ଅଙ୍ଗଦାନ କରି ଅମର ହୋଇଥିବା ଓଡ଼ିଆ ପୁଅ ସୂରଜଙ୍କ ନାଁରେ ପୁରସ୍କାର ପ୍ରତିଷ୍ଠା କଲେ ରାଜ୍ୟ ସରକାର

ଭୁବନେଶ୍ବର: ସୁରଟରେ ଅଙ୍ଗଦାନ କରି ଅମର ହୋଇଥିବା ଓଡ଼ିଆ ପୁଅ ସୂରଜଙ୍କ ନାଁରେ ଏକ ପୁରସ୍କାର ପ୍ରତିଷ୍ଠା କରିଛନ୍ତି ରାଜ୍ୟ ସରକାର । ଆଗାମୀ ଦିନରେ ରାଜ୍ୟରେ ସ୍ୱଇଚ୍ଛାରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ଓ ସଂସ୍ଥାକୁ ମିଳିବ ‘ସୂରଜ ପୁରସ୍କାର’ । ସୂରଜଙ୍କ ସ୍ମୃତିରେ ଏହି ପୁରସ୍କାର ଦିଆଯିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତ ସୂରଜଙ୍କ ବାପାମାଆଙ୍କୁ ଭେଟିବା ପରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେବେ ଗତ କିଛି ଦିନ ତଳେ ସୁରଟରେ ଅଙ୍ଗଦାନ କରି ୬ ଜଣଙ୍କ ଜୀବନ ବଞ୍ଚାଇଥିବା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଲାଲସିଂ ଗାଁର ସୁରଜ ସେଠୀଙ୍କ ବାପାମାଆଙ୍କୁ ଆଜି ଲୋକସେବା ଭବନରେ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ସୂରଜଙ୍କ ଏଭଳି ମହତ କାମ ପାଇଁ ବାପାମାଆଙ୍କୁ ଧନ୍ୟବାଦ ଦେବା ସହ ଗରିବ ପରିବାରକୁ ସହାୟତା କରିଛନ୍ତି । ସରକାରଙ୍କ ତରଫରୁ ସୂରଜଙ୍କ ବାପା ବାବୁଲି ସେଠୀ ଓ ମାଆ ଗୀତାଞ୍ଜଳି ସେଠୀଙ୍କୁ ଜମି ଓ ବିଜୁ ପକ୍କା ଘର ଯୋଗାଇ ଦିଆଯିବ । ତା’ସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମଧ୍ୟ ୫ ଲକ୍ଷ ଟଙ୍କା ଦିଆଯିବ ।

ଅକ୍ଟୋବର ୨୯ରେ ସୁରଟ ରାସ୍ତାରେ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ ସୂରଜ । ଆଉ ୪ ଦିନ ହସ୍ପିଟାଲ ବେଡରେ ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ନଭେମ୍ବର ୨ ତାରିଖରେ ଆଖି ବୁଜିଥିଲେ ସେ । ହେଲେ ମୃତ୍ୟୁ ପୂର୍ବରୁ ସୂରଜ ନିଜ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ଦାନ କରିଥିଲେ । ହୃତପିଣ୍ଡ, ଯକୃତ, ବୃକକ ଓ ଚକ୍ଷୁ ଦାନ କରି ୬ ଜଣଙ୍କ ଜୀବନ ବଞ୍ଚାଇଥିଲେ । ତେବେ ମୃତ୍ୟୁ ପରେ ମୃତ୍ୟୁଞ୍ଜୟ ହୋଇଥିବା ସୂରଜଙ୍କ ଏଭଳି ମହତକାମ ପାଇଁ ସାରା ଓଡ଼ିଶା ଗର୍ବ କରୁଥିବା ବେଳେ ଆଜି ତାଙ୍କ ଉଦ୍ଦେଶ୍ୟରେ ପୁରସ୍କାର ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ସମ୍ବନ୍ଧିତ ଖବର