ପ୍ରୋ ମିନେରାଲରୁ ଲୁହାପଥର ଗାଏବ ଘଟଣା: ଲୁହାପଥର ଉଠାଣ ଉପରେ ରୋକ ଲାଗିଲା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପ୍ରୋ-ମିନେରାଲର ହଜାର ହଜାର ଟନ୍‌ ଲୁହ‌ାପଥର ଗାଏବ୍‌ ହୋଇଯାଇଛି। ମହଜୁଦ୍‌ ପରିମାଣ ଠାରୁ ବହୁତ କମ୍‌ ଲୁହାପଥର ରହିଥିବା ବେଳେ ଏହାର ହିସାବ ମିଳୁନି। ଏ ସଂପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶନ ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ପ୍ରୋ ମିନେରାଲ ନିଜ ପ୍ଲାଣ୍ଟକୁ କୋଇଡା ଓ କାଶିଆସ୍ଥିତ ଖଣିରୁ ଯେଉଁ ଲୁହାପଥର ଆଣୁଥିଲା, ତାହା ଉପରେ ରୋକ୍‌ ଲାଗିଛି। ପ୍ଲାଣ୍ଟ ପରିସରରେ ଲୁହାପଥର ହିସାବ ମିଳୁ ନ ଥିବାରୁ ଯଦି ଲୁହାପଥର ପ୍ଲାଣ୍ଟକୁ ଆସେ , ତେବେ ପୁରୁଣା ଷ୍ଟକରେ ‌ମିଶିବ କିମ୍ବା ଅନ୍ୟ କୌଣସି ବେଆଇନ କାରବାର ଆଶଙ୍କାରେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଖଣି ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଉମେଶ କୁମାର ଜେନା ସୂଚନା ଦେଇଛନ୍ତି।

ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଜେନା କହିଛନ୍ତି ଗତ କିଛି ଦିନ ଧରି ବିଭିନ୍ନ ଲୁହାପଥର ଖଣିର ଟେଣ୍ଡର ଖୋଲା ଚାଲିଥିବାରୁ ଉଚ୍ଚସ୍ତରୀୟ ବୈଠକରେ ନିର୍ଦ୍ଦେଶକ ବ୍ୟସ୍ତ ରହୁଛନ୍ତି। ଏଭଳିସ୍ଥିତିରେ ପ୍ରୋ ମିନେରାଲର ୭୨୯୮.୦୪୩ ମେଟ୍ରିକ ଟନ୍‌ ଲହାପଥର କମ୍‌ ସଂପର୍କରେ ଯୋଡା ଡିଡିଏମ୍‌ ଦେଇଥିବା ରିପୋର୍ଟ ଉପରେ କୌଣସି ପଦକ୍ଷେପ ନିଆଯାଇ ପାରିନାହିଁ। ସେଥିପାଇଁ ସାମୟିକ ଭାବେ ଏବେ ପ୍ରୋ ମିନେରାଲର ସମସ୍ତ କାର୍ଯ୍ୟକଳାପ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏ ସଂପର୍କରେ ଯୋଡା ଡିଡିଏମ ଲକ୍ଷ୍ମୀଧର ନାଏକଙ୍କୁ ପଚାରିଥିଲୁ। ସେ ମଧ୍ୟ ପ୍ରୋ ମିନେରାଲର ଲୁହାପଥର ଆଣିବା ଉପରେ ରୋକ ଲାଗିଥିବା ସୂଚନା ଦେଇଛନ୍ତି। ସେହିପରି କୋଇଡା ଡିଡିଏମ୍‌ ସଲିଲ ବେହେରା ଅନୁରୂପ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତକାଲିଠାରୁ ପ୍ରୋ ମିନେରାଲର ଲୁହାପଥର ନେବା ବନ୍ଦ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଗତ ୨୪ ତାରିଖରେ ଯୋଡାସ୍ଥିତ ଖଣି ଉପନିର୍ଦ୍ଦେଶକ ଲକ୍ଷ୍ମୀଧର ନାଏକ ଖଣି ନିର୍ଦ୍ଦେଶକଙ୍କୁ ଲେଖିଥିବା ଚିଠିରେ ଲୁହାପଥର ହିସାବ ମିଳୁ ନ ଥିବା ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି। ଚିଠି ନମ୍ବର ୨୩୪/୨୪.୧.୨୦୨୦ରେ ଖଣି ଉପ ନି‌ର୍ଦ୍ଦେଶକ ଦର୍ଶାଇଛନ୍ତି ଯାଞ୍ଚ ବେଳେ ୭୨୯୮.୦୪୩ ମେଟ୍ରିକ ଟନ୍‌ ଲୁହାପଥର କମ୍‌ ରହିଛି। ଓଡ଼ିଶା ମିନେରାଲସ୍‌ ପ୍ରିଭେନସନ୍‌ ଅଫ ଥେପ୍ଟ ସ୍ମଗଲିଂ ଆଣ୍ଡ ଇଲିଗାଲ ମାଇନିଂ -ଓଏମ୍‌ପିଟିଏସ୍‌-୨୦୦୭(୭-ଭିଆଇ) ଖଣି ଆଇନ୍‌କୁ ପ୍ରୋ ମିନେରାଲ ଉଲ୍ଲଂଘନ କରିଥିବା ଯୋଡ଼ା ଡିଡିଏମ୍‌ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର