‘ସମ୍ବାଦ’ ବାର୍ଷିକ ପ୍ରତିଯୋଗିତାର ପୁରସ୍କାର ବିତରଣ

ଝାରସୁଗୁଡ଼ା: ସାରା ରାଜ୍ୟରେ ଏକକାଳୀନ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଗୋଟିଏ ଦିନରେ ଏକଜୁଟ କରି ଏଭଳି ବୃହତ୍‌ ପ୍ରତିଯୋଗିତା କରୁଥିବା ‘ସମ୍ବାଦ -ଆମ ଓଡ଼ିଶା’ ଭାଷା ଓ ସଂସ୍କୃତିର ସୁରକ୍ଷା ସହିତ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ଉଦ୍ୟମ କରି ଆସୁଛି। ‘ସମ୍ବାଦ’ର ବିବିଧ କାର୍ଯ୍ୟକ୍ରମ ମଧ୍ୟରେ ଏଭଳି ପ୍ରତିଯୋଗିତା ଏକ ନିଆରା ପଦକ୍ଷେପ ବୋଲି ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲାପାଳ ପ୍ରବୀର ନାୟକ କହିଛନ୍ତି।

‘ସମ୍ବାଦ’ ବାର୍ଷିକ ପ୍ରତିଯୋଗିତା ଏବଂ ସ୍ବାଧୀନତାର ଅମୃତ ମହୋତ୍ସବ ଉପଲକ୍ଷେ ମହାମହିମ ରାଜ୍ୟପାଳଙ୍କ ‘ମୋ ସ୍ବପ୍ନର ଓଡ଼ିଶା’ ପ୍ରବନ୍ଧ ଲିଖନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଛାତ୍ରଛାତ୍ରୀଙ୍କୁ କାହାଣୀ ମାଧ୍ୟମରେ ବିଭିନ୍ନ ଉପଦେଶ ଦେଇଥିଲେ। ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ. ସରୋଜ କୁଅଁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ‌ରେ ଡିଏଭି ସ୍କୁଲର ଅଧ୍ୟକ୍ଷ ପ୍ରଶାନ୍ତ ପଣ୍ଡା ସ୍ବାଗତ ଜ୍ଞାପନ କରି ‘ସମ୍ବାଦ- ଆମ ଓଡ଼ିଶା’ ଦ୍ବାରା ଆୟୋଜିତ ବାର୍ଷିକ ପ୍ରତିଯୋଗିତା ଏବେ ଏକ ପରମ୍ପରାରେ ପରିଣତ ହୋଇଛି ଓ ଆଜିର ଡିଜିଟାଲ ଯୁଗରେ ଓଡିଆ ଭାଷାର ପ୍ରସାର ଓ ସୁରକ୍ଷା ଦିଗରେ ଏହା ଏକ ଅତୁଳନୀୟ  ଓ ଅନନ୍ୟ ଉଦ୍ୟମ ବୋଲି କହିଥିଲେ।

ଅତିଥିମାନେ ପ୍ରଦୀପ ପ୍ରଜ୍ଜଳନ ପରେ ‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ମିଶ୍ର ପ୍ରତିଯୋଗିତା ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଝାରସୁଗୁଡ଼ା ସହରରେ ଅନୁଷ୍ଠିତ ୮ଟି କେନ୍ଦ୍ରର କୃତି ପ୍ରତିଯୋଗୀଙ୍କୁ ଏହି ଅବସରରେ ମୁଖ୍ୟ ଅତିଥି ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଡିଏଭି ଶିକ୍ଷକ ସତ୍ୟନାରାୟଣ ଜେନା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସମ୍ବାଦ ସାହିତ୍ୟ ଘର ସଂପାଦକ ଅକ୍ଷୟ ପତି ପୁରସ୍କାର ବିତରଣ ସଞ୍ଚାଳନ ଓ ଧନ୍ୟବାଦ ଦେଇଥିଲେ। ଡିଏଭି ଶିକ୍ଷକ ସୁବାସ ମିଶ୍ର, ବିଜୟ ଦାଶ, ଅଲେଖ ବିହାରୀ ସାହୁ, ମଜୁମ ସାହୁ, ଶିଶୁ ମନ୍ଦିର ସଂପାଦକ ସୁବ୍ରତ ତ୍ରିପାଠୀ, ଝାଡ଼େଶ୍ବର ସ୍ବତନ୍ତ୍ର ବିଦ୍ୟାଳୟ ପ୍ରତିଷ୍ଠାତା ବିବେକାନନ୍ଦ ମିଶ୍ର, ଅରବିନ୍ଦ ସ୍କୁଲର ଶିକ୍ଷକ ବିବେକାନନ୍ଦ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର