ଇକୋ-ଟୁରିଜିମ୍‌ ବିକାଶରେ ଘରୋଇ ପୁଞ୍ଜିନିବେଶକୁ ଆକର୍ଷିତ କରାଯିବ

୫ ବର୍ଷରେ ରାଜସ୍ବ ସଂଗ୍ରହ ୧୦୧% ବୃଦ୍ଧି, ୮ଟି ନୂଆ ପରିବେଶ ପର୍ଯ୍ୟଟନ ସ୍ଥଳୀର ବିକାଶ କରାଯିବ

ଭୁବନେଶ୍ବର: ଗତ ୫ ବର୍ଷ ହେଲା ରାଜ୍ୟରେ ପରିବେଶ ପର୍ଯ୍ୟଟନ(ଇକୋ ଟୁରିଜିମ୍‌)ର ଚାହିଦା ବଢ଼ିବାରେ ଲାଗିଛି। ୨୦୧୫-୧୬ରେ ପରିବେଶ ପର୍ଯ୍ୟଟନସ୍ଥଳୀକୁ ୧୯୦୦ ଲୋକଙ୍କ ଆଗମନ ହୋଇଥିଲା ବେଳେ ୨୦୧୯-୨୦ରେ ଏହି ସଂଖ୍ୟା ୪୬,୦୧୯ରେ ପହଞ୍ଚିଛି। ୨୦୧୫-୧୬ରେ ଏଥିରୁ ରାଜସ୍ବ ଆଦାୟ ୪୭ ଲକ୍ଷ ଟଙ୍କା ଥିଲା ବେଳେ ୨୦୧୯-୨୦ରେ ଏହା ୬.୮୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହି ପରିବେଶ ପର୍ଯ୍ୟଟନସ୍ଥଳୀକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବା ପାଇଁ ଘରୋଇ ପୁଞ୍ଜିନିବେଶକୁ ଆକର୍ଷିତ କରାଯିବ। ଏ ଦିଗରେ ଆବଶ୍ୟକ ପ୍ରସ୍ତୁତି କରିବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ଗୋଷ୍ଠୀ ପରିଚାଳିତ ଇକୋ-ଟୁରିଜିମ୍‌ ଯୋଜନାର ରାଜ୍ୟସ୍ତରୀୟ କମିଟି ବୈଠକ ଆଜି ଡିଜିଟାଲ୍‌ ମୋଡ୍‌ରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ୨୦୧୫-୧୬ରେ ରାଜ୍ୟ ସରକାର ଗୋଷ୍ଠୀ ପରିଚାଳିତ ପରିବେଶ ପର୍ଯ୍ୟଟନ ଆରମ୍ଭ କରିଥିଲେ। ଏହା ମଧ୍ୟରେ ରାଜ୍ୟର ୧୮ଟି ଜିଲ୍ଲା ଅନ୍ତର୍ଗତ ୪୭ଟି ଇକୋ ସ୍ପଟ୍‌ର ବିକାଶ କାର୍ଯ୍ୟ ଆରମ୍ଭ ହୋଇଛି। ଏସବୁ ସ୍ଥାନରେ ୩୫୦ଟି କୋଠରୀରେ ପ୍ରାୟ ୭୦୦ରୁ ଅଧିକ ପର୍ଯ୍ୟଟକଙ୍କ ରହଣୀ ବ୍ୟବସ୍ଥା କରାଯାଇଛି। ମୁଖ୍ୟତଃ ସାତକୋଶିଆ, ଶିମିଳିପାଳ, ଭିତରକନିକା, ଦେବ୍ରିଗଡ଼, ମଣ୍ଡାସରୁ, ଖଣ୍ଡାଧାର, ବିଚିତ୍ରପୁର, ଟିକରପଡ଼ା, ଛୋଟକେଇ, ରାଜହଂସ, ମଙ୍ଗଳାଯୋଡ଼ି, ଡେରାସ ଓ ଗୋଡ଼ିବାରି ଆଦି ସ୍ଥାନକୁ ଅଧିକ ପର୍ଯ୍ୟଟକଙ୍କ ଆଗମନ ହୋଇଛି। ଗତ ୫ ବର୍ଷ ମଧ୍ୟରେ ପରିବେଶ ପର୍ଯ୍ୟଟନରୁ ରାଜସ୍ବ ଆଦାୟ ୧୦୧ ପ୍ରତିଶତ ବୃଦ୍ଧି ପାଇଛି। ଏହି ବ୍ୟବସ୍ଥା ମାଧ୍ୟମରେ ସଂଗ୍ରହ ହେଉଥିବା ରାଜସ୍ବର ୮୦ ପ୍ରତିଶତ ସଂପୃକ୍ତ ପର୍ଯ୍ୟଟନ ସ୍ଥାନ ପରିଚାଳନା କରୁଥିବା କମିଟିକୁ ଦିଆଯାଏ। ୧୦ ପ୍ରତିଶତ କର୍ପସ୍‌ ପାଣ୍ଠି ଭାବେ ଗଚ୍ଛିତ ରହେ ଏବଂ ଅବଶିଷ୍ଟ ୧୦ ଭାଗ ସରକାରଙ୍କୁ ରାଜସ୍ବ ଆକାରରେ ମିଳେ। ଚଳିତ ବର୍ଷ ବରେହିପାଣି, ଚାନ୍ଦିପୁର, ଚିତ୍ରକୋଣ୍ଡା, ସତୀଗୁଡ଼ା, ନୃସିଂହନାଥ, କୋରାପୁଟର ପାଇନ୍ ଜଙ୍ଗଲ, ପାଟୋରା ଡ୍ୟାମ୍ ଓ ଟେନ୍‌ସା ଆଦି ସ୍ଥାନରେ ଆଉ ୮ଟି ନୂଆ ପରିବେଶ ପର୍ଯ୍ୟଟନ କେନ୍ଦ୍ର ବିକାଶ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା।

ପରିବେଶ ପର୍ଯ୍ୟଟନ ସ୍ଥଳୀରେ ସଫାରୀ ପର୍ଯ୍ୟଟନ, ବୋଟିଂ, ବିଶ୍ବସ୍ତରୀୟ ବ୍ୟାଖ୍ୟାନ କେନ୍ଦ୍ର, ୱାଚ୍‌ ଟାୱାର୍‌ ଆଦି ଆଧୁନିକ ସୁବିଧା ସୃଷ୍ଟି ‌କରି ସେସବୁ ସ୍ଥାନକୁ ପର୍ଯ୍ୟଟକମାନଙ୍କ ନିମନ୍ତେ ଅଧିକ ଆନନ୍ଦଦାୟକ ଓ ସ୍ମରଣୀୟ କରିବା କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ଓଡ଼ିଶାକୁ ଆସୁଥିବା ଅତିଥି ପର୍ଯ୍ୟଟକମାନେ ହିଁ ଓଡ଼ିଶା ପର୍ଯ୍ୟଟନର ପ୍ରକୃତ ବାର୍ତ୍ତାବହ। ତେଣୁ ସେମାନଙ୍କୁ ଯାତାୟତ, ଭ୍ରମଣ, ରହଣୀ, ଖାଦ୍ୟ, ସ୍ବାସ୍ଥ୍ୟ ଓ ନିରାପତ୍ତା ଆଦି ଉପରେ ବିଶେଷ ଧ୍ୟାନ ଦିଆଯିବା ଆବଶ୍ୟକ। ସ୍ଥାନୀୟ ପରିଚାଳନା କମିଟି ସଦସ୍ୟମାନଙ୍କର ଦକ୍ଷତା ବୃଦ୍ଧି କରିବା, ପରିବେଶ ପର୍ଯ୍ୟଟନର ବହୁମୁଖୀ ସୁଫଳ ବିଷୟରେ ଲୋକଙ୍କୁ ସଚେତନ କରାଇବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ଓଡ଼ିଶା ପର୍ଯ୍ୟଟନ ବିଭାଗ ସହ ସମନ୍ବିତ ଭାବେ ପରିବେଶ ପର୍ଯ୍ୟଟନ କେନ୍ଦ୍ରଗୁଡ଼ିକର ଭିତ୍ତିଭୂମି ବିକାଶ ଓ ପରିଚାଳନା କରିବା ପାଇଁ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଥିଲେ। ଉନ୍ନୟନ କମିସନର୍‌ ସୁରେଶ ଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ପର୍ଯ୍ୟଟନ ବିଭାଗର ସଚିବ ବିଶାଲ କୁମାର ଦେବ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀ, ବନ୍ୟଜନ୍ତୁ ମୁଖ୍ୟ ବନ ସଂରକ୍ଷକ ହରିଶଙ୍କର ଉପାଧ୍ୟାୟ, ପରିବେଶ ପର୍ଯ୍ୟଟନର ଭାରପ୍ରାପ୍ତ ବନ ସଂରକ୍ଷକ ଅଂଶୁପ୍ରଜ୍ଞା ଦାଶ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର