୍ୟକାରିଣୀ ବୈଠକ ରବିବାର ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ଅକ୍ଷୟ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଯୁଗ୍ମ ସମ୍ପାଦକ ଉମାକାନ୍ତ ପାତ୍ର କଲେଜ ଶିକ୍ଷକ ଓ କର୍ମଚାରୀଙ୍କ ସମସ୍ୟା ବିଷୟରେ ଉପସ୍ଥାପନ କରିଥିଲେ। ବ୍ଲକଗ୍ରାଣ୍ଟ ଶିକ୍ଷକ ଓ କର୍ମଚାରୀଙ୍କ ଦାବି ପ୍ରତି ଦୃଢ଼ ସମର୍ଥନ କରାଯିବା ସହ ପୁଲିସ ଅଧିକାରୀଙ୍କୁ ଅଶାଳୀନ ବ୍ୟବହାରକୁ ନିନ୍ଦା କରାଯାଇଛି। ବ୍ଲକଗ୍ରାଣ୍ଟ ପ୍ରଥାକୁ ଉଚ୍ଛେଦ କରି ଚାକିରି ସର୍ତାବଳୀ ପୁନଃ ପ୍ରଦାନ, ୟୁଜିସି ବେତନ ସମ୍ପ୍ରସାରଣ, ରାଜ୍ୟ ଦରମା ହାର ପଦୋନ୍ନତିରେ ଥିବା ପାତର ଅନ୍ତର ନୀତିର ବିଲୋପ, ଅବସର ବୟସସୀମା ୬୫ ବର୍ଷକୁ ବୃଦ୍ଧି, ସପ୍ତମ ବେତନ କମିସନ ସୁପାରିସ ଲାଗୁରେ ୨୧ ମାସର ବକେୟା ପ୍ରଦାନ, ଅଣଶିକ୍ଷକ କର୍ମଚାରୀଙ୍କୁ ଅନୁଦାନ, ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ପରି ବିଷୟରେ ବାରମ୍ବାର ଦାବି ଉପସ୍ଥାପନ କରାଯାଉଥିଲେ ମଧ୍ୟ କିଛି ବି ସୁଫଳ ମିଳିନି। ତେଣୁ ଆଗାମୀ ଦିନରେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ଏନେଇ ଏପ୍ରିଲ୍ ୧୨ରେ ଭୁବନେଶ୍ୱରରେ ଶୋଭାଯାତ୍ରା କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। ଏହି ବୈଠକରେ ସଂଘର ସଭାପତି ଅକ୍ଷୟ ମହାପାତ୍ର, ସାଧାରଣ ସମ୍ପାଦକ ଦୁଷ୍ମନ୍ତ ନାୟକ, ଦିଲ୍ଲୀପ ମିଶ୍ର, ପ୍ରଣୟାନନ୍ଦ ତ୍ରିପାଠୀ, ସୁନିଲ ରଥ, ତ୍ର୍ରୈଲୋକ୍ୟ ସାମଲ, ବୃନ୍ଦାବନ ମହାପାତ୍ର, ବାସନ୍ତୀ ଦାସ, ପ୍ରମୋଦ ସ୍ୱାଇଁ, ରଣଜିତ୍ ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ।