ପିଆରଏମରେ କରୋନା ପରୀକ୍ଷା: ସମସ୍ତ ଭିତ୍ତିଭୂମି ପ୍ରସ୍ତୁତ, ମୁଖ୍ୟ ମେସିନକୁ ଅପେକ୍ଷା

ବାରିପଦା: ବାରିପଦାସ୍ଥିତ ପିଆରଏମ ମେଡିକାଲ କଲେଜ୍ ଏଣ୍ଡ୍ ହସ୍ପିଟାଲରେ ଖୁବ୍ ଶୀଘ୍ର ଆରମ୍ଭ ହେବ କରୋନା ପରୀକ୍ଷା। ଏନେଇ ଆବଶ୍ୟକୀୟ ସମସ୍ତ ଭିତ୍ତିଭୂମି ବ୍ୟବସ୍ଥା ସମାପ୍ତ ହୋଇଛି। ଦୁଇ ଦୁଇଟି ପରୀକ୍ଷାଗାର ମଧ୍ୟ ପ୍ରସ୍ତୁତ ସରିଛି। କେବଳ ମୁଖ୍ୟ ମେସିନ୍ ଥର୍ମୋସାଇକ୍ଲର୍ କିମ୍ବା ଆମ୍ପ୍ଲିଫିକେସନ୍ ମେସିନକୁ ଅପେକ୍ଷା। ଯାହାକି ବାତ୍ୟା ଆମ୍ଫନ୍ ପାଇଁ କୋଲକତାରେ ଅଟକି ରହିଥିବା ଜଣାପଡ଼ିଛି। ପିଆରଏମରେ କରୋନ ପରୀକ୍ଷା ନିମନ୍ତେ ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କ ଉଦ୍ୟମ ବେଶ୍ ପ୍ରଶଂସନୀୟ।

ସେହିପରି ପିଆରଏମର ମାଇକ୍ରୋବାୟୋଲୋଜି ବିଭାଗ ପକ୍ଷରୁ ମଧ୍ୟ ଏନେଇ ନିଷ୍ଠାପର ଉଦ୍ୟମ କରାଯାଇଛି। ବାରିପଦାରେ କରୋନା ପରୀକ୍ଷା ଚଳିତ ମାସ ୩୧ ସୁଦ୍ଧା ଆରମ୍ଭ ହେବାନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଥିଲେ। ମାତ୍ର ବଲାଙ୍ଗିରସ୍ଥିତ ଭୀମଭୋଇ ମେଡିକାଲରେ ଚଳିତ ମାସ ୨୦ରୁ କରୋନା ପରୀକ୍ଷା ଆରମ୍ଭ ହୋଇସାରିଲାଣି। ମାତ୍ର ବାରିପଦାକୁ ଏଯାବତ୍ ମେସିନ୍ ଆସିପାରିନାହିଁ। ମାତ୍ର ମିଳିଥିବା ସୂଚନା ଅନୁସାରେ ବାରିପଦାକୁ ଥର୍ମୋସାଇକ୍ଲର୍ କିମ୍ବା ଆମ୍ପ୍ଲିଫିକେସନ୍ ମେସିନ୍ ଆସିବାରେ ବିଳମ୍ବ ହେଉଥିବାରୁ ତା’ ତୁଳନାରେ ଏକ ଛୋଟ ମେସିନ୍ ଦେବାକୁ ବିଚାର କରାଯାଉଥିବା ଜଣାପଡ଼ିଛି, ଯାହାକି ବିଶେଷ ଲାଭରେ ଆସିନପାରେ ବୋଲି ଜଣାପଡ଼ିଛି। କାରଣ ଥର୍ମୋସାଇକ୍ଲର୍ ମେସିନ୍ରେ ଗୋଟିଏ ରାଉଣ୍ଡ୍ରେ ଯେଉଁଠି ୪୦ ଟି ହୋଇ ଦିନକୁ ପ୍ରାୟ ଦେଢ଼ଶହ ପରୀକ୍ଷା କରାଯାଇପାରିବ।

prmmch.nic.in

ଆବଶ୍ୟକ ପଡ଼ିଲେ ଉକ୍ତ ମେସିନ୍ ସାହାଯ୍ୟରେ ୩ଶହ ନମୁନା ମଧ୍ୟ ପରୀକ୍ଷା କରାଯାଇପାରିବ। ମାତ୍ର ଛୋଟ ମେସିନ୍ରେ ଦିନକୁ ମାତ୍ର ୨୦ରୁ ୩୦ ନମୁନା ପରୀକ୍ଷା ହୋଇପାରିବ। କରୋନା ପରୀକ୍ଷା ପାଇଁ ୨ଜଣ ମାଇକ୍ରୋବାୟୋଲୋଜିଷ୍ଟ୍ ଏବଂ ଦୁଇ ଜଣ ଟେକ୍ନିସିଆନ୍ ତାଲିମ୍ ନେଇସାରି ଫେରିସାରିଛନ୍ତି। ସେହିପରି ନୂତନ ଭାବେ ୯ଜଣ ଟେକ୍ନିସିଆନଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ସେମାନେ ସମସ୍ତ ବିଭିନ୍ନ ତାଲିମ ନେଇସାରିଛନ୍ତି। ମୁଖ୍ୟ ମେସିନ୍ ଜାପାନରୁ ଆସିବା ନେଇ ସୂଚନା ମିଳିଛି। କୋଲକତାରୁ ଏହି ପରୀକ୍ଷଣ ନେଇ ସମସ୍ତ ଉପକରଣ ଆସିସାରିଛି। ଯନ୍ତ୍ରୀମାନେ ଏହାକୁ ପ୍ରସ୍ତୁତ କରୁଛନ୍ତି।

ମୁଖ୍ୟ ମେସିନ୍ ଆସିଗଲା ପରେ ମାତ୍ର ଦିନେ କି ଦୁଇଦିନ ମଧ୍ୟରେ ଆଇସିଏମ୍ଆର ଦିଲ୍ଲୀ ଏବଂ ଏମ୍ସ ଭୁବନେଶ୍ବର ପକ୍ଷରୁ ଅନୁମତି ମିଳିପାରିବ। ତେବେ ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିରରେ କରୋନା ପରୀକ୍ଷା ହେବା ନେଇ ଖୋଦ୍ ସ୍ବାସ୍ଥ୍ୟମନ୍ତ୍ରୀ ଆଗ୍ରହ ପ୍ରକାଶ କରିବାରୁ ସେଠାରେ ଏହା ଆରମ୍ଭ ହୋଇସାରିଛି। ଆଜିସୁଦ୍ଧା ମୟୂରଭଞ୍ଜରୁ ୩ହଜାର ୬ଶହ୪୬ଟି ନମୁନା କରୋନା ପରୀକ୍ଷା ନିମନ୍ତେ ଯାଇଛି। ମିଳିଥିବା ୩ହଜାର ୫ଶହ ୮ଟି ନମୁନାର ଫଳ ମଧ୍ୟରୁ ୧୪ଟି ପଜିଟିଭ୍ ଚିହ୍ନଟ ହୋଇଛି। ତେବେ ଆଜିସୁଦ୍ଧା ୯ଜଣ ଆରୋଗ୍ୟ ଲାଭ ହୋଇସାରିଥିବା ବେଳେ ଜିଲ୍ଲାରେ ବର୍ତ୍ତମାନ ୫ଟି ଆକ୍ଟିଭ୍ କେସ୍ ରହିଛି। ସେହିପରି ଜିଲ୍ଲାକୁ ଆଜିସୁଦ୍ଧା ବିଭିନ୍ନ ରାଜ୍ୟରୁ ପ୍ରାୟ ୧୧ହଜାରରୁ ଊର୍ଧ୍ବ ପ୍ରବାସୀ ଆସିସାରିଲେଣି। ତେଣୁ ଜିଲ୍ଲାରେ କରୋନା ପରୀକ୍ଷା ଅତ୍ୟନ୍ତ ଉପାଦେୟ ହେବ ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର