ଘରୋଇ ସ୍କୁଲରେ ମନଇଚ୍ଛା ଫି’ ଆଦାୟ: କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଚିଠି

ଭୁବନେଶ୍ବର: ରାଜ୍ୟର ଘରୋଇ ସ୍କୁଲରେ ମନଇଚ୍ଛା ଫି’ ଆଦାୟ କରିବାକୁ ନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ। ଘଟଣାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆୟୋଗ ବିଭାଗକୁ କହିଛନ୍ତି। ଓଡ଼ିଶା ଅଭି‌ଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଏନେଇ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗରେ ଦର୍ଶାଇଥିଲେ, ରାଜ୍ୟର ଅଧିକାଂଶ ଘରୋଇ ସ୍କୁଲଗୁଡ଼ିକ ମନଇଚ୍ଛା ୨୫ ପ୍ରତିଶତରୁ ଆରମ୍ଭ କରି ୨୫୦ ପ୍ରତିଶତ ପର୍ଯ୍ୟନ୍ତ ଫି’ ବୃଦ୍ଧି କରିଛନ୍ତି। ଏ ସଂକ୍ରାନ୍ତରେ ଡିଏମ୍‌ଏମ୍‌ଇର ଅତିରିକ୍ତ ଶାସନ ସଚିବଙ୍କୁ ଏକାଧିକ ଅଭିଯୋଗ କରାଯାଇଛି। ଅପରପକ୍ଷରେ ରାଜ୍ୟ ସରକାର ଘରୋଇ ସ୍କୁଲରେ ଫି’ ନିର୍ଧାରଣ କରିବା ପାଇଁ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ଫି’ ନିର୍ଧାରଣ କମିଟି ୨୦୧୮ ମସିହାରେ ଗଠନ କରିଛନ୍ତି। ଏହା ସତ୍ତ୍ବେ ଫି’ ଆଦାୟ କରୁଛନ୍ତି। ତେଣୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶ୍ରୀ ଭଟ୍ଟ ଦାବି କରିଥିଲେ। ତେବେ ସ୍କୁଲ ଫି’ ନିର୍ଧାରଣ ରାଜ୍ୟର ଅଧୀନରେ ରହିଥିବାରୁ ଏ ସଂକ୍ରାନ୍ତରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆୟୋଗ କହିଛନ୍ତି।

ସମ୍ବନ୍ଧିତ ଖବର