ଘରୋଇ ବିଶ୍ବବିଦ୍ୟାଳୟ ସିଏଫ୍‌ଓଙ୍କ ଜାଲିଆତି : ହିମାଂଶୁଙ୍କ ଆକାଉଣ୍ଟକୁ ଅଚଳ କଲା ପୁଲିସ

କୋଟିଏକୁ ବଢ଼ିଲାଣି ହଡ଼ପ ଅର୍ଥ ପରିମାଣ

ଭୁବନେଶ୍ବର : ଜଟଣୀସ୍ଥିତ ସେଞ୍ଚୁରିଅନ୍‌ ବିଶ୍ବବିଦ୍ୟାଳୟର ଟଙ୍କା ହଡ଼ପ ପରିମାଣ ବଢ଼ିଛି। ୮୪ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ନେଇ ପ୍ରଥମେ ଅଭିଯୋଗ ହୋଇଥିବା ବେଳେ ତଦନ୍ତ ସମୟରେ ଏହାର ପରିମାଣ ୧ କୋଟି ୩ ଲକ୍ଷ ଟଙ୍କାକୁ ବଢିଥିବା ପୁଲିସ ଜାଣିବାକୁ ପାଇଛି। ଘଟଣା ପଛର ମାଷ୍ଟରମାଇଣ୍ଡ ତଥା ବିଶ୍ବବିଦ୍ୟାଳୟର ମୁଖ୍ୟ ବିତ୍ତ ଅଧିକାରୀ(ସିଏଫ୍ଓ) ହିମାଂଶୁ ଶେଖର କବି ସାଂଘାତିକ ଜାଲିଆତି କରିଥିବା ସୂଚନା ମିଳିଛି। ହିମାଂଶୁଙ୍କ ବିରୋଧରେ ପୁଲିସ ଯଥେଷ୍ଟ ପ୍ରମାଣ ଯୋଗାଡ଼ କରିଛି। କିନ୍ତୁ ହିମାଂଶୁ ଏବେ ବି ଫେରାର ଥିବା ବେଳେ ତାଙ୍କର ପତ୍ତା ମିଳୁନି।

ପୁଲିସ ସୂଚନା ଅନୁସାରେ, ବିଶ୍ବବିଦ୍ୟାଳୟକୁ ବିଭିନ୍ନ ସାମଗ୍ରୀ ଯୋଗାଇବା ସହ ଅନ୍ୟ କାମ ପାଇଁ କେତେକ ସଂସ୍ଥା ସହ ଚୁକ୍ତି ରହିଛି। ଶ୍ରୀ ଭେଞ୍ଚର୍ସ, ସାଇସାନୁ ଏଣ୍ଟରପ୍ରାଇଜେସ୍ ଓ ଏସ୍.ଏସ୍ ଏଣ୍ଟରପ୍ରାଇଜେସର ବିଶ୍ବବିଦ୍ୟାଳୟ ସହ କୌଣସି ବ୍ୟବସାୟିକ ସମ୍ପର୍କ ନାହିଁ। କିନ୍ତୁ ସିଏଫ୍ଓ ହିମାଂଶୁ କବି ବିଶ୍ବବିଦ୍ୟାଳୟ ତାଲିକାରେ ତିନୋଟି ନାଁ ଚଢାଇ ଦେଇଥିଲେ। ଏହି ତିନୋଟି ସଂସ୍ଥାର ବ୍ୟାଙ୍କ ଆକାଉଣ୍ଟକୁ ବିଭିନ୍ନ ସମୟରେ ବିଶ୍ବବିଦ୍ୟାଳୟ ଆକାଉଣ୍ଟରୁ ୧ କୋଟି ୩ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ ହିମାଂଶୁ। ପରବର୍ତ୍ତୀ ସମୟରେ ସେହି ଅର୍ଥରୁ ଲକ୍ଷାଧିକ ଟଙ୍କା ହିମାଂଶୁ ଓ ତାଙ୍କ ପରିବାର ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫେରିଥିଲା। ହିମାଂଶୁଙ୍କ ପରିବାର ଲୋକଙ୍କ ନାଁରେ ଫିକ୍ସ ଡିପୋଜିଟ୍ ମଧ୍ୟ ରହିଛି। ସେହି ଆକାଉଣ୍ଟ ଓ ଫିକ୍ସଡ୍ ଡିପୋଜିଟକୁ ପୁଲିସ ଅଚ​ଳ(ଫ୍ରିଜ୍) କରି ଦେଇଛି। ହିମାଂଶୁ ଓ ତାଙ୍କ ପରିବାର ଲୋକଙ୍କ ପାଖକୁ କେତେ ଟଙ୍କା ଆସିଛି? କେତେ ଟଙ୍କା ସହଯୋଗୀମାନଙ୍କ ପାଖକୁ ଯାଇଛି? ତାହାର ହିସାବ କିତାବ ଚାଲିଥିବା ଜଟଣୀ ଥାନାଧିକାରୀ ବିଶ୍ବରଞ୍ଜନ ସାହୁ କହିଛନ୍ତି। ହିମାଂଶୁ ଏ ସବୁ ଜାଲିଆତି କରିଥିବା ସ୍ପଷ୍ଟ ହୋଇ ସାରିଛି। ତାଙ୍କୁ ଗିରଫ କରିବା ପାଇଁ ଚଢ଼ଉ ଜାରି ରହିଥିବା ପୁଲିସ କହିଛି।

ସୂଚନାଯୋଗ୍ୟ, ଶ୍ରୀ ଭେଞ୍ଚର୍ସ ଓ ସାଇସାନୁ ସଂସ୍ଥାର ବିଶ୍ବବିଦ୍ୟାଳୟ ସହ କୌଣସି ପ୍ରକାର ବ୍ୟବସାୟିକ ସମ୍ପର୍କ ନ ଥିବା ଜଣା ପଡିବା ପରେ ସନ୍ଦେହ ବଢିଥିଲା। ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟ ଟଙ୍କା ହଡପ ନେଇ ଜଣାପଡିବା ପରେ ଅନ୍ତରୀଣ ଖୋଳତାଡ଼ ଆରମ୍ଭ ହୋଇଥିଲା। ଗତବର୍ଷ ସେପ୍ଟେମ୍ବରରୁ ଡିସେମ୍ବର ଭିତରେ ଏହି ସବୁ ଜାଲିଆତି ହୋଇଥିବା ଜଣାପଡିଥିଲା। ଏ ନେଇ ବିଶ୍ବବିଦ୍ୟାଳୟ ବରିଷ୍ଠ ମ୍ୟାନେଜର(ଏଚଆର) ଚିତ୍ତରଞ୍ଜନ ପଟ୍ଟନାୟକ ଜଟଣୀ ଥାନାରେ ଅଭିଯୋଗ କରିଥିଲେ। ଶ୍ରୀ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିବା ସହ ଗତ ଶନିବାର ତିନି ଅଭିଯୁକ୍ତ ସୁଜିତ ରଞ୍ଜନ ଘଡେଇ, ନଳୀନାକ୍ଷ ନାୟକ ଓ ଅମିତ ମଲ୍ଲିକଙ୍କୁ ଗିରଫ କରିଥିଲା। ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର