ଘରୋଇ କୋଭିଡ୍‌ ହସ୍ପିଟାଲ୍‌କୁ ଦିଆଯାଇଛି ୩୪୪ କୋଟି

ରୋଗୀ ପିଛା ଖର୍ଚ୍ଚ ୧୬ ହଜାରରୁ ଅଧିକ

ଭୁବନେଶ୍ବର : ରାଜ୍ୟରେ ୩୩ଟି ଘରୋଇ କୋଭିଡ୍‌ ହସ୍ପିଟାଲ୍‌ କୋଭିଡ୍‌ ଚିକିତ୍ସା ବାବଦରେ ସରକାରଙ୍କୁ ପାଖାପାଖି ୪୮୦ କୋଟି ଟଙ୍କାର ବିଲ୍‌ ଦେଇଛନ୍ତି। ସରକାର ବର୍ତ୍ତମାନ ସୁଦ୍ଧା ୩୪୪ କୋଟି ୫୫ ଲକ୍ଷ ଟଙ୍କା ଦେଇଛନ୍ତି। ପ୍ରତି ‌େରାଗୀ ପିଛା ସରକାର ୧୬ ହଜାର ଟଙ୍କାରୁ ଅଧିକ ଖର୍ଚ୍ଚ କରୁଛନ୍ତି। ବିଧାନସଭାରେ ବିଧାୟକ ଗଣେଶ ରାମ ଖୁଣ୍ଟିଆ ଓ ମହମ୍ମଦ ମୋକିମ୍‌ଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀ ଆହୁରି ଜଣାଇଛନ୍ତି ଯେ ୩୩ ଘରୋଇ ହସ୍ପିଟାଲ୍‌ ବାଦ୍ କୋଭିଡ୍‌ ରୋଗୀଙ୍କ ଚିକିତ୍ସା ପାଇଁ ୩୦ଟି ସରକାରୀ ହସ୍ପିଟାଲ୍‌ ମଧ୍ୟ ଖୋଲାଯାଇଥିଲା। କୋଭିଡ୍‌ ରୋଗୀଙ୍କ ଚିକିତ୍ସା ନିମନ୍ତେ ଦର ଧାର୍ଯ୍ୟ କରାଯାଇଥିଲା। ସରକାରୀ କୋଭିଡ୍‌ ହସ୍ପିଟାଲ୍‌ରେ ରୋଗୀଙ୍କ ଚିକିତ୍ସା ନିମନ୍ତେ କେତେ ଖର୍ଚ୍ଚ ହୋଇଛି, ତାହାର ତଥ୍ୟ ସଂଗ୍ରହ କରାଯାଉଛି। ପଜିଟିଭ୍ ରୋଗୀ ସଂଖ୍ୟା ବଢ଼ାଇ ଅର୍ଥ ହଡ଼ପ କରିବା କିମ୍ବା ଜବରଦସ୍ତ ଟେଷ୍ଟିଂ ପାଇଁ ଲୋକଙ୍କୁ ନିଆଯିବା ପରି କୌଣସି ଅଭିଯୋଗ ସରକାରଙ୍କ ହସ୍ତଗତ ହୋଇ ନାହିଁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର