ଜୟପୁର: ଗ୍ରାମାଂଚଳର ମହିଳାଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତୀକରଣ କରିବା ପାଇଁ ଆରମ୍ଭ ହୋଇଥିବା ମହିଳା ସ୍ବୟ˚ ସହାୟିକା ଗୋଷ୍ଠୀ ଏବେ ନିଜେ ସଶକ୍ତ ହେବା ବଦଳରେ ବ୍ୟାଙ୍କ ଓ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର ଋଣରେ ଡୁବି ରହିଛନ୍ତି। ଏପରିକି ଅସମୟରେ ସହାୟତାର ହାତ ବଢ଼ାଇବାକୁ ଆସିଥିବା ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଏମାନଙ୍କ ଟଙ୍କାରେ କୋଟିର କୋଟିର ବ୍ୟବସାୟ କରୁଛି। ଆଧାରକାର୍ଡ ଓ ମୋବାଇଲ ଫୋନ ନମ୍ବର ଥିଲେ ଋଣ ଦେଇ ଦେଉଥିବା ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ପରବର୍ତ୍ତୀ ସମୟରେ ଆର୍ଥିକ ଶୋଷଣ କରୁଥିବା ଅଭିଯୋଗ ହୋଇଛି।
ଦୟନୀୟ ଅବସ୍ଥାରେ ଗ୍ରାମାଂଚଳର ମହିଳା ସ୍ବୟଂ ସହାୟକ ଦଳ ରହିଥିଲେ ହେଁ ଅନ୍ୟପକ୍ଷରେ ସରକାରୀ ବାବୁ ଓ ବାବୁଆଣୀ ମାନେ କାଗଜକଲମରେ ପ୍ରତ୍ୟେକ ଦିନ ଏହି ଏସଏଚଜି ମହିଳା ଗୋଷ୍ଠୀର ବିକାଶର ଗାଥା ମିଛ ସତ ଲେଖି ସରକାରଙ୍କୁ ରିପୋର୍ଟ ଦେଇ ଭୁଆଁ ବୁଲାଉଛନ୍ତି। ଛତୁଆ, ମଧ୍ୟାହ୍ନଭୋଜନ,କିରୋସିନୀ, ପିଡିଏସ୍ଚାଉଳ ବଣ୍ଟନ, ସ୍ବଚ୍ଛଭାରତ ଅଭିଯାନ, ପାଇଖାନା ନିର୍ମାଣ ଠାରୁ ଆରମ୍ଭ କରି ବ୍ୟାଙ୍କ ମାଧ୍ୟମରେ ଗାଇ, ଛେଳି, ଅଟୋ, ଗାଡି ଆଦି ଋଣ ଯୋଜନା ସହ ବିଭିନ୍ନ ଉନ୍ନୟନମୂଳକ କାମ ସେମାନଙ୍କ ନେତୃତ୍ବ କରାଯାଉଛି ବୋଲି କୁହାଯାଉଛି। ସଫଳତମ ସ୍ବୟଂ ସହାୟିକା ଦଳର ନାଁ ଖଣ୍ଡିକ ପଚାରିଲେ ବି ସ୍ପଷ୍ଟ ଭାବେ କହି ପାରୁନାହାନ୍ତି।
ଖାସ୍ କରି ମହିଳା ସ୍ବୟଂ ସହାୟକ ଦଳର ମହିଳା ମାନେ ଋଣ ମିଳିବା ମାତ୍ରକେ ଗ୍ରୁପର ସଦସ୍ୟ ମାନେ ବାଣ୍ଟିକୁଣ୍ଟି ନେଇ ଯାଉଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଗୃପ ଉଧେଇବା ବଦଳରେ ଡୁବୁଛି। ଏପରି ସମୟରେ ଆନ୍ଧ୍ର ଓତାମିଲନାଡୁରୁ ଆସିଥିବା କିଛି ଘରୋଇ୍ ଅର୍ଥ ଲଗାଣକାରୀ ସଂସ୍ଥା ସ୍ଥାନୀୟ କିଛି ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ଦେଇଛି। ଏମାନେ ଗ୍ରାମାଂଚଳରେ ବୁଲି ବୁଲି ଗୃପ ତିଆରି କରୁଛନ୍ତି। ଗାଁର ୧୦ଜଣରୁ ଆରମ୍ଭ କରି ୫୦ଜଣ ମହିଳାଙ୍କୁ ମିଶାଇ ଗୋଟିଏ ଗୃପ କରି ମନଇଛା ଋଣ ଦେଇ ସାପ୍ତାହିକ ଟଙ୍କା ଆଦାୟ କରୁଛନ୍ତି। ଜୟପୁର ବ୍ଲକର ରଣ୍ଡାପାଲି ପଂଚାୟତର ବଡକାଉଡି, ହରଡାପୁଟରେ ଏଭଳି ହୋଇଥିବା ଅଭିଯୋଗ ହୋଇଛି। ଗୃପର ଜଣେ ଯଦି ୧୦ହଜାର ଟଙ୍କାର ରୁଣ ନେଲେ ୮ହଜାର ଟଙ୍କା ଦେବା ସହ ଆରମ୍ଭରୁ ହିଁ ସୁଧ ନେଉଛି। ଏପରିକି ଗୃପର ଜଣେ ସଭ୍ୟ ଯଦି ରୁଣ ନେଇ ସୁଝି ନ ପାରିଲେ ଅନ୍ୟ ମାନେ ଏହି ରୁଣ ସୁଝିବାକୁ ପଡୁଛି ବୋଲି କହିଛନ୍ତି। ମହିଳା ମାନେ ବି ବ୍ୟାଙ୍କ ଋଣକୁ ସୁଝିବା ସହ ନୂଆ ଭାବେ ବ୍ୟାଙ୍କରୁ ଋଣ ନେବା ପାଇଁ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଠାରୁ ଋଣ ନେଉଛନ୍ତି ବୋଲି ପରଜାଗୁଡାର ପଦ୍ମା ପରଜା, ଉପରଗୁଡାର ଲକ୍ଷ୍ମୀ ଅମନାତ୍ୟ କହିଛନ୍ତି। ଏଭଳି ପରିସ୍ଥିତିରେ ଆଉ ମହିଳା ସ୍ବୟଂ ସହାୟକ ଦଳ ଉଧାଉନି। ବରଂ ଦିନକୁ ଦିନ ଆର୍ଥିକସ୍ତରରେ ଏମାନେ ଦୁର୍ବଳ ହେବାକୁ ଲାଗିଛୁ ବୋଲି ବଡକାଉଡିର ମହିଳା ସ୍ବୟଂ ସହାୟକ ଦଳର ମହିଳା ମାନେ କହିଛନ୍ତି।