ନବରଙ୍ଗପୁର: କାନ୍ଦିଲେ ଓ କନ୍ଦାଇଲେ ଅନାଥ ପ୍ରିୟଙ୍କା, କୋହ ଓ ଲୁହରେ ଭିଜିଲା ସାମ୍ବାଦିକ ସମ୍ମିଳନୀ

ହାଇଦ୍ରାବାଦର ଇଟାଭାଟିରେ କଲେଜ ପଢ଼ୁଆ ନାବାଳିକା ବନ୍ଧକ ଘଟଣା

ନବରଙ୍ଗପୁର: ସାମ୍ବାଦିକ ସମ୍ମିଳନୀ କୋହ ଓ ଲୁହରେ ଭିଜିଛି । ହାଇଦ୍ରାବାଦର ଇଟାଭାଟିରୁ ମୁକ୍ତ ହୋଇ ଆସିଥିବା ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିର ସାଗରିକା ପାଣିଗ୍ରାହୀଙ୍କ ବଡ ଭଉଣୀ ପ୍ରିୟଙ୍କା ନିଜ ପରିବାର କରୁଣ କାହାଣୀ କହୁଥିବା ବେଳେ  ଭୋ ଭୋ କାନ୍ଦିଛନ୍ତି। ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଅତୀତର କାହାଣୀ କହୁଥିବା ବେଳେ ତାଙ୍କ କାନ୍ଦ ବନ୍ଦ ହୋଇ ନଥିଲା ସେ କାନ୍ଦି କାନ୍ଦି କହିଥିଲେ, ମା ଛେଉଣ୍ଡ ହେବାର ୧ ମାସ ପରେ ୨ ଭଉଣୀ ମିଶିବାରେ ସୁଯୋଗ ମିଳିଲା । ଆମ ୨ ଭଉଣୀଙ୍କୁ ଛାଡିଦେଲେ ଆମ୍ଭର କେହି ନାହିଁ।

କଂଗ୍ରେସ ପକ୍ଷରୁ ଆୟୋଜିତ ଏହି ସମ୍ବାଦିକ ସମ୍ମିଳନୀରେ କଲେଜ ଛାତ୍ରୀ ପ୍ରିୟଙ୍କା କହିଲେ ଯେ ମୋର ପକ୍କା ଘର ନାହିଁକି ପାଖରେ ଅର୍ଥ ନାହିଁ। ଖାଇବା ପାଇଁ ଖାଦ୍ୟ ନାହିଁ। ପାଠ ପଢ଼ିବା ପାଖରେ ଅର୍ଥ ନାହିଁ । ଏବେ କରିବୁ କଣ। ଖାଇବୁ କଣ । ପାଠ ପଢ଼ିବୁ କିପରି। ଏପରି ଅନେକ ଅସମାହିତ ପ୍ରଶ୍ନ ନିଜକୁ ନିଜେ କରିବା ସହ ପରିପ୍ରକାଶ କରିଥିଲେ। ଥଇଥାନ ଓ ପାଠ ପଢ଼ିବା ପାଇଁ ନିଜ ଅନ୍ତର ମଧ୍ୟରେ ଥିବା କୋହକୁ ପରିପ୍ରକାଶ ବେଳେ ପ୍ରିୟଙ୍କା ଓ ସାଗରିକାଙ୍କ ଆଖିରୁ ଅଶ୍ରୁ ଝରୁଥିବା ଦେଖି ସାମ୍ବାଦିକ ସମ୍ମିଳନୀରେ ଥିବା ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ଠାରୁ ଆରମ୍ଭ କରି ସମସ୍ତ ନେତାଙ୍କ ଆଖିରୁ ଲୁହ ଝରିଥିବା ଦେଖିବାକୁ ମିଳିଥିଲା। ଏପରିକି ପ୍ରିୟଙ୍କାଙ୍କ କୋହ ଦେଖି ଗଣମାଧ୍ୟମ ପ୍ରତିନିଧିମାନଙ୍କ ବି ଆଖିରୁ ଲୁହ ଝରିଥିବା ଦେଖିବାକୁ ମିଳିଥିଲା।

ଘଟଣା ଥିଲା ଏମତି । ଝିଅର ପାଠ ପଢ଼ିବା ପାଇଁ ଗଭୀର ଇଛାଶକ୍ତି ରହିଛି। ବାପା ୩ ବର୍ଷ ପୂର୍ବେ ଆରପାରିକି ଚାଲିଯାଇଥିଲେ। ୨ ଝିଅଙ୍କୁ ପାଠ ପଢ଼ାଇ ମଣିଷ କରାଇବା ପାଇଁ ମା’ ମାଇକ୍ରୋଫାଇନାନସ୍ ରୁ ୩୦ ହଜାର ଟଙ୍କା ଋଣ କରି ୨ ଝିଅଙ୍କୁ କଲେଜରେ ନାମ ଲେଖାଇଥିଲେ। ଋଣ ଟଙ୍କାର କରଜ ପରିଶୋଧ କରିବା ପାଇଁ ଶେଷରେ ବାଧ୍ୟ ହୋଇ ସାନ ଝିଅ ନାବାଳିକା ସାଗରିକାର ପାଠରେ ଡୋରି ବାନ୍ଧି ସାଗରିକାକୁ ନେଇ ଦାଦନ ଖଟିବା ପାଇଁ ହାଇଦ୍ରାବାଦର ଏକ ଇଟାଭାଟିକୁ ଚାଲିଗଲେ। ସେଠାରେ ଭାଗ୍ୟ ସାଥ ଦେଲାନି। ଇଟାଭାଟିରେ କାମ କରିବା ବେଳେ ମା’ ଅନାଦି ଗଭୀର ଅସୁସ୍ଥ ହୋଇପଡିଲେ । ମା ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ଇଟାଭାଟି ମାଲିକଙ୍କ ଠାରୁ କିଛି ଟଙ୍କା ଧାର କରି ଆଣି ସାନ ଝିଅକୁ ସେଠାରେ ବନ୍ଧକ ରଖି ଆସିଲେ। ମା’ ଅନାଦି ଗାଁକୁ ଆସି ଲକଡାଉନରେ ଚିକିତ୍ସା କରାଇନପାରି ମୃତ୍ୟୁ ବରଣ କରିଲେ। ହେଲେ ବନ୍ଧକ ଥିବା ସାଗରିକା ମା’ର ଶେଷ ଦର୍ଶନ କିମ୍ବା ଦଶାହ କାର୍ଯ୍ୟ ପାଇଁ ମାଲିକ ଛାଡିଲା ନାହିଁ। ପ୍ରଶାସନ ପାଖରେ ନେହୁରା ହେଲେ ମଧ୍ୟ କେହି ଶୁଣିଲେ ନାହିଁ। ଶେଷରେ ପ୍ରଦୀପ ଭାଇ ସାଗରିକାକୁ ଉଦ୍ଧାର କରି ଆଣିଲେ।

 

ସମ୍ବନ୍ଧିତ ଖବର