ପ୍ରୋ ମିନେରାଲରୁ ଲୁହାପଥର ଗାଏବ ଘଟଣା : ତଦନ୍ତ ପାଇଁ ଭିଜିଲାନ୍ସକୁ ଚିଠି

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପ୍ରୋ-ମିନେରାଲର ଷ୍ଟକ୍‌ ହିସାବ ଅନୁସାରେ ହଜାରହଜାର ଟନ୍‌ ଲୁହ‌ାପଥରର ସନ୍ଧାନ ମିଳୁନାହିଁ। ଏହି ଲୁହାପଥର କୁଆଡ଼େ ଗଲା ତାକୁ ନେଇ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି। ଅପରପକ୍ଷରେ ଦୁଇଦୁଇଥର ଯାଞ୍ଚ ପରେ ୭୨୯୮.୦୪୩ ମେଟ୍ରିକ ଟନ୍‌ ଲୁହାପଥର ମିଳୁ ନ ଥିବା ନେଇ ଖୋଦ୍‌ ଖଣି ଉପନିର୍ଦେଶକ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଏସବୁ ସତ୍ତ୍ବେ କିଭଳି ପୁଣି ପ୍ଲାଣ୍ଟକୁ ଲୁହାପଥର ଯୋଗାଣ କରାଯାଉଛି, ତାହା ସନ୍ଦେହ ସୃଷ୍ଟି କରିଛି। ଇତିମଧ୍ୟରେ ବସନ୍ତପୁର ଗ୍ରାମର ୮୦ ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ସ୍ବାକ୍ଷର ସମ୍ବଳିତ ଚିଠି ରାଜ୍ୟ ଭିଜିଲାନ୍ସକୁ ଦିଆଯାଇ ଏହି ଦୁର୍ନୀତିର ତଦନ୍ତ ପାଇଁ ଅନୁରୋଧ କରାଯାଇଛି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଯାଞ୍ଚ ପରେ ୭୨୯୮.୦୪୩ ଟନ୍‌ ଲୁହାପଥର ମିଳୁ ନ ଥିବା ନେଇ ଖୋଦ୍‌ ଖଣି ଉପନିର୍ଦେଶକ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ ବି ଏବେ ଖଣିରୁ ଲୁହାପଥର ଆଣିବା ପ୍ରକ୍ରିୟା ଜାରି ରଖିଛନ୍ତି ପ୍ଲାଣ୍ଟ କତ୍ତୃର୍ପକ୍ଷ। ତେଣୁ ଲୁହାପଥର ଆଣି ଏହି କମ୍‌ ଥିବା ଲୁହାପଥରକୁ ହୁଏତ ରଫାଦଫା କରାଯାଇପାରେ ବୋଲି ଗ୍ରାମବାସୀ ସନ୍ଦେହ କରି ରାଜ୍ୟ ଭିଜିଲାନ୍ସକୁ ଚିଠି ଲେଖି ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି।

ଅଭିଯୋଗରେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ, ଓଡ଼ିଶା ମିନେରାଲସ୍‌ ପ୍ରିଭେନସନ୍‌ ଅଫ ଥେପ୍ଟ ସ୍ମଗଲିଂ ଆଣ୍ଡ ଇଲିଗାଲ ମାଇନିଂ -ଓଏମ୍‌ପିଟିଏସ୍‌-୨୦୦୭(୭-ଭିଆଇ) ଖଣି ଆଇନ୍‌କୁ ଉଲ୍ଲଂଘନ କରିଥିବା ପ୍ରୋ- ମିନେରାଲ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ବିଳମ୍ବ କରାଯାଉଛି। ଏଥିନେଇ ପୁଲିସ୍‌ ମାମଲା ନେଇ ଆଇନ୍‌ରେ ବ୍ୟବସ୍ଥା ଥିଲେ ବି ତାହା ହୋଇନାହିଁ। ୨୦୧୦ ଜାନୁଆରି ୧୪ ତାରିଖରେ ରାଜ୍ୟ ଗୃହ ବିଭାଗ ଚିଠି ନମ୍ବର-୧୨୮/ସି ଅନୁସାରେ -ଓଏମ୍‌ପିଟିଏସ୍‌-୨୦୦୭ ଉଲ୍ଲଂଘନ କରାଗଲେ, ପୁଲିସ ମାମଲା ରୁଜୁ ହେବା କଥା। ମାତ୍ର ତାହା ହୋଇନାହିଁ। ବରଂ ପ୍ରୋ-ମିନେରାଲ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଉଦ୍ଦେଶ୍ୟମୂଳକ ଭାବେ ବିଳମ୍ବ କରାଯାଇ ହଜାର ହଜାର ଟନ୍‌ର ଲୁହାପଥର ଆଣିବା ପାଇଁ ଅନୁମତି ଦିଆଯାଇଛି।

ଗ୍ରାମବାସୀଙ୍କ ଏହି ଅଭି‌ଯୋଗ ଯୋଡ଼ା ଡିଡିଏମ୍‌ ଲକ୍ଷ୍ମୀଧର ନାଏକ କଂପାନି ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଯାହାକିଛି ମତାମତ ଦେବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର