କଟକ: ଏଣିକି ସରକାରଙ୍କ ଠାରୁ କମ୍ ମୂଲ୍ୟରେ କିମ୍ବା ମାଗଣାରେ ଜମି ନେଇଥିବା ବେସରକାରୀ ହସ୍ପିଟାଲ ଓ ନର୍ସିଂହୋମ ଗୁଡିକ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ରୋଗୀମାନଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସେବା ଯୋଗାଇବା ସହ ଏହାର ତଥ୍ୟ ରାଜ୍ୟସରକାରଙ୍କୁ ପ୍ରତି ମାସରେ ଦେବେ। ଏହା ବାଦ୍ ତଥ୍ୟକୁ ଅନ୍ଲାଇନ୍ରେ ମଧ୍ୟ ଉପଲବ୍ଧ କରାଇବେ। ଏଥିରେ ଖିଲାପ କଲେ ସମ୍ପୃକ୍ତ ବେସରକାରୀ ହସ୍ପିଟାଲ ଓ ନର୍ସିଂହୋମ ବିରୁଦ୍ଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସରକାର ଦେଇଥିବା ଜମିର ବର୍ତମାନର ବଜାର ମୂଲ୍ୟ ଆଦାୟ କରାଯିବ। ଏ ସମ୍ପର୍କିତ ଗେଜେଟ ବିଜ୍ଞପ୍ତି ଖୁବ୍ଶୀଘ୍ର ପ୍ରକାଶ କରିବା ସହିତ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ, ଜିଲ୍ଲାପାଳ ଏବଂ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅବଗତ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଯୋଗ୍ୟ ଯେ, ଦିଲ୍ଳୀ ସରକାରଙ୍କ ଠାରୁ କମ୍ ମୂଲ୍ୟରେ ବା ମାଗଣାରେ ଜମି ନେଇଥିବା ହସ୍ପିଟାଲ ଓ ନର୍ସିଂହୋମ ଗୁଡିକ ଇନ୍ଡୋର୍ରେ ଶତକଡ଼ା ୧୦ ପ୍ରତିଶତ ଏବଂ ଆଉଟ୍ଡ଼ୋର୍ରେ ଶତକଡ଼ା ୨୫ପ୍ରତିଶତ ରୋଗୀଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶାରେ ପାଖାପାଖି ୪୨ରୁ ଅଧିକ ବେସରକାରୀ ହସ୍ପିଟାଲ ଓ ନର୍ସିଂହୋମ ରାଜଧାନୀ ଭୁବନେଶ୍ୱର ସହ ରାଜ୍ୟର ଅନେକ ଜାଗାରେ ବହୁ ମୂଲ୍ୟବାନ ସରକାରୀ ଜମିକୁ ଅତିକମ୍ ମୂଲ୍ୟ ବା ମାଗଣାରେ ନେଇଛନ୍ତି। କିନ୍ତୁ ଗରିବ ରୋଗୀଙ୍କୁ ଏହି ସବୁ ସଂସ୍ଥାରେ ମାଗଣାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ କୌଣସି ପଦକ୍ଷେପ ନିଆଯାଇ ନଥିଲା। ସୂଚନା ଅଧିକାର ବଳରେ ଏହି ତଥ୍ୟ ହାସଲ କରିବା ପରେ ଓଡିଆ ଯୁବ ମଂଚର ସଭାପତି ରୋହନ ମହାନ୍ତି ଓଡ଼ିଶା ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ହାଇକୋର୍ଟଙ୍କ ହସ୍ତକ୍ଷେପ ଫଳରେ ରାଜ୍ୟ ସରକାର ୨୦୧୪ରେ ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏଥିରେ ରାଜ୍ୟ ସରକାରଙ୍କ ଠାରୁ ଜମି ନେବାରେ ଅନୁଗୃହୀତ ୪୪ଟି ବେସରକାରୀ ହସ୍ପିଟାଲ ଓ ନର୍ସିଂହୋମର ନାମ ପ୍ରକାଶ କରାଯିବା ସହ ଏଠାରେ ଗରିବ ରୋଗୀଙ୍କୁ ଇନଡୋରରେ ୧୦ପ୍ରତିଶତ ଏବଂ ଆଉଟଡ଼ୋରରେ ୨୫ପ୍ରତିଶତ ମାଗଣାରେ ଚିକତ୍ସା କରାଯିବ ବୋଲି ଦର୍ଶାଯାଇଥିଲା। ଏହାସତ୍ୱେ ବହୁ ଘରୋଇ ଚିକିତ୍ସାଳୟ ଏହି ନିର୍ଦ୍ଦେଶକୁ ସଠିକ୍ ପାଳନ କରି ନଥିଲେ ବୋଲି ଅଭିଯୋଗ ହୋଇଥିଲା। ମାମଲାର ଶୁଣାଣି କରି ହାଇକୋର୍ଟ ଯେଉଁ ବେସରକାରୀ ଚିକିତ୍ସାଳୟ ମାଗଣା ଚିକିତ୍ସା ଦେବାରେ ଖିଲାପ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେମାନଙ୍କୁ ଦିଆଯାଇଥିବା ଜମିର ବଜାର ମୂଲ୍ୟ ଆଦାୟ କରିବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ସାଧାରଣ ପ୍ରଶାସନ ବିଭାଗ କୋର୍ଟରେ ଏ ସମ୍ପର୍କରେ ସତ୍ୟପାଠ ଦାଖଲ କରି ଦର୍ଶାଇଥିଲେ ଯେ ଏଣିକି ପ୍ରତ୍ୟେକ ବେସରକାରୀ ଚିକିତ୍ସାଳୟ ପ୍ରତ୍ୟେକ ମାସରେ କେତେ ସଂଖ୍ୟକ ଗରିବରୋଗୀଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇଛନ୍ତି ତାହାର ତଥ୍ୟ ସରକାରଙ୍କ ନିକଟରେ ଅନଲାଇନରେ ଦାଖଲ କରିବେ। ଏଥିରେ ଖିଲାପ କଲେ ସେମାନଙ୍କ ବିରୁଦ୍ଧରେ ଓଡ଼ିଶା କ୍ଲିନିକାଲ ଏଷ୍ଟାବ୍ଲିସମେଂଟ(କଂଟ୍ରୋଲ ଆଣ୍ଡ ରୋଗୁଲେସନ) ଆମେଣ୍ଡମେଣ୍ଟ ଆକ୍ଟ ୨୦୧୬ ଏବଂ ଓଡ଼ିଶା କ୍ଲିନିକାଲ ଏଷ୍ଟାବ୍ଲିସମେଂଟ(କଂଟ୍ରୋଲ ଆଣ୍ଡ ରୋଗୁଲେସନ) ରୁଲ ୨୦୧୮ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିସହ ସେମାନଙ୍କ ଠାରୁ ହସ୍ପିଟାଲ ପାଇଁ ଦିଆଯାଇଥିବା ଜମିର ବଜାର ମୂଲ୍ୟ ଆଦାୟ କରାଯିବ ବୋଲି ୨୦୧୯ ମାର୍ଚ୍ଚ ୨ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାକୁ ଓଡ଼ିଶା ଗେଜେଟରେ ପ୍ରକାଶ କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି କୋର୍ଟଙ୍କୁ ଅବଗତ କରାଯାଇଛି। ଆବେଦନକାରୀ ରୋହନ ମହାନ୍ତିଙ୍କ ପକ୍ଷରୁ ଆଇନଜୀବୀ କ୍ଷୀରୋଦ ରାଉତ,ଜୟନ୍ତୀ ନାୟକ, ସୁରେନ୍ଦ୍ର ରାଉତ ଓ ଅନୀଲ ଦଳେଇ ମାମଲା ପରିଚାଳନା କରୁଛନ୍ତି।