ବହୁ ଉପାଧ୍ୟାୟ ଲୁଚିଛନ୍ତି! ବ୍ୟାଙ୍କ ଟଙ୍କା ଜମାକୁ ନେଇ ତନାଘନା ଜାରି

ବାବୁ ମାନୁନାହାନ୍ତି ଅର୍ଥ ବିଭାଗର ନିର୍ଦେଶ

ଭୁବନେଶ୍ବର : ଶୂନ ପ୍ରତିଶତ ସୁଧରେ ରାଜ୍ୟ ସରକାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଋଣ ସହାୟତା ଦେବା ଲାଗି ବ୍ୟବସ୍ଥା କରିଛନ୍ତି। ହେଲେ ରାଜ୍ୟର ଅଧିକାଂଶ ଘରୋଇ ବ୍ୟାଙ୍କ ଏ କ୍ଷେତ୍ରରେ ଆଗେଇ ଆସୁନାହାନ୍ତି। କୃଷି କ୍ଷେତ୍ରରେ ଚାଷୀଙ୍କୁ ଋଣ ଦେବା କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି। ଦୁର୍ଗମ ଅଞ୍ଚଳରେ ବ୍ୟାଙ୍କ ଶାଖା ଖୋଲିବା ହେଉ କି ଶିକ୍ଷା ଋଣ ସବୁଥିରେ କୁନ୍ଥକୁନ୍ଥ। ଏହା ସତ୍ତ୍ବେ କାହିଁକି ଘରୋଇ ବ୍ୟାଙ୍କ ସରକାରୀ ବଡ଼ ବାବୁମାନଙ୍କ ଗେହ୍ଲା ପୁଅ ସାଜିଛନ୍ତି, କେଉଁ ସ୍ବାର୍ଥ ବଳରେ ଏସବୁ ବ୍ୟାଙ୍କମାନଙ୍କ ହାତରେ ସରକାରଙ୍କର ଶହ ଶହ କୋଟି ଟଙ୍କାର ଅର୍ଥ ଅବିଚାରିତ ଭାବେ ଟେକି ଦିଆଯାଉଛି- ତାହାକୁ ନେଇ ପ୍ରଶ୍ନ ଉଠିଛି।

ଏକ ଘରୋଇ ବ୍ୟାଙ୍କ ଓ ନିଲମ୍ବିତ ଆଇଏଏସ୍ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କ ସଂପର୍କକୁ ‌ନେଇ ଭିଜିଲାନ୍ସ ଖୋଳତାଡ଼ ଜାରି ରଖିଥିବାବେଳେ ଏହି ପ୍ରସଙ୍ଗଟି ଏବେ ରାଜ୍ୟ ସରକାରଙ୍କ ପାଇଁ ବଡ଼ ମୁଣ୍ଡବ୍ୟଥାର କାରଣ ‌େହାଇଛି। ରାଜ୍ୟ ଅର୍ଥ ବିଭାଗର ସବୁ ନିୟମକୁ ଦଳି ଚକଟି ଦେଇ ଅନେକ ପ୍ରଭାବୀ ଆଇଏଏସ୍ ବାବୁ ବିଜୟ କେତନଙ୍କ ଭଳି ସରକାରୀ ଟଙ୍କାକୁ ଅବିଚାରିତ ଭାବେ ବିଭିନ୍ନ ବ୍ୟାଙ୍କରୁ ଉଠାଇ ନେଇ ଘରୋଇ ବ୍ୟାଙ୍କରେ ଜମା ରଖିବା ଲାଗି ଆଦୌ କାର୍ପଣ୍ୟ ଦେଖାଇ ନାହାନ୍ତି। ଏମିତି ଯେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର କୋଟିଏ କି ଦୁଇକୋଟି ନୁହେଁ, ପାଖାପାଖି ୬ଶହ କୋଟି ଟଙ୍କା ସେହି ବିବାଦୀୟ (ବିଜୟ କେତନଙ୍କ ସହ ସଂପର୍କ ଥିବା) ଘରୋଇ ବ୍ୟାଙ୍କ ଆକାଉଣ୍ଟରେ ରଖାଯାଇଥିଲା। ଏବେ କର୍ତୃପକ୍ଷ ଓହରିଯାଇ ସାନି ଟେଣ୍ଡର ପାଇଁ ସଜବାଜ ଚଳାଇଛନ୍ତି ଓ ସଂପୃକ୍ତ ବ୍ୟାଙ୍କକୁ ବାଦ୍ ଦିଆଯାଇଛି। କେଉଁ ପରିସ୍ଥିତିରେ ସେହି ବ୍ୟାଙ୍କକୁ ଏତେ ଅର୍ଥ ଦେଇ ଦିଆଯାଇଥିଲା ଓ ଏବେ କାହିଁକି ତାକୁ ସରକାର ସାମିଲ କରିବା ପାଇଁ ଚାହିଁଲେ ନାହିଁ, ତାହା ବଡ଼ଧରଣର ତଦନ୍ତକୁ ଅପେକ୍ଷା କରୁଛି। ପୂର୍ବରୁ ଏଜି ଶ୍ରୀମନ୍ଦିର ପ୍ରଶାସନ ପାଣ୍ଠି ଜମା ପ୍ରସଙ୍ଗ ତାଙ୍କ ରିପୋର୍ଟରେ ନକାରାତ୍ମକ ମନ୍ତବ୍ୟ ଦେଇଥିଲେ। ଏହା ସତ୍ତ୍ବେ ପ୍ରଶାସନ ଉପରେ ଏହାର ସାମାନ୍ୟତମ ପ୍ରଭାବ ପଡିନାହିଁ।

