ଭୁବନେଶ୍ବର: ଏପର୍ଯ୍ୟନ୍ତ କେତେ ସଂଖ୍ୟକ ଘରୋଇ ସ୍କୁଲ ମାନ୍ୟତା ପାଇଛି। କେଉଁ ସ୍କୁଲଗୁଡ଼ିକ ମାନ୍ୟତା ସାର୍ଟିଫିକେଟ୍ ପାଇନାହାନ୍ତି। ସେମାନଙ୍କ ବିରୋଧରେ କି କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତାଗିଦ୍ କରାଯାଇଛି କି ନାହିଁ। ଯଦି ମାନ୍ୟତା ସାର୍ଟିଫିକେଟ୍ ମିଳିନି ତେବେ ଏଦିଗରେ କ’ଣ ପଦକ୍ଷେପ ନେଇଛ। ସ୍କୁଲ ବନ୍ଦ କରାଯାଇଛି କି? ସେଠାରେ ଛାତ୍ରଛାତ୍ରୀଙ୍କ ନାମଲେଖା ହେଉନି କି? ନାମଲେଖା ଋତୁ ଆରମ୍ଭ ହେବା ପୂର୍ବରୁ ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଏଭଳି ଢଙ୍ଗରେ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କଠାରୁ ରିପୋର୍ଟ ତଲବ କରାଯାଇଛି। ଯେତେଶୀଘ୍ର ସମ୍ଭବ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି। ଫଳସ୍ବରୂପ ସ୍କୁଲଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ।
ଆହୁରି ମଧ୍ୟ କୁହାଯାଇଛି ଯେ ୨୦୧୯ ମାର୍ଚ୍ଚ ୧୬ ତାରିଖରେ ନିର୍ଦେଶାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ଯେଉଁଥିରେ କୁହାଯାଇଥିଲା ଯେ ବିନା ସିଓଆର(ସାର୍ଟିଫିକେଟ୍ ଅଫ୍ ରେକୋଗ୍ନେସନ)ରେ ଚାଲିଥିବା ଘରୋଇ ସ୍କୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ। କାରଣଦର୍ଶାଅ ନୋଟିସ୍ ପଠାଇବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପରାମର୍ଶ ଦିଆଯାଇଥିଲା। ଇତି ମଧ୍ୟରେ ଦେଢ଼ ବର୍ଷ ହେବାକୁ ବସିଲାଣି। ତେଣୁ ସ୍କୁଲଗୁଡ଼ିକ ବିରୋଧରେ କ’ଣ ସବୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଜଣାଇବାକୁ ନିର୍ଦେଶ ଦିଆଯାଇଛି।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତଥ୍ୟ ଅନୁଯାୟୀ ୨୦୧୭-୧୮ ତଥ୍ୟ ଅନୁଯାୟୀ ରାଜ୍ୟରେ ୫ ହଜାର ୭୭୯ଟି ଘରୋଇ ସ୍କୁଲ ରହିଥିଲା। ସେଥିମଧ୍ୟରୁ ୫ ହଜାର ୫୬୬ଟି ସ୍କୁଲ ସିଓଆର ପାଇଁ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ କେତେ ସଂଖ୍ୟକ ସ୍କୁଲ ମାନ୍ୟତା ପାଇଛନ୍ତି ସେନେଇ ଏପର୍ଯ୍ୟନ୍ତ କୌଣସି ସଠିକ୍ ତଥ୍ୟ ବିଭାଗ ନିକଟରେ ନାହିଁ। ଇତି ମଧ୍ୟରେ ସରକାରୀ ସ୍କୁଲରେ ନାମଲେଖା ଆରମ୍ଭ ହୋଇଗଲାଣି। ପ୍ରଥମ ପର୍ଯ୍ୟାୟ ନାମଲେଖା ସରିଛି। କୋଭିଡ୍-୧୯ କଟକଣା ଜାରି ରହିଥିବାରୁ ଅଗଷ୍ଟ ୧୪ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଚାଲିଛି। ଯେଉଁ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଇ ନାହାନ୍ତି ସେମାନେ ଏହାର ସୁଯୋଗ ନେଇପାରିବେ। ଘରୋଇ ସ୍କୁଲରେ ନାମଲେଖା ଲାଗି କୌଣସି ନିର୍ଦେଶନାମା ଜାରି ହୋଇନି। ତା’ପରେ ବି କେତେକ ବିଦ୍ୟାଳୟ ନାମଲେଖା ଆରମ୍ଭ କରିଦେଇଛନ୍ତି। ତାହାକୁ ଦୃଷ୍ଟିରେ ରଖି ବିଭାଗ ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ ଏଭଳି ପଦକ୍ଷେପ ନେଇଛି।