ପୂର୍ବତଟ ରେଳପଥ ପକ୍ଷରୁ ପୁରସ୍କାର ବିତରଣ: ୱାଲଟିୟର ରେଳମଣ୍ଡଳକୁ ସାମଗ୍ରିକ ଦକ୍ଷତା ସିଲ୍ଡ

ବଲାଙ୍ଗୀର ଶ୍ରେଷ୍ଠ ପ୍ରମୁଖ ସ୍ବଚ୍ଛ ଷ୍ଟେସନ୍, ହରିଚନ୍ଦନପୁରକୁ ଶ୍ରେଷ୍ଠ ଛୋଟ ସ୍ବଚ୍ଛ ଷ୍ଟେସନ୍

ଭୁବନେଶ୍ବର : ବିଭିନ୍ନ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ପାଇଁ ୱାଲଟିୟର ରେଳମଣ୍ଡଳକୁ ସାମଗ୍ରିକ ଦକ୍ଷତା ସିଲ୍ଡ ପ୍ରଦାନ କରାଯାଇଛି। ପୂର୍ବତଟ ରେଳପଥ ପକ୍ଷରୁ ଆଜି ରେଲୱେ ଅଡିଟୋରିୟମଠାରେ ଅନୁଷ୍ଠିତ ୬୭ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ମୁଖ୍ୟଅତିଥି ଭାବରେ ଯୋଗଦେଇ ଦକ୍ଷ କର୍ମଚାରୀଙ୍କୁ ପୁରସ୍କୃତ କରିଥିଲେ। ରେଳପଥରେ ସାମଗ୍ରିକ ଦକ୍ଷତା ସିଲ୍ଡ ବ୍ୟତୀତ ଶ୍ରେଷ୍ଠ ଷ୍ଟୋରସ୍ ଡିପୋ, କୋଚିଂ ଡିପୋ, ବାଣିଜ୍ୟିକ, ଇଲେକ୍ଟ୍ରିକାଲ୍ ନନ୍ ଟ୍ରାକ୍ସନ୍ ଏନର୍ଜି ମ୍ୟାନେଜ୍‌ମେଣ୍ଟ, ଅପରେଟିଂ, ରାଜଭାଷା, ସୁରକ୍ଷା, ନିରାପତ୍ତା, କ୍ରୀଡ଼ା, ୱାଗନ୍ ମେଣ୍ଟେନାନ୍ସ କ୍ଷେତ୍ରରେ ୱାଲଟିୟର ରେଳମଣ୍ଡଳକୁ ପୁରସ୍କାର ମିଳିଛି।

