ବିନା ସ୍ବୀକୃତି ପ୍ରମାଣପତ୍ରରେ ଚାଲିଛି ଘରୋଇ ସ୍କୁଲ୍‌, ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ : ମନ୍ତ୍ରୀ

ଭୁବନେଶ୍ବର : ଶିକ୍ଷା ଅଧିକାର ଅଧିନିୟମ-୨୦୦୯‌ ଅନୁଯାୟୀ ସମସ୍ତ ଘରୋଇ ସ୍କୁଲ୍‌ ସରକାରଙ୍କ ଠାରୁ ସ୍ବୀକୃତି ପ୍ରମାଣପତ୍ର(ସିଓଆର୍‌) ନେବେ। ଆର୍‌ଟିଇ ନିୟମ ପାଳନ କରୁଥିବା ପ୍ରତ୍ୟେକ ଘରୋଇ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୫ ବର୍ଷ ପାଇଁ ସିଓଆର୍‌ ପ୍ରଦାନ କରାଯାଉଛି। କିନ୍ତୁ ଓଡ଼ିଶାରେ ବହୁ ସ୍କୁଲ୍‌ ବିନା ସିଓଆର୍‌ରେ ଚାଲୁଛି। ଆଜି ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।

ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ୨୦୧୯-୨୦ ଶିକ୍ଷା ବର୍ଷରେ ୮୪୦ଟି ଘରୋଇ ସ୍କୁଲ୍‌ ସ୍ବୀକୃତି ପ୍ରମାଣପତ୍ର ପାଇଁ ସରକାରଙ୍କୁ ଆବେଦନ କରିଥିଲେ। ତାହା ମଧ୍ୟରୁ ୪୮୯ଟି ସ୍କୁଲ୍‌କୁ ସିଓଆର୍‌ ଦିଆଯାଇଛି। ୩୫୧ ସ୍କୁଲ୍‌ ସିଓଆର୍‌ ପାଇ ନାହାନ୍ତି। ତାହା ମଧ୍ୟରୁ ଜଗତସିଂହପୁରର ସର୍ବାଧିକ ୧୧୬ଟି ସ୍କୁଲ୍‌ ଅଛନ୍ତି। ସେହିପରି ୨୦୧୭-୧୮ରେ ଆବେଦନ କରିଥିବା ୩୯୫୫ଟି ଘରୋଇ ସ୍କୁଲ୍‌ ମଧ୍ୟରୁ ୩୩୫୦ଟି ସ୍କୁଲ୍‌କୁ ସିଇଓଆର୍‌ ପ୍ରଦାନ କରାଯାଇଥିଲା ବେଳେ ୬୦୫ଟିକୁ ପ୍ରଦାନ କରାଯାଇ ନ ଥିଲା। ୨୦୧୮-୧୯ରେ ଆବେଦନ କରିଥିବା ୯୨୭ଟି ସ୍କୁଲ୍‌ ମଧ୍ୟରୁ ୨୫୯ଟିକୁ ସିଓଆର୍‌ ପ୍ରଦାନ କରାଯାଇ ନ ଥିଲା।

ମନ୍ତ୍ରୀ ଆହୁରି ଜଣାଇଛନ୍ତି, ଯେଉଁ ସ୍କୁଲ୍‌ଗୁଡ଼ିକ ସିଓଆର୍‌ ପାଇଁ ଆବେଦନ କରୁ ନାହାନ୍ତି କିମ୍ବା ବିନା ସିଓଆର୍‌ରେ ସ୍କୁଲ୍‌ ଚଳାଉଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହି ଅନୁଯାୟୀ ଜିଲ୍ଲା ଶିକ୍ଷା ଅଧିକାରୀମାନେ ଏପରି ସ୍କୁଲ୍ କର୍ତ୍ତୃପକ୍ଷମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ସ୍କୁଲ୍‌ଗୁଡ଼ିକ ଦେଉଥିବା କାରଣ ଦର୍ଶାଅ ନୋଟିସ୍‌ର ଉତ୍ତର ସନ୍ତୋଷଜନକ ନ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର