ଘରୋଇ ସ୍କୁଲ ଫି’ କୋହଳ ପ୍ରସଙ୍ଗ : ମଗାଯାଉଛି ମୌଖିକ ରିପୋର୍ଟ

ଭୁବନେଶ୍ବର : କରୋନା ସଂକ୍ରମଣ ଯୋଗୁଁ ଅଭିଭାବକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି। ପିଲାଙ୍କ ସ୍କୁଲ ଫି’ ଦେବା ଲାଗି ସେମାନେ ‌ଏବେ ସକ୍ଷମ ନୁହନ୍ତି। ତେଣୁ ସ୍କୁଲ ଫି’ କୋହଳ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାନୁଆରି ମାସରେ ବିଜ୍ଞପ୍ତି ପ୍ରକାଶ କରାଯାଇ ଘରୋଇ ବିଦ୍ୟାଳୟଗୁଡ଼ିକ ଏଦିଗରେ ପଦକ୍ଷେପ ନେବାକୁ କୁହାଯାଇଥିଲା। ତେବେ ହାଇକୋର୍ଟ ରାୟ ଅନୁଯାୟୀ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିକୁ ରାଜ୍ୟର ଅଧିକାଂଶ ଘରୋଇ ବିଦ୍ୟାଳୟ ପାଳନ କରୁ ନ ଥିବା ଅଭିଯୋଗ ଆସିବା ପରେ ଗଣଶିକ୍ଷା ବିଭାଗ ବଡ଼ ପଦକ୍ଷେପ ନେବାକୁ ଯାଉଛି। ନିୟମ କଡ଼ାକଡ଼ି ପାଳନ କରିବା ସହ ପଦକ୍ଷେପ ନେବାକୁ ଏହି ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ମୌଖିକ ନିର୍ଦେଶ ଦିଆଯାଇଛି।

ଏହାକୁ ଆଧାର କରି ଯାଜପୁର, ଖୋର୍ଦ୍ଧା, ସୁନ୍ଦରଗଡ଼ ଡିଇଓ ସ୍କୁଲ କର୍ତୃପକ୍ଷଙ୍କୁ ରିପୋର୍ଟ ମାଗିଛନ୍ତି। ଆଉ କିଛି ଜିଲ୍ଲା ଶିକ୍ଷା ଅଧିକାରୀ ଏଦିଗରେ ପଦକ୍ଷେପ ନେବାକୁ ସଜବାଜ ହେଉଛନ୍ତି। ତେବେ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଠୋସ୍‌ ଚିଠି ହୋଇ ନ ଥିବାରୁ ଅଧିକାରୀମାନେ ପଛଘୁଞ୍ଚା ହେଉଛନ୍ତି। ନାମ ଗୋପନ ସର୍ତ୍ତରେ କେତେଜଣ ଡିଇଓ କହିଛନ୍ତି ଯେ ଫି’ କୋହଳ ନେଇ ଆଜି ପର୍ଯ୍ୟନ୍ତ ବିଭାଗ ପକ୍ଷରୁ ଆମ ପାଖକୁ କୌଣସି ପ୍ରକାର ଚିଠି କିମ୍ବା ବିଜ୍ଞପ୍ତି ଆସିନାହିଁ। ‌ତେଣୁ ଆମେ ସ୍କୁଲଗୁଡ଼ିକୁ କୌଣସି ରିପୋର୍ଟ ମାଗିପାରୁ ନାହୁଁ। ମୌଖିକ ଆକାରରେ କୁହାଗଲେ ସେମାନେ ବି ଶୁଣୁନାହାନ୍ତି। ଯଦି ବିଭାଗର ଏଦିଗରେ ପଦ‌କ୍ଷେପ ନେଇ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଓ ବିଜ୍ଞପ୍ତି ଜାରି କରନ୍ତା ତେବେ ଆମେ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତୁ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ସରକାରଙ୍କ ବିଜ୍ଞପ୍ତିକୁ ବେସରକାରୀ ବିଦ୍ୟାଳୟଗୁଡ଼ିକ ‌ଖୋଲାଖୋଲି ଉଲ୍ଲଂଘନ କରୁଥିଲେ ମଧ୍ୟ ଗୋଟିଏ ବି ହେଲେ ସ୍କୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଅଭିଭାବକ ମହଲରେ ଏନେଇ ଅସନ୍ତୋଷ ଦାନା ବାନ୍ଧୁଥିବା ବେଳେ ସ୍କୁଲ କର୍ତୃପକ୍ଷ ଧମକ ଚମକ ଦେଉଛନ୍ତି। କେତେକ ବିଦ୍ୟାଳୟ ପିଲାଙ୍କୁ ହଇରାଣ କରୁଛନ୍ତି। ଅନ୍‌ଲାଇନ୍‌ ପାଠପଢ଼ାରୁ ପିଲାଙ୍କୁ ବଞ୍ଚିତ କରୁଛନ୍ତି। ଆଉ କିଛି ବିଦ୍ୟାଳୟ ଜୋର ଜବରଦସ୍ତ ପିଲାଙ୍କଠାରୁ ଫି’ ଆଦାୟ କାରୁଥିବା ଓଡ଼ିଶା ଅଭିଭାବକ ମହାସଂଘ ଅଭିଯୋଗ କରିଛି।

ସମ୍ବନ୍ଧିତ ଖବର