୨୫ରେ ବନ୍ଦ ରହିବ ୧୭୮୦ ଘରୋଇ ହସ୍ପିଟାଲ୍‌

ଡାଏଗ୍ନୋଷ୍ଟିକ୍‌ କେନ୍ଦ୍ର, ଫିଜିଓ ଥେରାପି କେନ୍ଦ୍ର ବି ବନ୍ଦ ରହିବ; ମାସେ ମଧ୍ୟରେ ପଞ୍ଜୀକରଣ ନକଲେ ଅନିର୍ଦିଷ୍ଟ କାଳ ଧାରଣା

ଭୁବନେଶ୍ୱର : ସରକାର ମନମୁଖୀ ନିୟମ ପ୍ରଣୟନ କରି ଘରୋଇ ହସ୍ପିଟାଲ୍‌ଗୁଡ଼ିକୁ ଉଦ୍ଦେଶ୍ୟମୂଳକ ଭାବେ ଅକଳରେ ପକାଇବାକୁ ଚେଷ୍ଟା କରୁଛନ୍ତି। ‘ଅଲ୍‌ ଓଡ଼ିଶା ପ୍ରାଇଭେଟ୍‌ ମେଡିକାଲ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ଫୋରମ୍‌’ ଆଜି ଏଭଳି ଅଭିଯୋଗ କରିବା ସହ କ୍ଷୋଭ ପ୍ରକାଶ କରିଛି। ବାରମ୍ବାର ଦାବି ଓ ଆଲୋଚନା ପରେ ବି ସରକାର କର୍ଣ୍ଣପାତ କରୁନଥିବାରୁ ଏହାର ପ୍ରତିବାଦରେ ଆସନ୍ତା ୨୫ ତାରିଖ ଦିନ ରାଜ୍ୟର ପାଖାପାଖି ୧୭୮୦ଟି ଘରୋଇ ମେଡିକାଲ ଓ ନର୍ସିଂହୋମ୍‌ ସମେତ ଡାଏଗ୍ନୋଷ୍ଟିକ୍‌ କେନ୍ଦ୍ର, ଫିଜିଓଥେରାପି କେନ୍ଦ୍ର ଏବଂ ରେଡିଓ ଥେରାପି କେନ୍ଦ୍ର ଆଦିକୁ ମିଶାଇ ପାଖାପାଖି ୨ ହଜାର ଘରୋଇ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ବନ୍ଦ ରହିବ। ୨୫ ତାରିଖ ସକାଳ ୬ଟାରୁ ୨୬ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ କେବଳ ବେଡ୍‌ରେ ଥିବା ରୋଗୀଙ୍କ ବ୍ୟତୀତ ଅନ୍ୟ କୌଣସି ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯିବ ନାହିଁ। ଆଜି ଆଇଏମ୍‌ଏ ଭବନରେ ଅନୁଷ୍ଠିତ ସାଧାରଣ ସଭା ପରେ ଫୋରମ୍‌ ଏପରି ଚେତାବନୀ ଦେଇଛି।

୨୦୧୭ ଅଗ୍ନି ନିରାପତ୍ତା ଆଇନ ମୁତାବକ, ୨୦୧୭ ପୂର୍ବରୁ ଥିବା ହସ୍ପିଟାଲ୍‌ଗୁଡ଼ିକ ନୂଆ ନିୟମ ପରିସରଭୁକ୍ତ ହେବେ ନାହିଁ। କିନ୍ତୁ ସରକାର ୨୦୧୪ରୁ ଏହି ଆଳ ଦେଖାଇ ପଞ୍ଜୀକରଣ ନମ୍ବର ଦେଉନାହାନ୍ତି। ଉପଯୁକ୍ତ ମୂଲ୍ୟ ଦେଇ ବି ପଞ୍ଜୀକରଣ ଓ ନବୀକରଣ କରାଇ ଦେଉନାହାନ୍ତି। କେବଳ ରସିଦ ଧରାଇ ଦେଉଛନ୍ତି। ଡାକ୍ତରଖାନାରେ ଅଗ୍ନିଶମ, ପରିବେଶ, ବର୍ଜ୍ୟବସ୍ତୁ ଜନିତ କ୍ଲିନିକାଲ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ଆଇନ କେବଳ ଘରୋଇ ଡାକ୍ତରଖାନା ଓ ଡାଏଗ୍ନୋଷ୍ଟିକ୍‌ କେନ୍ଦ୍ରଗୁଡ଼ିକ ଉପରେ ବଳବତ୍ତର ରହିଛି। କୌଣସି ଶଯ୍ୟା ନଥିବା ହସ୍ପିଟାଲ୍‌କୁ ମଧ୍ୟ ୫୦୦ ଶଯ୍ୟା ଥିବା ହସ୍ପିଟାଲ୍‌ ପାଇଁ ଉଦ୍ଦିଷ୍ଟ ନିୟମ ମାନିବାକୁ ବାଧ୍ୟ କରାଯାଇଛି। ତେଣୁ ପ୍ରଶାସନର ଏହିଭଳି ନାଲି ଆଖି ଭୟରେ ଅନେକ ଛୋଟଛୋଟ ସଂସ୍ଥା ବନ୍ଦ ହୋଇଗଲେଣି ବୋଲି ଫୋରମ୍‌ର ସଭାପତି ଡ. ଅଜୟ ମିଶ୍ର କହିଛନ୍ତି।

ଖାଲି ସେତିକି ନୁହେଁ, ସରକାର ଗତ ଏପ୍ରିଲ୍‌ ୨୩ ତାରିଖରେ ଯେଉଁ ୨୦୧୮ କ୍ଲିନିକାଲ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ନିୟମର ବିଜ୍ଞପ୍ତି ପ୍ରକାଶ କରିଛନ୍ତି, ତାହା ଆମମାନଙ୍କୁ ମତାମତ ପାଇଁ ଦିଆଯାଇଥିବା ଡ୍ରାଫ୍‌ଟ ନିୟମଠାରୁ ଭିନ୍ନ ବୋଲି କହିଛନ୍ତି ଫୋରମ୍‌ର ସମ୍ପାଦକ ଡାକ୍ତର ଇନ୍ଦ୍ରମଣି ଜେନା। ଘରୋଇ ଚିକିତ୍ସା ସେବା କ୍ଷେତ୍ରରେ ସିଜିଏଚ୍‌ଏସ୍‌ ସଦୃଶ ଦର ନିର୍ଧାରଣ ପାଇଁ ଥିବା ନିୟମ ମଧ୍ୟ ଅମୂଳକ ବୋଲି ସେ କହିଛନ୍ତି। ତେଣୁ ରାଜ୍ୟର ଶତକଡ଼ା ୮୦ ଭାଗ ସେବା ପ୍ରଦାନ କରୁଥିବା ଘରୋଇ ହସ୍ପିଟାଲ୍‌ଗୁଡ଼ିକ ପ୍ରତି ସରକାର ବୈମାତୃକ ମନୋଭାବ ପୋଷଣ ନକରି ଘରୋଇ ହସ୍ପିଟାଲ୍‌ଗୁଡ଼ିକୁ ଏକ ସ୍ୱତନ୍ତ୍ର କ୍ଲିନିକାଲ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ପରିଷଦ ଦ୍ୱାରା ପ୍ରଶାସିତ କରାଯାଉ ବୋଲି ଫୋରମ୍‌ର ଉପସଭାପତି ଡାକ୍ତର ଜଗନ୍ନାଥ ମହାପାତ୍ର କହିଛନ୍ତି। ଏହି ୨୪ ଘଣ୍ଟିଆ ବନ୍ଦ ପରେ ୨୦୧୪ରୁ ପଡ଼ି ରହିଥିବା ନବୀକରଣ ଓ ପଞ୍ଜୀକରଣ ପାଇଁ ଯଦି ସରକାର ମାସକ ମଧ୍ୟରେ ନିଷ୍ପତ୍ତି ନ ନିଅନ୍ତି, ତେବେ ମାସେ ପରେ ସମସ୍ତ ଘରୋଇ ହସ୍ପିଟାଲ୍‌ ପକ୍ଷରୁ ଅନିର୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯିବ ବୋଲି ଡାକ୍ତର ସୁବ୍ରତ କୁମାର ଜେନା କହିଛନ୍ତି। କାର୍ଯ୍ୟକାରିଣୀ ବୈଠକରେ ଡାକ୍ତର କୃପାସିନ୍ଧୁ ପଣ୍ଡା, ଡାକ୍ତର ଦେବଦତ୍ତ ସାହୁ ପ୍ରମୁଖ ସମସ୍ୟା ସମ୍ପର୍କରେ ମତ ରଖିବା ସହ ଏହି ୨୪ ଘଣ୍ଟିଆ ବନ୍ଦକୁ ରାଜ୍ୟର ସମସ୍ତ ଘରୋଇ ହସ୍ପିଟାଲ୍‌ ସମର୍ଥନ କରି ନିଜର ସ୍ୱାସ୍ଥ୍ୟସେବା କେନ୍ଦ୍ରକୁ ବନ୍ଦ ରଖିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର