ରାଉରକେଲା: ସହରରେ ଘରୋଇ ସ୍କୁଲର ଜୁଲମ୍‌ ଦିନକୁ ଦିନ ବଢ଼ି ଚାଲିଛି। କେତେକ ନିର୍ଦ୍ଦିଷ୍ଟ ଘରୋଇ ସ୍କୁଲ ପରିଚାଳନା କମିଟି ଓ କର୍ତ୍ତୃପକ୍ଷ ବାରମ୍ବାର ଏମିତି ବାରମ୍ବାର କରୁଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ବକେୟା ଟ୍ୟୁସନ୍‌ ଫି’ ଓ ବସ୍‌ ଭଡା ନ ଦେଲେ ପିଲାମାନଙ୍କୁ ବିଭିନ୍ନ ଉପାୟରେ ହଇରାଣ ହରକତ କରାଯାଉଛି। କରୋନାରେ ଅଭିଭାବକଙ୍କ ଆର୍ଥିକ ସ୍ଥିତି ସୁଧୁରି ନଥିବାବେଳେ ସ୍କୁଲ କର୍ତ୍ତୃପକ୍ଷ ମନଇଚ୍ଛା ଟ୍ୟୁସନ୍‌ ଫି’ ବୃଦ୍ଧି କରୁଛନ୍ତି। ଘରୋଇ ସ୍କୁଲର ଏଭଳି ଜୁଲମ୍‌ ବିରୋଧରେ ଅଭିଭାବକମାନେ ଥରେ ନୁହେଁ, ଅନେକବାର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ ପ୍ରଶାସନ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଆଜି ସେକ୍ଟର-୨୧ ନୟାବଜାର ସ୍ଥିତି ଗୁରୁ ନାନକ ପବ୍ଲିକ ସ୍କୁଲରେ ଏମିତି ସ୍ଥିତି ଉପୁଜିଥିଲା। କିଛି ଅଭିଭାବକ ଟ୍ୟୁସନ୍‌ ଫି’ ଓ ବସ୍‌ ଭଡା ବାକି ଥିବାରୁ ସେମାନଙ୍କୁ ପିଲାଙ୍କୁ ସ୍କୁଲ ଭିତରକୁ ପଶିବାକୁ ଦିଆଯାଇ ନଥିଲା।

Advertisment

ଅଭିଭାବକମାନେ କଡା ବିରୋଧ କରିଥିଲେ। ଯାହାକୁ କେନ୍ଦ୍ରକରି ଉଭୟ ଅଭିଭାବକ ଓ ସ୍କୁଲ କର୍ମଚାରୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ସ୍କୁଲ କର୍ତ୍ତୃପକ୍ଷ ଅଭିଭାବକମାନଙ୍କର କୌଣସି କଥା ନ ଶୁଣିଥିଲେ। ସ୍କୁଲ କର୍ତ୍ତୃପକ୍ଷଙ୍କ ଏଭଳି ଅମାନବୀୟ କାର୍ଯ୍ୟ ପ୍ରତିବାଦରେ ଅଭିଭାବକମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ। ସେମାନଙ୍କ ଦୁଃଖ ଜଣାଇଥିଲେ। ମାତ୍ର ଅତିରିକ୍ତ ଜିଲ୍ଲାପାଳ ଘଟଣାର ହସ୍ତକ୍ଷେପ କରିବାକୁ କୌଣସି ପ୍ରତିଶ୍ରୁତି ଦେଇ ନଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଅଭିଭାବକମାନେ କହିଛନ୍ତି, ସ୍କୁଲ କର୍ତ୍ତୃପକ୍ଷ ୬୦% ସ୍କୁଲ ଭଡା ବୃଦ୍ଧି କରିଛନ୍ତି। କୋଭିଡ୍‌ ସମୟରେ ଦୁଇ ବର୍ଷ ବସ୍‌ ଚଳାଚଳ ବନ୍ଦ ରହିଥିଲା। କିନ୍ତୁ ସ୍କୁଲ କର୍ତ୍ତୃପକ୍ଷ ବସ୍‌ ନ ଚାଲିବା ସତ୍ବେ ଦୁଇ ବର୍ଷର ଭଡା ଦେବାକୁ ଦାବି କରୁଛନ୍ତି। କେବଳ ଗୁରୁ ନାନକ ପବ୍ଲିକ ସ୍କୁଲ ନୁହେଁ ସହରର ଅନ୍ୟ କେତେକ ଘରୋଇ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ସ୍କୁଲ ଅନ୍‌ ଲାଇନ୍‌ ପାଠ ପଢ଼ାଇ ବର୍ଦ୍ଧିତ ଟ୍ୟୁସନ୍‌ ଫି ଦେବାକୁ ପିଲାମାନଙ୍କୁ ଦାଗିଦ୍‌ କରୁଛନ୍ତି। ସହରରେ ଏଭଳି ଘରୋଇ ସ୍କୁଲ ଜୁଲମ୍‌କୁ ରୋକିବାକୁ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିବାକୁ ଅଭିଭାବମାନେ ନିବେଦନ କରିଛନ୍ତି।