୩ ଘରୋଇ ହସ୍ପିଟାଲ ଆଣିବେ ୧୨ହଜାର ଡୋଜ୍, ଘରୋଇ ହସ୍ପିଟାଲଙ୍କୁ କୋ-ୱିନ୍‌ରେ ପଞ୍ଜୀକରଣ ବାଧ୍ୟତାମୂଳକ

ଆଜି ୩ ଜିଲ୍ଲାରେ ଟିକାକରଣ ହେବନି

ଭୁବନେଶ୍ବର : ରାଜ୍ୟର ୩ଟି ଘରୋଇ ହସ୍ପିଟାଲ ସିଧାସଳଖ ଟିକା ଉତ୍ପାଦନକାରୀ କମ୍ପାନିରୁ ୧୨ହଜାର ଡୋଜ୍ ଟିକା ଆଣି ଟିକାକରଣ କରିବେ। ଭୁବନେଶ୍ବରର ସମ୍ ହସ୍ପିଟାଲ, ବ୍ରହ୍ମପୁରର ଖ୍ରୀଷ୍ଟିଆନ ହସ୍ପିଟାଲ ଓ ବରଗଡ଼ର କିଶୋର ହସ୍ପିଟାଲ ପୁନେସ୍ଥିତ ସିରମ ଇନଷ୍ଟିଚ୍ୟୁଟ୍‌ ସହିତ ଯୋଗାଯୋଗ କରିଥିବା ସଂପର୍କରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଟିକାକରଣ କରିବାକୁ ଚାହୁଥିବା ଘରୋଇ ହସ୍ପିଟାଲମାନେ କୋ-ୱିନ୍ ଜରିଆରେ ପଞ୍ଜୀକୃତ ହେବା ବାଧ୍ୟତାମୂଳକ ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏ ସଂକ୍ରାନ୍ତରେ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ, ନଗର ନିଗମ ଓ ସିଡିଏମ୍‌ଓମାନଙ୍କୁ ଚିଠି ଜାରି ହୋଇଛି।

ବିଭାଗ ପକ୍ଷରୁ କୁହାଯାଇଛି ଯେ କୋ-ୱିନ୍ ଜରିଆରେ ହିଁ ଘରୋଇ ହସ୍ପିଟାଲମାନେ ଟିକାକରଣ କରିପାରିବେ। ଅଫଲାଇନ୍ ଟିକାକରଣକୁ ଅନୁମତି ମିଳିବ ନାହିଁ। ଟିକାକରଣ କେନ୍ଦ୍ର ଓ ଟିକାର ଦର କ’ଣ ରଖିଛନ୍ତି ସେ ସଂପର୍କରେ କୋ-ୱିନ୍‌ରେ ଜଣାଇବେ। ଯଦି ହସ୍ପିଟାଲମାନେ ଟିକାକରଣରେ ସାମିଲ ହେବେ ସେମାନଙ୍କ ତାଲିମ ପାଇଁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ। ଟିକାକରଣ କେନ୍ଦ୍ରକୁ ଛାଡ଼ିବା ପୂର୍ବରୁ ଟିକାକରଣ ସାର୍ଟିଫିକେଟ୍‌ ନେବା ପାଇଁ ସଚେତନତ କରାଯିବ ପାଇଁ ବ୍ୟବସ୍ଥା ରହିବା ଜରୁରୀ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସେହିପରି ଆସନ୍ତାକାଲି ବାଲେଶ୍ବର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ଏହାସତ୍ବେ ରାଜ୍ୟରେ ୪୭୫ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଆଜି ୫୭୭ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ୭୬,୪୭୮ଜଣଙ୍କୁ କରୋନା ଟିକା ଦିଆଯାଇଛି। ୪୫ବର୍ଷରୁ ଅଧିକ ସର୍ବାଧିକ ୩୨,୦୨୯ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି। ୬୧୧୬ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ଏହାସହ ୧୮-୪୪ବର୍ଷର ୨୬,୮୬୬ଜଣ ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ରାଜ୍ୟରେ ଏ ପର୍ଯ୍ୟନ୍ତ ୬୮ଲକ୍ଷ ୧୨ହଜାର ୧୧୮ଜଣ ଟିକା ନେଇ ସାରିଲେଣି। ‌ରାଜ୍ୟରେ ପଞ୍ଜୀକୃତ ହୋଇଥିବା ୯୮ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ଏହାସହ ୮୭ ପ୍ରତିଶତ ଦ୍ବିତୀୟ ଡୋଜ୍ ନେଇ ସାରିଲେଣି। ପଞ୍ଜୀକୃତ ହୋଇଥିବା ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରୁ ୧୧୮ ପ୍ରତିଶତ ପ୍ରଥମ ଓ ୯୦ ପ୍ରତିଶତ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଏବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଶାଇ ୭ଲକ୍ଷରୁ ଅଧିକ ଟିକା ମହଜୁଦ ରହିଛି।

ସମ୍ବନ୍ଧିତ ଖବର