୨ ଲକ୍ଷ ୧୦ହଜାର ଟଙ୍କା ଚୋରି ଅଭିଯୋଗରେ ଘରୋଇ ଫାଇନାନ୍ସ କମ୍ପାନିର କର୍ମଚାରୀ ଗିରଫ

ଜୟପୁର: ୨ ଲକ୍ଷ ୧୦ହଜାର ଟଙ୍କା ଚୋରି କରିଥିବା ଅଭିଯୋଗରେ ଘରୋଇ ଫାଇନାନ୍ସ କମ୍ପାନିର ଜଣେ କର୍ମଚାରୀଙ୍କୁ ଗିରଫ କରିଛି ବୈପାରିଗୁଡା ପୁଲିସ | ୨ମାସ ତଳେ ଘଟଣା ଘଟିଥିବା ବେଳେ ଆଜି ଅଭିଯୁକ୍ତକୁ ଗିରଫ କରିଛି ପୁଲିସ | ଅଭିଯୁକ୍ତଙ୍କ ନାଁ ସରୋଜ କୁମାର ସାମନ୍ତରାୟ ବୋଲି ଜଣା ପଡ଼ିଛି।  ସେ ଜୟପୁରର ବାଲିପେଟା ସାହିର ବାସିନ୍ଦା ବୋଲି ବି ଜଣାଯାଇଛି | ଗିରଫ ପରେ ଅଭିଯୁକ୍ତଙ୍କଠାରୁ ୧,୫୦,୦୦୦ଟଙ୍କା ଜବତ କରିବା ସହ ତାକୁ କୋର୍ଟ ଚାଲାଣ କରାଯାଇଥିଲା |

କୋର୍ଟରେ ହାଜର ହେବା ପରେ ଅଭିଯୁକ୍ତ ସରୋଜ କହିଛନ୍ତି ଯେ, ୨,୧୦,୦୦୦ଟଙ୍କା ନେଇ ଫେରୁଥିବା ବେଳେ କିଛି ଅଜଣା ଯୁବକ ଆସି ତାଙ୍କ ଠାରୁ ଟଙ୍କା ଛଡ଼ାଇ ନେଇଥିଲେ| ସେ ଟଙ୍କା ଚୋରି କରି ନାହାନ୍ତି ବୋଲି ବି ସଫେଇ ଦେଇଛନ୍ତି |

ମିଳିଥିବା ସୂଚନା ମୁତାବକ, ୨ମାସ ତଳେ ଘରୋଇ ଫାଇନାନ୍ସ କମ୍ପାନିର କର୍ମଚାରୀ ସରୋଜ କୁମାର ସାମନ୍ତରାୟ ୨,୧୦,୦୦୦ଟଙ୍କା ନେଇ ଫେରୁଥିବା ବେଳେ ବୈପାରିଗୁଡାଠାରେ କିଛି ଯୁବକ ତାଙ୍କଠାରୁ ଟଙ୍କା ଛଡ଼ାଇ ନେଇଥିବା କଥା ସେ ନିଜ ମାଲିକଙ୍କୁ ଜଣାଇଥିଲେ | ଏହା ପରେ କମ୍ପାନିର ମାଲିକ ବୈପାରିଗୁଡା ପୁଲିସ ଷ୍ଟେସନରେ ଏକ ଅଭିଯୋଗ କରିଥିଲେ | ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରି ସରୋଜ କୁମାର ସାମନ୍ତରାୟଙ୍କୁ ଡାକି ଘଟଣା ବିଷୟରେ ପଚାରଉଚରା କରିଥିଲା | ଏହି ସମୟରେ ପୁଲିସ ସରୋଜଙ୍କ ଉପରେ ସନ୍ଦେହ କରି ଯାଞ୍ଚ କରିବା ପରେ ତା’ ଠାରୁ ୧ ଲକ୍ଷ ୫୦ହଜାର ଟଙ୍କା ଜବତ କରିଛି |

ସମ୍ବନ୍ଧିତ ଖବର