ଏଥିସହିତ ଘରୋଇ ବ୍ୟାଙ୍କ ଓ ବାବୁଙ୍କ ସଂପର୍କ ନେଇ ଯେତିକି ଅଧିକ ଖୋଳତାଡ ହେଉଛି, ସେତିକି ଅଧିକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବାକୁ ଲାଗିଲାଣି। ଅନୁଗୁଳ ଜିଲ୍ଲା ପ୍ରଶାସନର ୫୯ଲକ୍ଷ ୮୪ ହଜାର ଟଙ୍କା ହଡ଼ପ ହେବା ଓ ‘ସମ୍ବାଦ’ରେ ତନାଘନା ହେବା ପରେ ପୁଣି ରାତାରାତି ଅର୍ଥ ଜମା ଘଟଣା ପଛରେ ବି ଅନୁରୂପ ଅସାଧୁ ସଂପର୍କ ଥାଇପାରେ ବୋଲି ଏବେ ଅର୍ଥ ବିଭାଗର ଅଧିକାରୀମାନେ ସନ୍ଦେହ କଲେଣି। ଅନ୍ୟଥା କେଉଁ ପରିସ୍ଥିତିରେ ହଡ଼ପ ହୋଇଥିବା ଏକକାଳୀନ ଏତେ ଟଙ୍କା ବ୍ୟାଙ୍କରେ ଜମା କରିଦିଆଗଲା? ଏ ଟଙ୍କା ଆସିଲା କେଉଁଠୁ? ନା ପ୍ରବର୍ତନ ନିର୍ଦେଶାଳୟ ନା ଆୟକର ବିଭାଗ କେହି ବି ଏ ସଂପର୍କରେ ତନାଘନା କରିବାକୁ କାହିଁକି ଆଗ୍ରହ ଦେଖାଇନାହାନ୍ତି। ଏହା ପଛରେ ଆଇଏଏସ୍ ଅଫିସର ଲିଙ୍କ୍ ଥିବା ଅଭିଯୋଗ ଉଠିଲାଣି।

ସରକାରୀ ଫାଇଲ ଘଣ୍ଟାଚକଟା କଲେ ଦେଖାଯାଉଛି ଯେ ୨୦୧୧ ଅକ୍ଟୋବର ମାସରୁ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଘରୋଇ ବ୍ୟାଙ୍କମାନେ କିଭଳି ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଅସ୍ତ୍ର କରି ସରକାରୀ ପାଣ୍ଠି ଏପଟସେପଟ କରୁଛନ୍ତି, ତାର ଆଭାସ ପାଇଥିଲେ। ଅର୍ଥ ବିଭାଗ ବିଭିନ୍ନ ସମୟରେ ନିର୍ଦେଶ ଦେଇଛନ୍ତି ଯେ ସରକାରୀ ଉଦ୍ୟୋଗ ବା ସ୍ବୟଂ ଶାସିତ ସଂସ୍ଥାକୁ ବାଦ ଦେଲେ ଆଉ କେହି ଘରୋଇ ବ୍ୟାଙ୍କରେ ଟଙ୍କା ରଖିବାର କୌଣସି ପ୍ରାସଙ୍ଗିକତା ନାହିଁ। ବରଂ ଟ୍ରେଜେରି ମାଧ୍ୟମରେ ଅର୍ଥ ପରିଚାଳନା ଉପରେ ଗୁରୁତ୍ବ ଦିଆଯାଇଛି। କେନ୍ଦ୍ର ସରକାର ଆଉ ପାଦେ ଆଗକୁ ଯାଇ କହିଛନ୍ତି ଯେ ତାଙ୍କ ପାଣ୍ଠି ଅର୍ଥ କେବଳ ସରକାରୀ ଉଦ୍ୟୋଗ ବ୍ୟାଙ୍କ ଓ ଗ୍ରାମୀଣ ବ୍ୟାଙ୍କମାନଙ୍କରେ ରଖାଯାଇପାରିବ।
ହେଲେ ଜିଲ୍ଲାପାଳମାନଙ୍କ ଠାରୁ ଆରମ୍ଭ କରି ସଚିବଙ୍କ ବିରୋଧରେ ଅନେକ ଅଭିଯୋଗ ରାଜ୍ୟ ସରକାରଙ୍କ ନିକଟକୁ ଆସୁଛି, ଯେଉଁମାନେ କେନ୍ଦ୍ରୀୟ ପାଣ୍ଠିକୁ ବାରମ୍ବାର ଉଠାଇ ଏ ବ୍ୟାଙ୍କ ସେ ବ୍ୟାଙ୍କ କରୁଛନ୍ତି।

ଜଣେ ସରକାରୀ ଅଧିକାରୀ ନିଜ ନାମ ଗୋପନ ସର୍ତରେ କହିଛନ୍ତି, ବଜେଟରେ ଥରେ ଟଙ୍କା ଆବଣ୍ଟନ ହେବା ପରେ ଅଧିକାଂଶ ବିଭାଗ ଏହାକୁ ନେଇଯାଇ ଅନ୍ୟତ୍ର ଅର୍ଥାତ୍ ଘରୋଇ ବ୍ୟାଙ୍କମାନଙ୍କରେ ଗଚ୍ଛିତ କରୁଛନ୍ତି। ଏବେ ଯଦି ରାଜ୍ୟ ସରକାର ତନାଘନା କରିବେ, ତେବେ ଯେତିକି ଅର୍ଥ ବର୍ଷବର୍ଷ ଧରି ଖର୍ଚ୍ଚ ନ ହୋଇ ବିଭିନ୍ନ ବ୍ୟାଙ୍କରେ ପଡିରହିଛି, ତାହାର ପରିମାଣ କେତେ ହଜାର କୋଟି ହେବ, ଆକଳନ କରିବା ମୁସ୍କିଲ୍। ଏହାଦ୍ବାରା ରାଜ୍ୟ ବଜେଟକୁ ସରକାରୀ ବାବୁମାନେ କେବଳ ପ୍ରହସନରେ ପରିଣତ କରିଦେଲେଣି ତା ନୁହେଁ,ରାଜ୍ୟ ଅର୍ଥନୀତିକୁ ବି ସେମାନେ ପରୋକ୍ଷରେ ନିୟନ୍ତ୍ରଣ କରିବା ଆରମ୍ଭ କଲେଣି।

ଉଲ୍ଲେଖଥାଉକି, ଘରୋଇ ବ୍ୟାଙ୍କ ପ୍ରତିନିଧିମାନେ ସଚିବାଳୟ ପର୍ଯ୍ୟନ୍ତ ଆସି ଅଧିକାରୀମାନଙ୍କୁ ପ୍ରଭାବିତ କରିବା ଲାଗି ଉଦ୍ୟମ କରୁଛନ୍ତି। ଏ ସଂକ୍ରାନ୍ତ ଅଭିଯୋଗ ଏବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଲାଣି। କୌତୂହଳର କଥା ହେଉଛି, ରାଜ୍ୟ ସରକାରଙ୍କ ଅନ୍ୟ ବିଭାଗମାନେ ଏହି ବାବୁମାନଙ୍କୁ ପାସ୍ ବି ଦେଉଛନ୍ତି। ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ତାଙ୍କ ବିଭାଗ ଏହା ଉପରେ କଟକଣା ଲଗାଇଛି। ସରକାରଙ୍କ ବୈଠକ ନଥିଲେ, ଘରୋଇ ବ୍ୟାଙ୍କ ପ୍ରତିନିଧିମାନେ ସଚିବାଳୟ ଭିତରେ ପ୍ରବେଶ କରିପାରିବେ ନାହିଁ କିମ୍ବା ଅଫିସରମାନଙ୍କୁ ‌େଭଟିପାରିବେ ନାହିଁ।

ସମ୍ବନ୍ଧିତ ଖବର