ଓପିଏଏଫ୍‌ର ଦାବି : ଏନ୍‌ଓସି ପାଇ ନ ଥିବା ବିଦ୍ୟାଳୟଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ

ଭୁବନେଶ୍ବର : ସରକାରୀ ବିଦ୍ୟାଳୟଗୁଡ଼ିକର ଅଧୋଗତି ଓ ବେସରକାରୀ ବିଦ୍ୟାଳୟଗୁଡ଼ିକର ଉତ୍‌ଥାନ ‌ଏକ ଲାଭଜନକ ବ୍ୟବସାୟରେ ପରିଣତ ହୋଇଛି। ବେସରକାରୀ ବିଦ୍ୟାଳୟ ଉପରେ କୌଣସି ନିୟନ୍ତ୍ରଣ ନ ଥିବାରୁ ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଏକ ଆଇନ ପ୍ରଣୟନ କରାଯିବା ନେଇ ଦାବି ହୋଇ ଆସୁଥିଲେ ହେଁ ସରକାର ଏନେଇ ଧ୍ୟାନ ଦେଉ ନାହାନ୍ତି। ‌ଏଥିପାଇଁ କୌଣସି ଚିଠି ପ୍ରସ୍ତୁତ ନ କରି ଏଫ୍‌ଆରସି ଗଠନ କରି ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାରେ ବିଫଳ ହୋଇଛନ୍ତି ବୋଲି କହିଛି ଅର୍ଗାନାଇଜେସନ୍ ଅଫ ପ୍ୟାରେଣ୍ଟ ଆସୋସିଏସନ୍ ଫୋରମ୍ ବା ଓପିଏଏଫ୍‌।

ଆଜି ନେହରୁ ଯୁବ ପ୍ରତିଷ୍ଠାନରେ ଓପିଏଫ୍‌ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ଗଗନ ବିହାରୀ ରାଉତ କହିଲେ, ରାଜ୍ୟରେ ୫୭୭୯ ଘରୋଇ ବିଦ୍ୟାଳୟ ଖୋଲିଥିବା ବେଳେ ଦୀର୍ଘଦିନର ବ୍ୟବଧାନରେ ୨୯୨ଟି ବିଦ୍ୟାଳୟକୁ ଏନ୍‌ଓସି ପ୍ରଦାନ କରାଯାଇଛି। ତେବେ ଯେଉଁ ବିଦ୍ୟାଳୟଗୁଡ଼ିକ ଏନ୍‌ଓସି ପାଇ ନାହାନ୍ତି ସେଥିରେ ମଧ୍ୟ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ୨୦୧୫ ମସିହାରେ ରାଜ୍ୟ ସରକାର ଏହି ବିଦ୍ୟାଳୟଗୁଡ଼ିକରେ ପଢ଼ୁଥିବା ପିଲାଙ୍କ ପାଇଁ ସରକାର ଦାୟୀ ନୁହନ୍ତି ବୋଲି ମନ୍ତବ୍ୟ ଦେଇଥିଲେ। ମାତ୍ର ଏନ୍‌ଓସି ପାଇ ନ ଥିବା ବିଦ୍ୟାଳୟ ମାଲିକଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ଶ୍ରୀ ରାଉତ ପ୍ରଶ୍ନ କରିଛନ୍ତି। ଚଳିତବର୍ଷ ନୂତନଭାବେ ଆଡମିସନ୍‌ ପାଇଁ ଉକ୍ତ ବିଦ୍ୟାଳୟଗୁଡ଼ିକୁ ବାରଣ କରାଯାଉ। ଜାତୀୟ ଶିଶୁ ଅଧିକାର ଆୟୋଗ ବା ଏନ୍‌ସିପିସିଆରରେ ଶିଶୁ ସଂପର୍କିତ ନିୟମଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରାଯାଉ। ଯେଉଁ ବିଦ୍ୟାଳୟଗୁଡ଼ିକ ଏହି ନିୟମ ମାନୁ ନାହାନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ତେଣୁ ରାଜ୍ୟ ସରକାର ଏକ ରେଗୁଲେଟିଂ ଆଇନ ପ୍ରଣୟନ କରିବାକୁ ସଂଘ ପକ୍ଷରୁ ଦାବି ହୋଇଛି। ଏହି ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକାରୀ ସଭାପତି ସଂଯୁକ୍ତା ପାଣିଗ୍ରାହୀ, ସଂପାଦିକା ମିତାରାଣୀ ସାହୁ, ନନ୍ଦକିଶୋର ମଲ୍ଲିକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର