ସରକାରଙ୍କ ନିର୍ଦ୍ଦେଶ ମାନୁନାହାନ୍ତି ଘରୋଇ ସ୍କୁଲ, ଫି’ କୋହଳ କରୁନାହାନ୍ତି

ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ, କୋହଳ ଫି’ ଦେଉ ନାହାନ୍ତି ଅମାନିଆ ଅଭିଭାବକ

ଭୁବନେଶ୍ବର: କରୋନା ସଂକ୍ରମଣ ଯୋଗୁଁ ଅଭିଭାବକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି। ପିଲାଙ୍କ ସ୍କୁଲ ଫି’ ଦେବା ଲାଗି ସେମାନେ ‌ଏବେ ସକ୍ଷମ ନୁହଁନ୍ତି। ତେଣୁ ସ୍କୁଲ ଫି’ କୋହଳ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାନୁଆରି ମାସରେ ବିଜ୍ଞପ୍ତି ପ୍ରକାଶ କରାଯାଇ ଘରୋଇ ବିଦ୍ୟାଳୟଗୁଡ଼ିକ ଏ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଥିଲା। ତେବେ ହାଇକୋର୍ଟଙ୍କ ରାୟ ଉପରେ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିକୁ ରାଜଧାନୀର ଅଧିକାଂଶ ଘରୋଇ ବିଦ୍ୟାଳୟ ପାଳନ କରୁ ନ ଥିବା ଏବେ ନଜରକୁ ଆସିଛି। ଡଜନ୍‌ରୁ ଅଧିକ ନାମକରା ବିଦ୍ୟାଳୟ ଖୁଲମ୍‌ଖୁଲା ନିୟମକୁ ଉଲ୍ଲଂଘନ କରୁଛନ୍ତି। ସ୍କୁଲ ଫି’ ଦାଖଲ କରିବାକୁ ଅଭିଭାବକଙ୍କୁ ଚାପ ପକାଉଛନ୍ତି। କେତେକ ବିଦ୍ୟାଳୟ ସବୁ ସୀମା ଟପି ଯାଇ ଜୋରଜବରଦସ୍ତ ଫି’ ଆଦାୟ କରୁଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି।

ବଡ଼ଗଡ଼, ଚନ୍ଦ୍ରଶେଖରପୁର ଓ ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା କିଛି ନାମକରା ବିଦ୍ୟାଳୟ ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ସଠିକ୍‌ ଭାବେ କାର୍ଯ୍ୟକାରୀ କରୁନାହାନ୍ତି। ମନଇଚ୍ଛା ଅଭିଭାବକଙ୍କୁ ବିଭ୍ରାନ୍ତି କଲା ଭଳି ସ୍ଲାବ ତିଆରି କରି ଫି’ ଆଦାୟ କରୁଥିବା ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି। ସେ କହିଛନ୍ତି ଯେ ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପାଇବା କ୍ଷଣି କେତେକ ବିଦ୍ୟାଳୟ ଏ ଦିଗରେ ପଦକ୍ଷେପ ନେଇଥିଲେ। ଫି’ କୋହଳ ନେଇ ଅଭିଭାବକଙ୍କୁ ଅବଗତ କରାଯାଇଥିଲା। ତେବେ କିଛି ବିଦ୍ୟାଳୟ ଅଭ୍ୟାସଗତ ଭାବେ ବିଶୃଙ୍ଖଳା କରି ଚାଲିଛନ୍ତି। ସରକାରଙ୍କ ନିର୍ଦ୍ଦେଶ ନ ମାନି ଅଭିଭାବକଙ୍କୁ ହଇରାଣ କରୁଛନ୍ତି। ତେଣୁ ବିଭାଗ ଏ ଦିଗରେ ପଦକ୍ଷେପ ନେଉ। ବିଜ୍ଞପ୍ତିକୁ ଶତ ପ୍ରତିଶତ କାର୍ଯ୍ୟକାରୀ ସହ ଅମାନିଆ ସ୍କୁଲର ମାନ୍ୟତା ବା ସ୍ୱୀକୃତି ପ୍ରତ୍ୟାହାର କରାଯାଉ। ନ ହେଲେ ଆଗାମୀ ଦିଗରେ ମହାସଂଘ ରାଜରାସ୍ତାକୁ ଓହ୍ଲାଇବ।

ଅନ୍ୟପକ୍ଷରେ ଫେବ୍ରୁଆରି ୨୫ରୁ ରାଜଧାନୀର କେତେକ ବିଦ୍ୟାଳୟ ସମ୍ମୁଖରେ ଅଭିଭାବକମାନେ ଆମରଣ ଅନଶନ କରିବାକୁ ଚେତା‌ବନୀ ଦେବା ପରେ ଜିଲ୍ଲା ପ୍ରଶାସନ ନିଦ ଭାଙ୍ଗିଛି। ଖୋର୍ଧା ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଅଭିଭାବକ ମହାସଂଘର ପ୍ରତିନିଧିଙ୍କ ସହ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ ସ୍ୱାଇଁଙ୍କ ଉପସ୍ଥିତିରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ବନ୍ଦନା ମହାପାତ୍ର, ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ସନ୍ତୋଷ କୁମାର ରାଉତ ପ୍ରମୁଖ ଆଲୋଚନା କରିଛନ୍ତି। ଫି’ ଛାଡ଼ ବିଜ୍ଞପ୍ତିକୁ ସଠିକ୍‌ ଭାବେ କାର୍ଯ୍ୟକାରୀ କରିବା ସହ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିଶ୍ରୁତି ମିଳିବା ପରେ ଅଭିଭାବକଙ୍କ ଆମରଣ ଅନଶନକୁ ଏବେ ସ୍ଥଗିତ ରଖାଗଲା ବୋଲି ମହାସଂଘର ସହ ଅଧ୍ୟକ୍ଷ ଭୂମୋହନ ପଟ୍ଟନାୟକ, ପ୍ରସନ୍ନ ବିଷୋୟୀ, ସତ୍ୟବ୍ରତ ପରିଜା, ପ୍ରଦୀପ୍ତ ମିଶ୍ର, ଶିଶିର ସାହୁ, ଆଶୁରଞ୍ଜନ ମହାନ୍ତି, ଅଶୋକ ପଟ୍ଟନାୟକ ପ୍ରମୁଖ କହିଛନ୍ତି।

ସେପଟେ କେତେକ ଘରୋଇ ବିଦ୍ୟାଳୟ ବି ଅଭିଭାବକଙ୍କ ବିରୋଧ ଅଭିଯୋଗ ଆଣିଛନ୍ତି। କରୋନା ସମୟରେ ପିଲାଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଗଲା। ପିଲାଙ୍କୁ ଅନ୍‌ଲାଇନ୍‌ରେ ଶିକ୍ଷା ଦିଆଗଲା। ଦିନ ରାତି ଏକ କରି ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ପିଲାଙ୍କୁ ପଢ଼ାଇଲେ। ସରକାରଙ୍କ ବିଜ୍ଞପ୍ତି ପରେ କୋହଳ ଫି’ ଦାଖଲ କରିବାକୁ ଅଭିଭାବକଙ୍କୁ ବାରମ୍ବାର କୁହାଗଲାଣି। ତା’ ପରେ ବି କେତେକ ଅମାନିଆ ଅଭିଭାବକ ଫି’ ଦେଉନାହାନ୍ତି। ତେଣୁ ପିଲାଙ୍କୁ ଅନ୍‌ଲାଇନ୍‌ ଶିକ୍ଷା ଦେବା ନେଇ ଏବେ ସମସ୍ୟା ସୃଷ୍ଟି ହେଉଛି। ପ୍ରଶାସନ ଏ ଦିଗରେ ବି ପଦକ୍ଷେପ ନେବା ଆବଶ୍ୟକ।

ସମ୍ବନ୍ଧିତ ଖବର