ସରକାରୀ ଶିକ୍ଷକଙ୍କୁ ଟ୍ୟୁସନ ମନା
ଭୁବନେଶ୍ବର : ମାଟ୍ରିକ୍ ସମେତ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟରେ ପାସ୍ହାର କମିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଦ ହଜିଯାଇଛି। କାହିଁକି କମୁଛି ପାସ୍ହାର? କେଉଁଠି ରହୁଛି ତ୍ରୁଟି? ଶିକ୍ଷକ କ୍ଲାସରେ ପଢ଼ାଉ ନାହାନ୍ତି ନା ଛାତ୍ରଛାତ୍ରୀ ପଢ଼ୁନାହାନ୍ତି? କ’ଣ ହେଉଛି ଅସୁବିଧା? ମାସେ ହେଲା ଏହାକୁ ନେଇ ଗଣଶିକ୍ଷା ବିଭାଗ ଅଧିକାରୀଙ୍କ ଘନଘନ ବୈଠକ ବସୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ପରୀକ୍ଷା ଫଳ ତର୍ଜମା କରାଯିବା ସହ ପୂର୍ବରୁ ହୋଇଥିବା ନିୟମଗୁଡ଼ିକ କିଭଳି କାର୍ଯ୍ୟକାରୀ ହେଉଛି ତାହାର ଅନୁଧ୍ୟାନ କରାଯାଉଛି। ପିଲା ହେଉ ନଥିବା, ଭିତ୍ତିଭୂମି ସୁଦୃଢ଼ ନ ଥିବା, କମ୍ ପିଲା ଥିବା ବିଦ୍ୟାଳୟଗୁଡ଼ିକ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ଏବେ ବେତନଭୋଗୀ ଶିକ୍ଷକ ଓ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଅଣ୍ଟା ଭିଡ଼ିଛି ବିଭାଗ।
୨୦୧୭ରେ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଜାରି ହୋଇଥିବା ଗାଇଡ୍ଲାଇନ୍ ଅନୁଯାୟୀ କୌଣସି ବେତନଭୋଗୀ ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ ଓ ଅଧ୍ୟାପକ କୋଚିଂ ସେଣ୍ଟର କିମ୍ବା ଟ୍ୟୁସନରେ ପଢ଼ାଇ ପାରିବେ ନାହିଁ। କୋଚିଂ ସେଣ୍ଟର ଯିବା ଲାଗି ଛାତ୍ରଛାତ୍ରୀଙ୍କ ଉପରେ ଚାପ ସୃଷ୍ଟି କରିପାରିବେ ନାହିଁ। ଯଦି କୌଣସି ଶିକ୍ଷକ, ଅଧ୍ୟାପକ ଏଭଳି କାର୍ଯ୍ୟରେ ଲିପ୍ତ ରହିଥାନ୍ତି ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ଥିର ହୋଇଥିଲା। ତେବେ ସରକାରୀ ଅଧିକାରୀଙ୍କ ଅବହେଳା ଅଭାବରୁ ନିୟମ ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରି ନଥିଲା। ଏବେ ପୁରୁଣା ନିୟମକୁ ଲାଗୁ କରିବା ଲାଗି ବିଭାଗ ଅଣ୍ଟା ଭିଡ଼ିଛି। ବିଦ୍ୟାଳୟ ଉପରେ ଅଚାନକ ଚଢ଼ଉ କରାଯାଇ ଶିକ୍ଷକମାନଙ୍କ ଉପସ୍ଥାନ ଓ କୋଚିଂ ସେଣ୍ଟରର ଭିତ୍ତିଭୂମି ଯାଞ୍ଚ କରିବାକୁ ବି ନିଷ୍ପତ୍ତି ନିଆଯାଇଛି।
ଅଭିଯୋଗ ଅନୁଯାୟୀ ଯେଉଁ ସମୟରେ ଶିକ୍ଷକ ଓ ଅଧ୍ୟାପକମାନେ ସ୍କୁଲରେ କ୍ଲାସ ନେବା କଥା ସେତେବେଳେ କୋଚି˚ ସେଣ୍ଟରେ ପଢ଼ାଇବାକୁ ଯାଉଛନ୍ତି। କେତେକ ବିଦ୍ୟାଳୟ ଓ କଲେଜର ଶିକ୍ଷକ ପିଲାଙ୍କୁ କୋଚି˚ ସେଣ୍ଟର ଯିବା ଲାଗି ଚାପ ପକାଉଛନ୍ତି। କୋଚି˚ ସେଣ୍ଟର ଗଲେ ମାଟ୍ରିକ୍ ପରୀକ୍ଷାରେ ଭଲ ମାର୍କ ରହିବ ବୋଲି ଶିକ୍ଷକମାନେ ପ୍ରତିଶ୍ରୁତି ଦେଉଛନ୍ତି। ବିଶେଷକରି ଗଣିତ, ଇ˚ରାଜୀ ଓ ବିଜ୍ଞାନ ଶିକ୍ଷକ ଏଭଳି କରୁଥିବା ନଜରକୁ ଆସିଛି। ଭୁବନେଶ୍ବର, କଟକ, ରାଉରକେଲା, ବାଲେଶ୍ବର, ବ୍ରହ୍ମପୁର, ସମ୍ବଲପୁର ସମେତ ସହରାଞ୍ଚଳରେ ଥିବା ବିଦ୍ୟାଳୟରେ ଏଭଳି ଅଭିଯୋଗ ଆସିଥିବା ବିଭାଗର ଜଣେ ଅଧିକାରୀ କହିଛନ୍ତି।
୨୦୧୭ରେ ଅନୁରୂପ ଭାବେ ସମସ୍ୟା ସାମ୍ନାକୁ ଆସିଥିଲା। ଯେଉଁଥିପାଇଁ ୨୦୧୭-୧୮ ଶିକ୍ଷାବର୍ଷ ଆରମ୍ଭରୁ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖାଯାଇ ନିୟମକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଥିଲା। ସେତେବେଳେର ନିର୍ଦେଶକ ଲେଖିଥିବା ଚିଠିରେ ଉଲ୍ଲେଖ କରିଥିଲେ ଯେ, ଶିକ୍ଷକମାନେ ନିୟମ ଉଲ୍ଲ˚ଘନ କରୁଥିବାରୁ ଡିଇଓମାନେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ଦରକାର। ଯେଉଁ ଅଞ୍ଚଳରୁ ଅଭିଯୋଗ ଆସୁଛି ସେଠାରେ ବାରମ୍ବାର ଚଢ଼ଉ କରି ପଦକ୍ଷେପ ନେବାକୁ କୁହାଯାଇଥିଲା। ଏଥିସହ ଯଦି ଶିକ୍ଷକ ବିଳମ୍ବରେ ଆସୁଥିବା ନଜରକୁ ଆସେ ତାଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରିବାକୁ ନିର୍ଦେଶ ଦିଆଯାଇଥିଲା।
ଅନ୍ୟପକ୍ଷରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଯୁକ୍ତ୨ ଓ ଯୁକ୍ତ୩ କଲେଜରେ ପଢ଼ାଉଥିବା ଅଧ୍ୟାପକଙ୍କ ତାଲିକା ମାଗିଛନ୍ତି ଦୁଇ ଶିକ୍ଷା ବିଭାଗ। ଜୁନ୍ ୩୦ ସୁଦ୍ଧା ୱେବସାଇଟ୍ରେ ତାଲିକା ପ୍ରଦାନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ସେହିପରି ବେଆଇନ ଭାବେ ଚାଲୁଥିବା କୋଚିଂ ସେଣ୍ଟରଗୁଡ଼ିକ ଉପରେ ଚଢ଼ଉ କରିବାକୁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ। ବିଭାଗୀୟ ମନ୍ତ୍ରୀ ସମୀର ଦାଶ ଆଜି ଗଣମାଧ୍ୟମରେ କହିଛନ୍ତି ଯେ ଅଭିଯୋଗ ଆସିବା ପରେ ସମୀକ୍ଷା କରାଯାଇଛି। ଯେଉଁ ଅନୁଷ୍ଠାନ ବିରୋଧରେ ଅଭିଯୋଗ ଆସିଛି ତାହାକୁ ଯାଞ୍ଚ କରାଯିବ। ଏହାପରେ କିଭଳି କାର୍ଯ୍ୟାନୁଷ୍ଠାନ ହେବ ସେନେଇ ଆଲୋଚନା ହେବ।