ଦରମାରେ ଅସଙ୍ଗତି ନେଇ ବେସରକାରୀ କଲେଜ ଶିକ୍ଷକ ଓ କର୍ମଚାରୀ ସଂଘର ଅସନ୍ତୋଷ : ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ସଂଘ

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବେସରକାରୀ କଲେଜଗୁଡ଼ିକରେ ସପ୍ତମ ବେତନ କମିସନ୍‌ ଲାଗୁ କରିବା ପାଇଁ ପ୍ରକାଶିତ ନିର୍ଦ୍ଦେଶନାମାରେ ବ୍ୟାପକ ଅସଙ୍ଗତି ଥିବାରୁ ବେସରକାରୀ କଲେଜ ଶିକ୍ଷକ ଓ କର୍ମଚାରୀ ସଂଘ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। ଏହି ପ୍ରସଙ୍ଗରେ ସଂଘ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛି। ଏକ ପ୍ରେସ୍ ବିବୃତିରେ ସଂଘର ସାଧାରଣ ସମ୍ପାଦକ ଚିତ୍ତ ମହାପାତ୍ର କହିଛନ୍ତି ଯେ ୧.୧.୨୦୧୬ରୁ ବର୍ଦ୍ଧିତ ଦରମା ଦେବା ପରିବର୍ତ୍ତେ ୨୦୧୭ ଅକ୍ଟୋବର ମାସରୁ ଏହା ଲାଗୁ କରାଯାଇଥିବାରୁ ଅଧ୍ୟାପକମାନେ ୨୧ ମାସର ବର୍ଦ୍ଧିତ ବକେୟା ଦରମା ପାଇଲେ ନାହିଁ। ରାଜ୍ୟ ସରକାର ସମସ୍ତ କର୍ମଚାରୀଙ୍କୁ ୧.୧.୨୦୧୬ରୁ ବକେୟା ଦରମା ସହ ବର୍ଦ୍ଧିତ ଦରମା ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲା ବେଳେ ବେସରକାରୀ କଲେଜ ପାଇଁ ଭିନ୍ନ ମାପଦଣ୍ଡ ଗ୍ରହଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଷଷ୍ଠ ବେତନ କମିସନ୍‌ ଅନୁଯାୟୀ ଗ୍ରାଚୁଇଟିର ସର୍ବୋଚ୍ଚ ସୀମା ୭.୫ ଲକ୍ଷ ଟଙ୍କା ଥିଲା ବେଳେ ଅର୍ଥ ବିଭାଗ ଆଶ୍ଚର୍ଯ୍ୟଜନକ ଭାବେ ସପ୍ତମ ବେତନ କମିସନ୍‌ରେ ତାହାକୁ ୫ ଲକ୍ଷ ଟଙ୍କାକୁ ହ୍ରାସ କରିଛି। ସପ୍ତମ ବେତନ କମିସନ୍‌ ଅନୁଯାୟୀ ୟୁଜିସିପ୍ରାପ୍ତ ଅଧ୍ୟାପକମାନଙ୍କର ଦରମା ସମୀକରଣ ହୋଇଥିଲା ବେଳେ ସେମାନଙ୍କର ପେନ୍‌ସନ୍ ପ୍ରକ୍ରିୟା ବିଭିନ୍ନ ଆଳରେ ବନ୍ଦ କରାଯାଇଥିବାରୁ ବ୍ୟାପକ ଅସନ୍ତୋଷ ‌େଦଖାଦେଇଛି। ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବହୁବାର ଦାବି ପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ଅନୁରୋଧ କରିଛି।

ସମ୍ବନ୍ଧିତ ଖବର