କିରାସିନି କେଳେଙ୍କାରୀ ନେଇ ତନାଘନା

ଭୁବନେଶ୍ବର : କରୋନା ତାଲାବନ୍ଦ ଯୋଗାଣ ବିଭାଗରେ ଡିଲର୍‌ ଓ ଅଧିକାରୀଙ୍କ ଭିତରେ ଥିବା ମଧୁଚନ୍ଦ୍ରିକାର ପେଡ଼ି ଖୋଲୁଛି। ପ୍ରଥମେ ଚାଉଳ ହେରଫେର ଧରାପଡ଼ିବା ପରେ ଏବେ କିରାସିନିରେ କେଳେଙ୍କାରୀ ଯୋଗାଣ ବିଭାଗର ମୁଣ୍ଡବିନ୍ଧା ବଢ଼ାଇ ଦେଲାଣି। ଗଞ୍ଜାମ ଜିଲ୍ଲାଠୁ ଆରମ୍ଭ କରି କଟକର ମାହାଙ୍ଗା ବ୍ଲକ୍‌ରେ ରାସନ କାର୍ଡ଼ ହିତାଧିକାରୀଙ୍କୁ ଅଧିକ ଦରରେ ଡିଲର୍‌ମାନେ କିରାସିନି ବିକ୍ରି କରୁଥିବା ନେଇ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇବା ପରେ ଯୋଗାଣ ବିଭାଗ ହଠାତ୍ ଚେଇଁ ଉଠିଛି। ଉପଜିଲ୍ଲାପାଳଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସଚିବ ନିର୍ଦେଶ ଦେଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲେ ହେଁ, ଖୋଲାଖୋଲି କେହି ମୁହଁ ଖୋଲିବାକୁ ପ୍ରସ୍ତୁତ ନୁହେଁ।

ଜଣେ ବିଭାଗୀୟ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଖବର ପ୍ରକାଶ ପାଇବା ପରେ ବିଭାଗୀୟ ସଚିବ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍‌ରେ ପଡ଼ିକାର୍ଡ଼ ଧାରୀଙ୍କଠାରୁ ନିଆଯାଇଥିବା ଅଧିକ ଦର ଫେରସ୍ତ କରାଯାଇଛି। ଏହାସହିତ ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ବାକି ଜିଲ୍ଲାରୁ ରିପୋର୍ଟ ମିଳିବା ପରେ ସରକାର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ପ୍ରକାଶଥାଉକି, ମାହାଙ୍ଗା ବିକାଶ ପରିଷଦ ଅଧ୍ୟକ୍ଷ ତଥା ବିଜେପି ନେତା ଶାରଦା ପ୍ରଧାନ ଗତ ଦୁଇଦିନ ତଳେ ସରକାରଙ୍କ ଧାର୍ଯ୍ୟ ଦରରେ ହିତାଧିକାରୀଙ୍କୁ କିରାସିନି ବିକ୍ରି କରା ନଯାଇ ଲିଟର ପିଛା ୪୦ ଟଙ୍କାରେ ବିକ୍ରି କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ, ଯୋଗାଣ ମନ୍ତ୍ରୀ ଓ ଯୋଗାଣ ସଚିବଙ୍କୁ ଚିଠି ଲେଖିଥିଲେ।

ସମ୍ବନ୍ଧିତ ଖବର