ଆଜି ବନ୍ଦ ରହିବ ଘରୋଇ ମେଡିକାଲ୍‌

ଭୁବନେଶ୍ୱର : ଦୀର୍ଘଦିନର ଚେତାବନୀ ପରେ ଆସନ୍ତାକାଲି ରାସ୍ତାକୁ ଓହ୍ଲାଇବେ ଘରୋଇ ହସ୍ପିଟାଲ୍‌ର ମାଲିକ, ଡାକ୍ତର, ନର୍ସ ଓ କର୍ମଚାରୀ। ଫଳରେ କେବଳ ଇନ୍‌ଡୋର ପେସେଣ୍ଟ୍‌ (ପୂର୍ବରୁ ମେଡିକାଲ୍‌ ବେଡ୍‌ରେ ରହିଥିବା ରୋଗୀ)ଙ୍କ ବ୍ୟତୀତ ସମସ୍ତ ତ୍ୱରିତ ସ୍ୱାସ୍ଥ୍ୟସେବା ଠପ୍‌ ହୋଇଯିବ।

ରାଜ୍ୟରେ ପାଖାପାଖି ୨ହଜାର ଘରୋଇ ମେଡିକାଲ୍‌, କର୍ପୋରେଟ୍‌ ହସ୍ପିଟାଲ୍‌, ନର୍ସିଂହୋମ୍‌, ପାଥୋଲାବ ଓ ଡେଣ୍ଟାଲ୍‌ କ୍ଲିନିକ୍‌ ରହିଛି। ଆନ୍ଦୋଳନ ଯୋଗୁ ଏହି ସମସ୍ତ ମେଡିକାଲ ବନ୍ଦ ରହିବ। ଫଳରେ ରାଜଧାନୀ ସମେତ ସମଗ୍ର ରାଜ୍ୟରେ ଚିକିତ୍ସା ସେବା ପ୍ରଭାବିତ ହେବା ଆଶଙ୍କା ପ୍ରକାଶ ପାଇଛି। ବିଶେଷକରି ଉନ୍ନତମାନର ଚିକିତ୍ସା ସେବା ଆଶାରେ ଭୁବନେଶ୍ୱରକୁ ଆସୁଥିବା ରୋଗୀ ଆନ୍ଦୋଳନ ଯୋଗୁ ସମସ୍ୟାର ସମ୍ମୁଖୀନ ହେବେ।

ସୂଚନାଅନୁଯାୟୀ, ୧୦ଟି ଦାବି ନେଇ ଅଲ୍‌ ଓଡ଼ିଶା ପ୍ରାଇଭେଟ୍‌ ମେଡିକାଲ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ଫୋରମ୍‌ ଆଜି ଆନ୍ଦୋଳନ ଡାକରା ଦେଇଛି। ଫୋରମ୍‌ର ସମ୍ପାଦକ ଡ.ଇନ୍ଦ୍ରମଣି ଜେନା, ଡାକ୍ତର ଜଗନ୍ନାଥ ମହାପାତ୍ର, ଡାକ୍ତର ସୁବ୍ରତ କୁମାର ଜେନାଙ୍କ ସୂଚନା ଅନୁସାରେ, କ୍ଲିନିକାଲ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ଆକ୍ଟ, ଅଗ୍ନି ନିରାପତ୍ତା ଆଇନ୍‌ (ମେଡିକାଲ୍‌ ପାଇଁ ଉଦ୍ଦିଷ୍ଟ), ପ୍ରିଭେନ୍‌ସନ୍‌ ଟୁ ଭାୟୋଲେସନ୍‌ ଆଣ୍ଡ୍‌ ଡ୍ୟାମେଜ୍‌ ଟୁ ପ୍ରପର୍ଟି, ପଞ୍ଜୀକରଣ ଭଳି ସମସ୍ୟା ସମ୍ପର୍କରେ ଆଗରୁ ବିଭାଗର ମନ୍ତ୍ରୀ, ସଚିବ ଓ ନିର୍ଦେଶକଙ୍କୁ ପ୍ରାୟ ୫୧ ଥର ଭେଟି ଜଣାଇଥିଲେ ହେଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ, ସେମାନେ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି।

ଫୋରମ୍‌ ପକ୍ଷରୁ ଦିଆଯାଇଥିବା ଏହି ୨୪ ଘଣ୍ଟିଆ ବନ୍ଦ ଡାକରାରେ ସାରା ରାଜ୍ୟର ସ୍ୱାସ୍ଥ୍ୟସେବା ପ୍ରଭାବିତ ହେବ। ଏହାଦ୍ୱାରା ମେଡିକାଲ୍‌ ଇମରଜେନ୍ସି, ପ୍ରସବ, ଅସ୍ତ୍ରୋପଚାର, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଓ ସାପକାମୁଡ଼ା ରୋଗୀମାନେ ଘରୋଇ ମେଡିକାଲ୍‌ରୁ ଆପାତକାଳୀନ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେବେ।

ଆସନ୍ତାକାଲି ସକାଳ ୬ଟାରୁ ୨୬ ତାରିଖ(ଶନିବାର) ସକାଳ ୬ଟା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ରାଜଧାନୀରେ ପ୍ରାୟ ୩୦୦ ଡାକ୍ତର, ଡାକ୍ତରଖାନା ମାଲିକ, ନର୍ସ ଓ କର୍ମଚାରୀ ସକାଳ ୧୦ଟାରୁ ସାଢ଼େ ୧୧ଟା ମଧ୍ୟରେ ମାଷ୍ଟରକ୍ୟାଣ୍ଟିନ୍‌ରୁ ଶୋଭାଯାତ୍ରା ଆରମ୍ଭ କରି ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଯିବେ। ଏହି ଅବସରରେ ସେମାନେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିବେ। ରାଜଧାନୀ ବ୍ୟତୀତ ରାଜ୍ୟର ସମସ୍ତ ଜିଲ୍ଲାରେ ଘରୋଇ ଚିକିତ୍ସା ସେବା ଅନୁଷ୍ଠାନଗୁଡ଼ିକ ବନ୍ଦ ରହିବା ସହ ଶୋଭାଯାତ୍ରା ଜରିଆରେ ସବୁ ଜିଲ୍ଲା ହେଡ୍‌କ୍ୱାର୍ଟରରେ ସିଡିଏମ୍‌ଓ ଏବଂ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦିଆଯିବ ବୋଲି ଡାକ୍ତର ଅଜୟ ମିଶ୍ର ଜଣାଇଛନ୍ତି।

ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦେଶକ ବ୍ରଜକିଶୋର ବ୍ରହ୍ମା କହିଛନ୍ତି ଯେ ଆସନ୍ତାକାଲି ଫୋରମ୍‌ର ୨୪ ଘଣ୍ଟିଆ ବନ୍ଦ ଯୋଗୁଁ ଯେପରି ଚିକିତ୍ସା ସେବା ବ୍ୟାହତ ନହୁଏ ଏବଂ କିପରି ଆପାତକାଳୀନ ଚିକିତ୍ସା ସେବା ଦିଆଯାଇପାରିବ ସେନେଇ ସରକାରୀ ସ୍ୱାସ୍ଥ୍ୟ ସଂଗଠନ, ସରକାରୀ ମେଡିକାଲ୍‌ କଲେଜ୍‌ ଓ ହସ୍ପିଟାଲ୍‌ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି। ସେହିପରି ସରକାରୀ ଚିକିତ୍ସାଳୟରେ ଆପାତକାଳୀନ ସେବା ପାଇଁ ପ୍ରସ୍ତୁତ ରହିବା ସହ ରୋଗୀମାନେ ଯେପରି କୌଣସି ସମସ୍ୟାରେ ନପଡ଼ନ୍ତି, ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ବ୍ରହ୍ମା ଆଶ୍ୱାସନା ଦେଇଛନ୍ତି।

ସମ୍ବନ୍ଧିତ ଖବର