ଖୋର୍ଦ୍ଧାରୋଡ୍ ରେଳମଣ୍ଡଳକୁ ଶ୍ରେଷ୍ଠ ସିଭିଲ୍ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ୍ ଟ୍ରାକ୍ସନ୍, ଫାଇନାନ୍ସ, ସିଗନାଲ୍ ଓ ଟେଲିକମ୍ ସିଲ୍ଡ ମିଳିଥିବା ବେଳେ ସମ୍ବଲପୁର ରେଳମଣ୍ଡଳକୁ ପରିବେଶ ଓ ହାଉସ୍‌ କିପିଂ ପରିଚାଳନା, ସର୍ଭେ ଓ ନିର୍ମାଣ ଏବଂ ଆଇନ ସମ୍ବନ୍ଧୀୟ କାର୍ଯ୍ୟଦକ୍ଷତା କ୍ଷେତ୍ରରେ ପୁରସ୍କୃତ କରାଯାଇଛି। ଖୋର୍ଦ୍ଧା ରୋଡ୍ ଓ ୱାଲଟିୟର ରେଳମଣ୍ଡଳକୁ ମିଳିତ ଭାବେ ମେକାନିକାଲ୍ ଏବଂ ସ୍କ୍ରାପ୍ ଡିସପୋଜାଲ୍ ସିଲ୍ଡ, ଖୋର୍ଦ୍ଧାରୋଡ୍ ଓ ସମ୍ବଲପୁର ରେଳମଣ୍ଡଳକୁ ମିଳିତ ଭାବେ କାର୍ମୀକ(ପର୍ସନେଲ) ସିଲ୍ଡ ପ୍ରଦାନ କରାଯାଇଛି। ସେହିପରି ବଲାଙ୍ଗୀର ଷ୍ଟେସନ୍‌କୁ ଶ୍ରେଷ୍ଠ ପ୍ରମୁଖ(ମେଜର) ସ୍ବଚ୍ଛ ଷ୍ଟେସନ୍ ସିଲ୍ଡ, ହରିଚନ୍ଦନପୁର ଷ୍ଟେସନ୍‌କୁ ଶ୍ରେଷ୍ଠ ଛୋଟ ସ୍ବଚ୍ଛ ଷ୍ଟେସନ୍ ସିଲ୍ଡ ମିଳିଛି। ବିଭିନ୍ନ ଦଳଗତ ପୁରସ୍କାର ଏବଂ ବ୍ୟକ୍ତିଗତ ପୁରସ୍କାର ସହିତ ଦକ୍ଷ ଓ ନିଷ୍ଠାପର କର୍ମଚାରୀ, ବିଭାଗୀୟ ୟୁନିଟ୍‌ଗୁଡ଼ିକୁ ସେମାନଙ୍କ କାର୍ଯ୍ୟ ଦକ୍ଷତା ପାଇଁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା।

ଉପସ୍ଥିତ ରେଳ କର୍ମଚାରୀ, ଅଧିକାରୀ ଓ ସେମାନଙ୍କର ପରିବାର ବର୍ଗଙ୍କୁ ସମ୍ବୋଧିତ କରି ମହାପ୍ରବନ୍ଧକ ଶ୍ରୀ ଶ୍ରୀବାସ୍ତବ କହିଛନ୍ତି ଯେ କର୍ମଚାରୀମାନେ ପ୍ରଗତିଶୀଳ ମନୋଭାବ ସହ ମୂଲ୍ୟବାନ ଅବଦାନ ଦେଇଛନ୍ତି। ନିଷ୍ଠାର ସହ କାର୍ଯ୍ୟ କରିଛନ୍ତି। କର୍ମଚାରୀମାନେ ଆଗାମୀ ଦିନରେ ଏହି ଉଦ୍ୟମ ଜାରି ରଖନ୍ତୁ। ଭାରତୀୟ ରେଳପଥରେ ପୁନର୍ବାର ଶ୍ରେଷ୍ଠ କ୍ଷେତ୍ରୀୟ ରେଳପଥ ଭାବେ ପୂର୍ବତଟ ରେଳପଥକୁ ବଜାୟ ରଖିବାକୁ ସେ କର୍ମଚାରୀଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ ଦକ୍ଷତା ପାଇଁ ୨୮୫ଜଣ ରେଳ କର୍ମଚାରୀଙ୍କୁ ମହାପ୍ରବନ୍ଧକ ଶ୍ରୀବାସ୍ତବ ଓ ଅନ୍ୟତମ ଅତିଥି ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଙ୍ଗଠନର ଅଧ୍ୟକ୍ଷା ଅନୁପମା ଶ୍ରୀବାସ୍ତବ ପୁରସ୍କୃତ କରିଥିଲେ। ରେଳପଥର ବରିଷ୍ଠ ଉପ-ମହାପ୍ରବନ୍ଧକ ସଞ୍ଜୟ କୁମାର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରି ରେଳ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ଓ ଦେଶ ଉନ୍ନତିରେ ରେଳବାଇ କର୍ମଚାରୀଙ୍କ କାର୍ଯ୍ୟର ଗୁରୁତ୍ୱ ବିଷୟରେ କହିଥିଲେ। ଉପ-ମହାପ୍ରବନ୍ଧକ ଅଶୋକା କୁମାର ମିଶ୍ର ଉତ୍ସବକୁ ପରିଚାଳନା କରିବା ସହ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର