ବ୍ରହ୍ମପୁର : ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୋଲି ବାଇପାସ୍ ଜାତୀୟ ରାଜପଥ କଡ଼ରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରୀ ଦୀପ୍ତିଲତା ଦାସଙ୍କ ମୃତ୍ୟୁ ଘଟଣା ଏବେ ବି ରହସ୍ୟ ଘେରରେ ରହିଛି। ଏହି ଘଟଣାକୁ ନେଇ ମୃତ ଛାତ୍ରୀ ଦୀପ୍ତିଲତାଙ୍କ ମା’ଙ୍କ ଅଭିଯୋଗ କ୍ରମେ ପୁଲିସ ହତ୍ୟା ମାମଲା ରୁଜୁ କରିଛି। ହେଲେ ହତ୍ୟା ନେଇ କୌଣସି ପ୍ରମାଣ ପାଇ ନାହିଁ କି ପାଇବାକୁ ସେଭଳି ଉଦ୍ୟମ କରିନାହିଁ। ଗୋଟିଏ ପଟେ ସିନିୟର୍ଙ୍କ ରାଗିଂ, ଇନ୍ଷ୍ଟାଗ୍ରାମ୍ରେ ଧମକପୂର୍ଣ୍ଣ ମେସେଜ୍ ଏବଂ ଅନ୍ୟପଟେ ବକେୟା ଫି’ ପାଇଁ କଲେଜ କର୍ତ୍ତୃପକ୍ଷ ଦୀପ୍ତିଲତାଙ୍କୁ ପରୀକ୍ଷାରେ ନବସାଇବା ଝିଅର ମୃତ୍ୟୁ ପାଇଁ ଦାୟୀ ବୋଲି ମା’ଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି। କିନ୍ତୁ ଏ ଉଭୟ ପ୍ରସଙ୍ଗରୁ ତଦନ୍ତକାରୀ ପୁଲିସ ଦୂରରେ। ଦୀପ୍ତିଲତା ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ଆସିଥିବା ପୁଲିସ କହିଛି। ହେଲେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇପାରି ନାହିଁ। ସେପଟେ ନ୍ୟାୟ ପାଇବା ପାଇଁ ମୃତ ଛାତ୍ରୀ ଦୀପ୍ତିଲତାଙ୍କ ପରିବାରବର୍ଗ ଅପେକ୍ଷା କରି ରହିଛନ୍ତି।
ଜଣେ ମେଧାବୀ ଝିଅ ହଠାତ୍ କାହିଁକି ଆତ୍ମହତ୍ୟା କଲେ ତାକୁ ନେଇ ବିଭିନ୍ନ ମହଲରେ ଉଠିଥିବା ପ୍ରଶ୍ନର ଉତ୍ତର ମିଳୁନାହିଁ। ସେପଟେ ରାଗିଂ ନେଇ କୌଣସି ପ୍ରମାଣ ହସ୍ତଗତ ହୋଇ ନଥିବା ପୁଲିସ କହିଛି। ଫଳରେ ପୁଲିସର ତଦନ୍ତ ଏକ ପ୍ରକାର ଅଧାବାଟରେ ଅଟକି ଯାଇଥିବା ଭଳି ମନେ ହେଉଛି।
ରାଗିଂ, ଫି’ପାଇଁ ପରୀକ୍ଷାରେ ନ ବସାଇବା ପ୍ରସଙ୍ଗ ଲୁଚିଗଲା
ଅଧାବାଟରେ ତଦନ୍ତ, ନ୍ୟାୟ ଅପେକ୍ଷାରେ ପରିବାର
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲୋଚାପଡ଼ା ଗ୍ରାମର ଲକ୍ଷ୍ମୀଚରଣ ଦାସଙ୍କ ଝିଅ ଦୀପ୍ତିଲତା ଆଙ୍କୋଲି ବାଇପାସ୍ରେ ଥିବା ଏକ ଘରୋଇ ଆବାସିକ ଶିକ୍ଷାନୁଷ୍ଠାନରେ ଯୁକ୍ତଦୁଇ ବିଜ୍ଞାନରେ ପାଠ ପଢ଼ୁଥିଲେ। ଗତ ନଭେମ୍ବର ୧୩ତାରିଖରେ ତାଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏମ୍କେସିଜି ବଡ଼ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମା’ ଜ୍ୟୋତ୍ସ୍ନାରାଣୀ ଦାସ ଝିଅର ମୃତ୍ୟୁ ଘଟଣାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଘଟଣା ଦିନ ଅପରାହ୍ନରେ ଝିଅ ସହ ସେ କଥା ହୋଇଥିଲେ। ହେଲେ ସଂଧ୍ୟାରେ ଝିଅର ମୃତ୍ୟୁ ଖବର ଆସିଲା। ଯାହାକୁ ନେଇ ସେ ସନ୍ଦେହ ପ୍ରକାଶ କରିଥିଲେ। କଲେଜ କର୍ତ୍ତୃପକ୍ଷ ଘଟଣା ସମ୍ପର୍କରେ କୌଣସି ସୂଚନା ଦେଇ ନଥିଲେ। ଝିଅର ଜଣେ ସାଙ୍ଗ ଫୋନ୍ କରି ପରିବାରବର୍ଗଙ୍କୁ କହିଥିଲେ। ଝିଅ ସହିତ ନିଶ୍ଚିତ ଭାବେ କୌଣସି ଅଘଟନ ଘଟିଥିଲା। ସେହି କାରଣରୁ କଲେଜ କର୍ତ୍ତୃପକ୍ଷ ଖବର ଦେଇ ନଥିବା ପରିବାରବର୍ଗ ଅଭିଯୋଗ ଆଣିଥିଲେ। ପରିବାର ଲୋକଙ୍କ ଅଭିଯୋଗ ହେଲା, ଝିଅକୁ ବାରମ୍ବାର କିଛି ଛାତ୍ର ହଇରାଣ କରୁଥିଲେ। ଧମକପୂର୍ଣ୍ଣ ମେସେଜ୍ ମଧ୍ୟ ପଠାଉଥିଲେ। ଏ ନେଇ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ, ଚାଇଲଡ୍ଲାଇନ୍ର ହସ୍ତକ୍ଷେପ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା। କଲେଜ କର୍ତ୍ତୃପକ୍ଷ ୫ହଜାର ଟଙ୍କା ବକେୟା ଫି’କୁ ନେଇ ଝିଅକୁ ପରୀକ୍ଷା ହଲ୍ରେ ବସାଇ ନଥିଲେ। ଫଳରେ ଝିଅ ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲା ବୋଲି ପରିବାର ବର୍ଗ ଗୁରୁତର ଅଭିଯୋଗ ଆଣିଥିଲେ।
ଦୀପ୍ତିଲତାଙ୍କୁ ହତ୍ୟା କରାଯାଇଥିବା ନେଇ ମା’ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ବୈଦ୍ୟନାଥପୁର ଥାନା ପୁଲିସ କେସ୍ ନମ୍ବର ୩୯୫/୨୨ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଘଟଣାକୁ ଦୁଇମାସ ବିତିବାକୁ ବସିଥିବା ବେଳେ ବର୍ତ୍ତମାନ ସୁଦ୍ଧା ତଦନ୍ତ ପ୍ରକ୍ରିୟାରେ ଉଲ୍ଲେଖନୀୟ ଅଗ୍ରଗତି ଦେଖିବାକୁ ମିଳି ନାହିଁ। ଏ ସମ୍ପର୍କରେ ବୈଦ୍ୟନାଥପୁର ଥାନା ଅଧିକାରୀ ରାମ କୁମାର ମୁର୍ମୁ କହିଛନ୍ତି, ହତ୍ୟା ଅଭିଯୋଗ ଆଧାରରେ ତଦନ୍ତରୁ ସେଭଳି କୌଣସି ପ୍ରମାଣ ମିଳି ନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟରେ ରଶି ଲଗାଇ ଶ୍ବାସରୁଦ୍ଧ ମୃତ୍ୟୁର କାରଣ ବୋଲି ସ୍ପଷ୍ଟ ହୋଇଛି। କିନ୍ତୁ ଆତ୍ମହତ୍ୟା ପଛର କାରଣ ଖୋଜି ବାହାର କରିବା ପାଇଁ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି।