ଆସନ୍ତାକାଲି ବନ୍ଦ ରହିବ ରାଜ୍ୟର ସମସ୍ତ ଘରୋଇ ହସ୍ପିଟାଲ

ପାଥୋଲୋଜି, ରେଡିଓଲୋଜି, ଡେଣ୍ଟାଲ ଓ ଫିଜିଓଥେରାପି କେନ୍ଦ୍ରରେ ମଧ୍ୟ ରୋଗୀ ସେବା ମିଳିବ ନାହିଁ

ଭୁବନେଶ୍ୱର: ଆସନ୍ତା କାଲି ସକାଳ ୬ଟାରୁ ୨୬ ତାରିଖ ସକାଳ ୬ ଟା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଘରୋଇ ହସ୍ପିଟାଲ ବନ୍ଦ ରହିବ। ଏପରିକି ପାଥୋଲୋଜି, ରେଡିଓଲୋଜି, ଡେଣ୍ଟାଲ ଓ ଫିଜିଓଥେରାପି କେନ୍ଦ୍ରରେ ମଧ୍ୟ ରୋଗୀ ସେବା ମିଳିବ ନାହିଁ । ରାଜ୍ୟ ସରକାର ରାଜ୍ୟରେ ଥିବା ଘରୋଇ ହସ୍ପିଟାଲ ପାଇଁ ନୂଆ ଲାଇସେନ୍‌ସ ଦେଉନାହାଁନ୍ତି କି ପଞ୍ଜୀକରଣ ବି କରୁ ନଥିବା କାରଣରୁ ହସ୍ପିଟାଲ ବନ୍ଦ ରଖିବା ପାଇଁ ଅଲ ଓଡିଶା ପ୍ରାଇଭେଟ୍‌ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ୍‌ ନିଷ୍ପତି ନେଇଛି । ୨୦୧୪ ମସିହାରୁ ରାଜ୍ୟର ସମସ୍ତ ଘରୋଇ ହସ୍ପିଟାଲର ପଞ୍ଜୀକରଣ ସହିତ ନବୀକରଣ କରିବା ପାଇଁ ରାଜ୍ୟସରକାର ଅର୍ଥ ନେଇଥିଲେ ମଧ୍ୟ ଏନେଇ କୌଣସି ପଦକ୍ଷେପ ନେଉ ନଥିବା ସଂଘ ଅଭିଯୋଗ କରିଛି।

ତେବେ ଆସନ୍ତା କାଲି ସଂଘ ପକ୍ଷରୁ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ବୋଲି ଓଡିଶା ପ୍ରାଇଭେଟ୍‌ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ୍‌ର ଉପସଭାପତି ଜଗନ୍ନାଥ ମହାପାତ୍ର ସୂଚନା ଦେଇଛନ୍ତି । ସଂଘ କହିବା ମୁତାବକ ଓଡିଶା କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ୧୯୯୦ ଅଧିନିୟମ ଅନୁସାରେ ରାଜ୍ୟରେ ଥିବା ଘରୋଇ ହସ୍ପିଟାଲର ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିବା ୨୦୧୪ ମସିହା ପରଠାରୁ ପ୍ରତିଶ୍ରୁତି ଦେଇ ଆସୁଛନ୍ତି । କିନ୍ତୁ ଏହାରି ମଧ୍ୟରେ ଓଡିଶା ପ୍ରାଇଭେଟ୍‌ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ୍‌ ସହିତ ରାଜ୍ୟ ସରକାର ୫୧ ଥର ସାକ୍ଷାତ କରିଥିଲେ ମଧ୍ୟ ଏହାର କିଛି ପ୍ରତିକାର ମିଳି ନାହିଁ ।

ସମ୍ବନ୍ଧିତ ଖବର