ପିଆର୍‌ଏମ୍‌ ହସ୍ପିଟାଲରେ ଶବ ରଖିବାକୁ ବ୍ୟବସ୍ଥା ନାହିଁ

ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି, ରୋଗୀ ଅଣନିଶ୍ବାସୀ

ବାରିପଦା: ବାରିପଦା ପିଆରଏମ୍‌ ମେଡିକାଲ କଲେଜ ଓ ହସ୍ପିଟାଲରେ ମୃତଦେହ ରଖିବା ପାଇଁ ନାହିଁ ଶୀତତାପ ନିୟନ୍ତ୍ରିତ ଶବ ସଂରକ୍ଷଣ ଗୃହ। ଅସୁରକ୍ଷିତ ଭାବେ ଏକ କ୍ୟାବିନ‌ରେ ପଡ଼ି ରହୁଛି ଶବ। ଯେଉଁ ମୃତକଙ୍କ ପରିଚୟ ମିଳୁନି କିମ୍ବା ତାଙ୍କ ପରିବାର ଲୋକ ପହଞ୍ଚିବାରେ ବିଳମ୍ବ ହେଉଛି ସେଭଳି ପରିସ୍ଥିତିରେ କ୍ୟାବିନ ଭିତରେ ୨-୩ ଦିନ ଶବ ପଡ଼ି ରହୁଛି। ଫଳରେ ଶବ ପଚିବା ସହ ପୁତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ଏଥିପାଇଁ ରୋଗୀ ଓ ସମ୍ପର୍କୀୟ ଏକରକମ ଅଣନିଶ୍ବାସୀ ହୋଇ ପଡ଼ୁଛନ୍ତି। ତେବେ ପୂର୍ବରୁ ଥିବା ସଂରକ୍ଷିତ ଗୃହ ଅକାମୀ ହେବାର ୫ ବର୍ଷ ହେଲାଣି। ନୂତନ ଶୀତତାପ ନିୟନ୍ତ୍ରିତ ସଂରକ୍ଷଣ ଗୃହ ନିର୍ମାଣ ସରିଲାଣି। ସେଠାରେ ଆବଶ୍ୟକ ଉପକରଣ ବି ଲଗାଗଲାଣି। ବିଦ୍ୟୁତ ୱାରିଂ ବି ସରିଛି। ହେଲେ ଏଠାରେ ୩ ଫେଜ୍ ବିଦ୍ୟୁତ ସଂଯୋଗରେ ବିଳମ୍ବ ହେଉଥିବାରୁ ଏହା କାର୍ଯ୍ୟକ୍ଷମ ହୋଇପାରୁନି।

ବାରିପଦା ହସ୍ପିଟାଲରେ ବର୍ଷକୁ ୩୦୦ରୁ ୪୦୦ ମୃତଦେହ ବ୍ୟବଚ୍ଛେଦ ହୁଏ। ସେଥି ମଧ୍ୟରୁ ଅଧିକାଂଶ ମୃତଦେହ ବିଭିନ୍ନ କାରଣରୁ ସଂରକ୍ଷଣ ଗୃହରେ ୨-୩ ଦିନ ଧରି ପଡ଼ି ରହିଥା‌ଏ। ପୂର୍ବରୁ ସ୍ବତନ୍ତ୍ର ଶବ ସଂରକ୍ଷଣ ଗୃହ ରହିଥିଲା। ଏକାଥରେ ୪ଟି ମୃତଦେହ ରହିବାର ସୁବିଧା ଥିଲା। ତେବେ ୨୦୧୩ ମସିହା ଫାଇଲିନ ବାତ୍ୟାରେ ବାରିପଦାର ଅଧା ସହର ବୁଡି ଯାଇଥିବା ବେଳେ ଶବ ସଂରକ୍ଷଣ ଗୃହ ବି ଏଥରୁ ବାଦ୍ ପଡ଼ି ନଥିଲା। ୪-୫ ଦିନ ପାଣିରେ ଶବ ସଂରକ୍ଷଣ ଗୃହ ବୁଡି ରହିବା ଫଳରେ ସେଥିରେ ଥିବା ସରଞ୍ଜାମ ଖରାପ ହୋଇଯାଇଥିଲା। ତାପରେ ବହୁ ଉଦ୍ୟମ କରି ଏହାକୁ ସ୍ବାଭାବିକ କରାଯାଇଥିଲା। ହେଲେ ୨୦୧୭ରୁ ଉକ୍ତ ସଂରକ୍ଷଣ ଗୃହ ସମ୍ପୂର୍ଣ୍ଣ ଅକାମୀ ହୋଇପଡ଼ିଛି। ଯଦିଓ ମେଡିକାଲ କଲେଜରେ ଶବ ସଂରକ୍ଷଣ ଗୃହ ରହିଛି, ହେଲେ ସେଠାରେ ବ୍ୟବଛେଦ ପାଇଁ ବ୍ୟବସ୍ଥା ନାହିଁ। ଏପଟେ ନୂତନ ସଂରକ୍ଷଣ ଗୃହ କାର୍ଯ୍ୟକ୍ଷମ ହେଲେ ଏକାଥରେ ୬ଟି ମୃତଦେହ ରହିପାରିବ। ତେଣୁ ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ ପାଇଁ ଦାବି ହେଉଛି। ଏନେଇ ହସ୍ପିଟାଲ ମ୍ୟାନେଜର ଡ. ସମୀର ରଂଜନ ମହାପାତ୍ରଙ୍କୁ ପଚାରିବାରୁ ୩ ଫେଜ୍ ବିଦ୍ୟୁତ ସଂଯୋଗ ନିମନ୍ତେ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର