ସମସ୍ୟା ଘେରରେ କୁକୁରିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ

୫ ଶ୍ରେଣୀକୁ ଗୋଟିଏ କୋଠରି, ପାଠପଢାରେ ସୃଷ୍ଟି ହେଉଛି ବ୍ୟାଘାତ

ଖମାର : ଖମାର ଥାନା ଇଞ୍ଜିଡ୍ ପଞ୍ଚାୟତର ୫୦ ବର୍ଷର ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବେ ସମସ୍ୟା ଘେରରେ। ଗୋଟିଏ ମାତ୍ର କୋଠରିରେ ୫ଟି ଶ୍ରଣୀର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଦିଆଯାଉଛି। ସରକାର କୁକୁରିଆ ପ୍ରାଥମିକ ବିଦ୍ୟାଳୟ ପ୍ରତି ଅଣଦେଖା କରୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କୁକୁରିଆ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ସମେତ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ଏହି ପୁରୁଣା ସରକାରୀ ପ୍ରାଥମିକ ବାଦ୍ୟାଳୟରେ ଆବଶ୍ୟକ ଅନୁଯାୟୀ ଶ୍ରଣୀଗୃହ ନଥିବାରୁ ଗୋଟିଏ କୋଠରିରେ ପ୍ରଥମରୁ ପଞ୍ଚମ ଯାଏ ଛାତ୍ରଛାତ୍ରୀଙ୍କୁ ବସାଯାଉଛି। ଉକ୍ତ ଶ୍ରେଣୀଗୃହ ଭିତରେ ମଧ୍ୟାହ୍ନ ଭୋଜନ ସାମଗ୍ରୀଠାରୁ ଆରମ୍ଭ କରି ଅଫିସର ଜିନିଷପତ୍ର ରଖାଯାଉଛି। ଫଳରେ ପିଲାମାନେ ଠିକ୍ ଭାବେ ବସି ପାରୁ ନଥିବା ଅଭିଯୋଗ ହଉଛି।

କୋଠରି ଅଭାବ ଥିବାରୁ ଶିକ୍ଷକଙ୍କ ବସିବାକୁ ବି ଜାଗା ନାହିଁ। ବିଦ୍ୟାଳୟର ବାରଣ୍ଡାରେ ମଧ୍ୟାହ୍ନ ଭୋଜନ ରୋଷେଇ କରାଯାଉଛି। ଏହାଦ୍ବାରା ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି। ଉକ୍ତ ବିଦ୍ୟାଳୟରେ ପୂର୍ବରୁ ଥିବା ଦୁଇଟି ଶ୍ରେଣୀଗୃହ ବିପଜ୍ଜନକ ଅବସ୍ଥାରେ ଥିବାରୁ ସେଗୁଡ଼ିକୁ ଆଉ ବ୍ୟବହାର କରାଯାଉ ନାହିଁ। ଏ ସଂକ୍ରାନ୍ତରେ ଗ୍ରାମବାସୀ ବାରମ୍ବାର ବିଭାଗୀୟ କର୍ତୃପକ୍ଷଙ୍କଠାରୁ ପ୍ରଶାସନ ଯାଏ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏଥିପ୍ରତି କେହି ପଦକ୍ଷେପ ନେଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରଶାସନ ପକ୍ଷରୁ ଅଧିକ ଶ୍ରେଣୀଗୃହ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର