ଘାରିଲାଣି ଘରୋଇକରଣ ନିଶା: ଓପିଜିସିକୁ ବିକିଦେବେ!

ଲାଭଜନକ ସଂସ୍ଥାକୁ ବିକ୍ରି ଯୋଜନା କାହିଁକି? ବଜେଟ୍‌ରେ ୯୦୦ କୋଟିର ଅର୍ଥ ବରାଦ, ନିଜ ହାତରେ ବର୍ଷ ଦୁଇଟା ରଖିପାରିଲେନି

ଭୁବନେଶ୍ବର: ୧୭୪୦ ମେଗାଵାଟ୍ କ୍ଷମତା ବିଶିଷ୍ଟ ଇବ୍ ତାପଜ ବିଦ୍ୟୁତ୍ କେନ୍ଦ୍ର ଏକ ଲାଭଜନକ ସଂସ୍ଥା। ବର୍ଷ ବର୍ଷର ଚାପ ପରେ ଶେଷରେ ରାଜ୍ୟ ସରକାର-ଓଡ଼ିଶା ବିଦ୍ୟୁତ୍ ଉତ୍ପାଦନ ନିଗମ (ଓପିଜିସି)-ଏଇଏସ୍‌ ସଂପର୍କରେ ପୂର୍ଣ୍ଣଛେଦ ପଡ଼ିଥିଲା। ଏଇଏସ୍‌ ନିଜର ୪୯% ଅଂଶଧନ ସରକାର(ଓଡ଼ିଶା ଜଳ ବିଦ୍ୟୁତ ନିଗମ କିଣିଲା)ଙ୍କୁ ବିକ୍ରି କରିଦେଲା। ଏହି ଖବର ସେତେବେଳେ ପୂରା ଓଡ଼ିଶାକୁ ଆଶ୍ବସ୍ତ କରିଥିଲା। ହେଲେ ବର୍ଷ ଦୁଇଟା ଯାଇନି; ରାଜ୍ୟ ସରକାର ଓପିଜିସିକୁ ପୁନଃ ଘରୋଇକରଣ ପାଇଁ ଖାଲି ମନ ବଳାଇ ନାହାନ୍ତି, ଇତିମଧ୍ୟରେ ନୀତିଗତ ନିଷ୍ପତ୍ତି ନେଇସାରିଥିବା ଭଳି ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି। ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଶକ୍ତି ବିଭାଗ ବଜେଟରେ ଓପିଜିସି ଅଂଶଧନ ବାବଦକୁ ୯୦୦ କୋଟି ଟଙ୍କାର ବଡ଼ ବ୍ୟୟବରାଦ ଏଭଳି ଆଶଙ୍କାକୁ ଅଧିକ ଘନୀଭୂତ କରୁଛି। ବିଧାନସଭା ପରେ ପରେ ଏହି ସଂସ୍ଥାକୁ କିଏ କିଣିବ, ସେଥିପାଇଁ ମୁଣ୍ଡ ଖୋଜା ସରକାରୀସ୍ତରରେ ଆରମ୍ଭ ହୋଇପାରେ।

ବିଧାନସଭାରେ ଉପସ୍ଥାପିତ ଶକ୍ତି ବିଭାଗ ସ୍ଥାୟୀ କମିଟି ରିପୋର୍ଟରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଓପିଜିସି ୪୯% ଅଂଶଧନ ଏଇଏସ୍ ଠାରୁ ୧୩୫ ନିୟୁତ ଡଲାର ବା ୯୯୮ କୋଟି ଟଙ୍କାରେ ୨୦୨୦ ଡିସେମ୍ବରରେ କିଣିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହି ୪୯%କୁ ପୁଣି ଥରେ ବିକ୍ରି କରିବା ଲାଗି ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି। ଚଳିତ ଆର୍ଥିକ ବର୍ଷରେ ହିଁ ଏହି ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ସ୍ଥିର ହୋଇଛି। ତେବେ କାହିଁକି ଓ କାହା ସ୍ବାର୍ଥରେ ରାଜ୍ୟ ସରକାର ତାଙ୍କ ନିଷ୍ପତ୍ତି ବଦଳାଇ ଏଭଳି ଲାଭଜନକ ସଂସ୍ଥାକୁ ପୁଣି ଘରୋଇ ସଂସ୍ଥା ହାତରେ ଟେକି ଦେବା ଲାଗି ମନ ବଳାଇଛନ୍ତି?

ଆହୁରି ବଡ଼ କଥା ହେଲା, ଇବ୍ ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଉତ୍ପାଦନ ପାଇଁ ମନୋହରପୁରରେ ଥିବା କୋଇଲା ଖଣି ପ୍ରଦାନ କରାଯାଇଛି। ଏତେ ସୁବିଧାଜନକ ସ୍ଥିତିରେ ଥିବା ଏହି ପ୍ରକଳ୍ପକୁ ବିକ୍ରି କରିଦେବା ଲାଗି କେଉଁ ଅଦୃଶ୍ୟ ଶକ୍ତି ଚାପ ପକାଉଛନ୍ତି?

୧୯୯୬-୯୭ରୁ ୨୦୧୭-୧୮ ମଧ୍ୟରେ ଏହି ସଂସ୍ଥା ରାଜ୍ୟ ସରକାରଙ୍କୁ ୭୩୬ କୋଟି ଲାଭାଂଶ ଦେଇଛି। ସେହି ସମୟ ସୁଦ୍ଧା ଏଇଏସ୍ ମଧ୍ୟ ୬୭୪ କୋଟି ୯୧ଲକ୍ଷ ଟଙ୍କା ଲାଭାଂଶ ନେଇସାରିଛି। ଏହା ପରେ ବି ଉଭୟ ରାଜ୍ୟ ସରକାର ଏବଂ ଏଇଏସ୍ ଆଉ କିଛି ମୋଟା ଅଙ୍କ ଲାଭାଂଶ ଆକାରରେ ପାଇଛନ୍ତି। ତା’ପରେ ଏମିତି କ’ଣ ହେଲା ଯେ ସରକାର ପୁଣି ଥରେ ଏହି ସଂସ୍ଥାର ଘରୋଇକରଣ ଲାଗି ମନ ବଳାଇଲେ?

ବିଦ୍ୟୁତ୍ ଉତ୍ପାଦନ କମ୍ପାନିଗୁଡ଼ିକ ପାଇଁ ପ୍ରଣୀତ ଟାରିଫ ନିୟମାବଳୀ ଗୁଡିକରେ ବିଧିବ୍ୟବସ୍ଥା ଏପରି ପ୍ରସ୍ତୁତ କରାଯାଇଛି ଯେ ଉତ୍ପାଦନ କମ୍ପାନି ଗୁଡ଼ିକର କ୍ଷତି ହେବାର ସମ୍ଭାବନା ନାହିଁ କହିଲେ ଠିକ୍ ହେବ। ଏହାସତ୍ତ୍ବେ ରାଜ୍ୟର କେଉଁ ସ୍ବାର୍ଥ ହାସଲ ଲକ୍ଷ୍ୟରେ ସରକାର ଏଭଳି ଗୋଟିଏ ନିଷ୍ପତ୍ତି ନେବାକୁ ଯାଉଛନ୍ତି?

ଉପରୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତରରେ ରାଜ୍ୟ ସରକାରଙ୍କର କି ନିର୍ଦିଷ୍ଟ ଯୁକ୍ତି ରହିଛି, ତାହା ଏଯାଏ ଜଣାପଡ଼ିନାହିଁ। ହେଲେ ଏସବୁ କିନ୍ତୁ ଶକ୍ତି ସମୀକ୍ଷକମାନଙ୍କୁ ଆଚମ୍ବିତ କଲାଣି।
୧୯୯୯ ମସିହାରେ ରାଜ୍ୟ ସରକାର ଓପିଜିସିର ୪୯% ଅଂଶଧନ ଏଇଏସ୍ ହାତରେ ଟେକି ଦେଇଥିଲେ। ସବୁ ନିୟମ କାନୁନକୁ ଗିଳି ଓ ରାଜ୍ୟ ସରକାରଙ୍କୁ ମୋହରା ବନାଇ ଏଇଏସ୍ ଏହି ସମୟ ମଧ୍ୟରେ ଏହି ପ୍ରକଳ୍ପରୁ ଯଥେଷ୍ଟ ଫାଇଦା ନେଇଛି। ଏପରିକି ଉଚ୍ଚ ପଦାଧିକାରୀଙ୍କୁ ବଜାର ଦରରେ ଦରମା ଦେଇ ସଂସ୍ଥା ଉପରେ ଗଭୀର ଆର୍ଥିକ ଚାପ ଲଦି ଦିଆଯାଇଥିଲା। ଯେଉଁ ବଡ ଅଭିଯୋଗଟି ଏଇଏସ୍ ବିରୋଧରେ ରହିଥିଲା, ତାହା ହେଲା- ସଂପୃକ୍ତ କର୍ତ୍ତୃପକ୍ଷଙ୍କ ଟାଳଟୁଳ ନୀତି ଓ ଅବହେଳା ଲାଗି ଓପିଜିସିର ୟୁନିଟ୍ ୩ ଓ ୪ର (ଷ୍ଟେଜ୍ ଦୁଇ) କାର୍ଯ୍ୟ ଶେଷ ହେବା ପ୍ରାୟ ଦୁଇବର୍ଷ ବିଳମ୍ବ ହୋଇଥିଲା। ତା’ ପାଇଁ ପ୍ରକଳ୍ପ ମୂଲ୍ୟ ପ୍ରାୟ ୨ହଜାର କୋଟି ବଢିଯାଇଥିବା କୁହାଯାଏ।
ଏସବୁ ସତ୍ତ୍ବେ ଓପିଜିସି ଗୋଟିଏ ଲାଭଜନକ ସଂସ୍ଥା ଏବଂ ଇତିମଧ୍ୟରେ ନିଜର କ୍ଷମତାକୁ ୧୭୪୦ ମେଗାଵାଟ୍‌କୁ ବୃଦ୍ଧି କରିବାରେ ସକ୍ଷମ ହୋଇଛି। ଏହି ଲାଭଜନକ ସଂସ୍ଥାରେ ଏଇଏସ୍‌ର କାରବାର ଅସହ୍ୟ ହେବା ପରେ ରାଜ୍ୟରେ ଯେଉଁ ଅସନ୍ତୋଷ ମୁଣ୍ଡ ଟେକିଲା, ତାର ପରିଣାମରେ ସରକାର ବାଧ୍ୟ ହୋଇ ଏହି ସଂସ୍ଥାଠାରୁ ସଂପର୍କ ଛିନ୍ନ କରିବାକୁ ନିଷ୍ପତ୍ତି ନେଲେ। ଏଇଏସ୍‌ ମଧ୍ୟ ଏହି କାରବାରରୁ ମୁହଁ ଫେରାଇ ନେଲା। ଫଳସ୍ବରୂପ ୨୦୨୦ ମସିହାରେ ଏଇଏସ୍‌ ଠାରୁ ୪୯% ଅଂଶଧନ ରାଜ୍ୟ ସରକାର ଓଡ଼ିଶା ଜଳବିଦ୍ୟୁତ ନିଗମ (ଓଏଚ୍‌ପିସି) ମାଧ୍ୟମରେ କିଣିଲେ। ୯୯୮ କୋଟି ଟଙ୍କା ବ୍ୟୟରେ କିଣାଯାଇଥିବା ଏହି ପ୍ରକଳ୍ପ ଲାଗି ରାଜ୍ୟ ସରକାର ସେବେ ନିଜ ବଜେଟ୍‌ରୁ ୫୦୦ କୋଟି ଟଙ୍କା ଓଏଚ୍‌ପିସିକୁ ପ୍ରଦାନ କରିଥିଲେ। ବର୍ତ୍ତମାନର ସ୍ଥିତି ହେଉଛି, ଓପିଜିସିର ୫୧% ଅଂଶଧନ ପରିମାଣ ୯୨୩.୪୭ କୋଟି ଟଙ୍କା ରାଜ୍ୟ ସରକାର ବହନ କରୁଛନ୍ତି ଓ ଓଏଚ୍‌ପିସି ୪୯% ଅଂଶଧନ ହିସାବରେ ୮୯୩ କୋଟି ଟଙ୍କା ପ୍ରଦାନ କରିଛି।

ଶକ୍ତି ସମୀକ୍ଷକଙ୍କର ଯୁକ୍ତି ହେଉଛି ଯେ ଇବ୍ ତାପଜ ବିଦ୍ୟୁତ୍‌ କେନ୍ଦ୍ରର ୧୩୨୦ ମେଗାଵାଟ୍ କ୍ଷମତା ବିଶିଷ୍ଟ ଷ୍ଟେଜ୍-୨ ବିଦ୍ୟୁତ୍ କେନ୍ଦ୍ର ଆସନ୍ତା ତିରିଶ ବର୍ଷ ଯାଏ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ କରିବ। କେବଳ ସେତିକି ନୁହେଁ, ଷ୍ଟେଜ୍-୧ର ୪୨୦ ମେଗାଵାଟ୍ ବିଦ୍ୟୁତ୍ କେନ୍ଦ୍ରର ଅବଧି ୨୦୨୪ ସୁଦ୍ଧା ସରିଯାଉଛି। ଏଣୁ ଏହାର ଆଧୁନିକୀକରଣ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଯଥେଷ୍ଟ ସୁଯୋଗ ରହିଛି। ଏଭଳି ପରିସ୍ଥିତିରେ ଏହି ତାପଜ ବିଦ୍ୟୁତ୍ କେନ୍ଦ୍ରକୁ ଘରୋଇକରଣ କରାଯିବ କାହିଁକି?

ଦ୍ବିତୀୟତଃ, ଇବ୍ ତାପଜ ବିଦ୍ୟୁତ୍ କେନ୍ଦ୍ର, ଜଳବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର, ଅକ୍ଷୟ ଶକ୍ତି କେନ୍ଦ୍ର ଏବଂ ଘରୋଇ କଂପାନିର ଆଇପିପି (ସ୍ବାଧୀନ ବିଦ୍ୟୁତ୍ କେନ୍ଦ୍ର) ଆଦି ମିଶାଇଲେ ରାଜ୍ୟର ନିଜସ୍ବ ୮୧୧୪ ମେଗାଵାଟ୍ (ସ୍ଥାପିତ କ୍ଷମତା) ବିଦ୍ୟୁତ୍ ଉତ୍ପାଦନ ହେଉଛି। ଅନ୍ୟ ରାଜ୍ୟର ଚିତ୍ର ଟିକିଏ ସ୍ବତନ୍ତ୍ର। ଗୁଜରାଟ ଓ ମହାରାଷ୍ଟ୍ର ଭଳି ରାଜ୍ୟର ସ୍ଥାପିତ କ୍ଷମତା ୩୦ହଜାର ମେଗାଵାଟ୍‌ରୁ ଅଧିକ। ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ ଭଳି ରାଜ୍ୟର କ୍ଷମତା ୨୦ହଜାରରୁ ୩୦ ହଜାର ମେଗାଵାଟ୍ ଭିତରେ ରହିଛି। ଉତ୍ତରପ୍ରଦେଶ, ଛତିଶଗଡ, ତେଲେଙ୍ଗାନା ଭଳି ରାଜ୍ୟର କ୍ଷମତା ୧୦ହଜାରରୁ ୨୦ ହଜାର ମେଗାଵାଟ୍‌ ମଧ୍ୟରେ। ଓଡ଼ିଶାରେ ଯେତିକି ଶିଳ୍ପସଂସ୍ଥା ରହିଛି, ତାହାକୁ ବିଚାର କଲେ ରାଜ୍ୟ ଅତି କମରେ ୨୦ହଜାର ମେଗାଵାଟ୍ ବିଦ୍ୟୁତ୍ ଉତ୍ପାଦନ(ସ୍ଥାପିତ କ୍ଷମତା) କରିବା ଉଚିତ୍। କାରଣ ଆବଶ୍ୟକ ବିଦ୍ୟୁତ୍ ଶକ୍ତି ଉପଲବ୍ଧ ନ ଥିଲେ ଶିଳ୍ପ ବିକାଶ ଅସମ୍ଭବ। ଏଣୁ ସରକାର ଏହାର କ୍ଷମତା ବୃଦ୍ଧି କରିବା ପରିବର୍ତ୍ତେ ପୁନଃ ଘରୋଇକରଣ କରିବା ନିଷ୍ପତ୍ତି ନେବା ପଛର ଯୁକ୍ତି ବୁଝାପଡୁନାହିଁ।

ଏମିତିରେ ବି ରାଜ୍ୟ ସରକାରଙ୍କର ଆଉ ଗୋଟିଏ ନିଷ୍ପତ୍ତି ସାରା ଭାରତବର୍ଷର ଶକ୍ତି ସମୀକ୍ଷକଙ୍କୁ ତାଜୁବ୍ କରେ। ତାହା ହେଲା- ରାଜ୍ୟର ଶିଳ୍ପ ସଂସ୍ଥା ନିଜର ବିଦ୍ୟୁତ୍ ଚାହିଦା ପୂରଣ ପାଇଁ ୧୨ହଜାର ମେଗାଵାଟ୍ କ୍ଷମତା ସଂପନ୍ନ ନିଜସ୍ବ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର (ସିପିପି) ପ୍ରତିଷ୍ଠା କରିଛନ୍ତି। ଏହା ଭାରତରେ ସର୍ବାଧିକ। ଅଧିକ ସିପିପି ପ୍ରତିଷ୍ଠା କରିବା ରାଜ୍ୟ ସ୍ବାର୍ଥ ବିରୋଧୀ ବୋଲି କୁହାଯାଏ। ମହାରାଷ୍ଟ୍ର, ଗୁଜରାଟ ଶିଳ୍ପ ବିକଶିତ ରାଜ୍ୟ ଯଥାକ୍ରମେ ୫୮୦୦ ମେଗାଵାଟ୍, ୯୦୦୦ ମେଗାଵାଟ୍ ଭିତରେ ସିପିପି କ୍ଷମତାକୁ ସୀମିତ ରଖିଛନ୍ତି। ଏଣୁ ସରକାର ସିପିପି କ୍ଷମତା ବୃଦ୍ଧି ପାଇଁ ସୁଯୋଗ ସୃଷ୍ଟି ନ କରି ନିଜସ୍ବ ପ୍ରକଳ୍ପକୁ ପ୍ରୋତ୍ସାହନ ଦେବା ଦରକାର। ଏ ଦୃଷ୍ଟିରୁ ମଧ୍ୟ ଏତେ ବଡ ପ୍ରକଳ୍ପ ବିକ୍ରି ଯୋଜନା ଦୁର୍ଭାଗ୍ୟଜନକ ବୋଲି କୁହାଯାଇପାରେ।

ଗୋଟିଏ ପଟେ ବେଦାନ୍ତ, ଜିନ୍ଦଲ, ନବଭାରତ ଭଳି ସ୍ବାଧୀନ ବିଦ୍ୟୁତ୍ ଉତ୍ପାଦନ ସଂସ୍ଥା ଓଡ଼ିଶା କୋଟା ‌ଦେଉନାହାନ୍ତି। ଏହାକୁ ନେଇ ତମ୍ବିତୋଫାନ ଚାଲିଛି। ଇବ୍ ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ଶତ ପ୍ରତିଶତ ବିଦ୍ୟୁତ୍ ପାଉଛି ଓଡ଼ିଶା। ଏବେ ଯଦି ଏହାକୁ ପୁଣି ଘରୋଇ କରଣ କରାଯିବ, ତେବେ ଏହି ସଂସ୍ଥା ଯେ ଭବିଷ୍ୟତରେ ଅନ୍ୟ ଆଇପିପି ଭଳି ବ୍ୟବହାର ନ କରିବ, ଏ ଗ୍ୟାରେଣ୍ଟି କିଏ ଦେବ?

ସମ୍ବନ୍ଧିତ ଖବର