ଦଶପଲ୍ଲା ବ୍ଲକ୍‌ରେ ଥିବା ଆଶ୍ରମ ବିଦ୍ୟାଳୟଗୁଡ଼ିକରେ ରହିବା ପାଇଁ ନାହିଁ ଉପଯୁକ୍ତ ବ୍ୟବସ୍ଥା, ଅସୁବିଧାରେ ଅନ୍ତେବାସୀ ଛାତ୍ରଛାତ୍ରୀ

ଦଶପଲ୍ଲା : ସମାଜର ମୁଖ୍ୟସ୍ରୋତରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ସାମିଲ କରିବା ପାଇଁ ସରକାର ବହୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ବିଶେଷ କରି ବିଭିନ୍ନ କ୍ଷେତ୍ରରେ ଏହି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ସରକାର ସ୍ବତନ୍ତ୍ର ସ୍ଥାନ ଦେଇଥାନ୍ତି। ମାତ୍ର ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ସରକାରୀ ଯୋଜନାରୁ ଉପେକ୍ଷିତ ହୋଇ ରହି ଆସୁଥିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଶିକ୍ଷାର ବିକାଶ ଘଟାଇବା ପାଇଁ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ଜିଲ୍ଲାର ପ୍ରତି ବ୍ଲକ୍‌ରେ ସରକାର ଆଶ୍ରମ ଏବଂ ସେବାଶ୍ରମ ବିଦ୍ୟାଳୟ ସ୍ଥାପନ କରିଛନ୍ତି। ଏଠାରେ ଆଦିବାସୀ ଓ ହରିଜନ ବର୍ଗର ଛାତ୍ରଛାତ୍ରୀଙ୍କ ରହିବା ଏବଂ ଖାଇବାର ସୁବନ୍ଦୋବସ୍ତ କରାଯିବା ସହ ସେମାନଙ୍କ ପାଇଁ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଆନୁଷଙ୍ଗୀକ ସାମଗ୍ରୀ ଯୋଗାଇ ଦିଆଯାଇ ଶିକ୍ଷାଦାନ କରାଯାଇଥାଏ। ଏଥିପାଇଁ ସରକାର ରାଜକୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରିଚାଲିଥିବା ବେଳେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ରେ କିନ୍ତୁ ବାସ୍ତବ ଚିତ୍ର ଭିନ୍ନ ଦେଖିବାକୁ ମିଳୁଛି। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଅନ୍ତେବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଆସୁଥିବା ବିଭିନ୍ନ ସୁବିଧା ସୁଯୋଗକୁ ବାଟମାରଣା କରି ଦିଆଯାଉଥିବା ଭଳି ବାରମ୍ବାର ବହୁ ଅଭିଯୋଗ ସତ୍ତ୍ବେ ବିଭାଗୀୟ ଅଧିକାରୀ ଏଠି କିନ୍ତୁ ନିରବ। ବାଡ଼ ଫସଲ ଖାଇବା ନ୍ୟାୟରେ ଏଠି ସରକାରୀ ଯୋଜନାକୁ ବିଭିନ୍ନ ଆଶ୍ରମ ବିଦ୍ୟାଳୟର କିଛି ଶିକ୍ଷକଙ୍କ ସମେତ ବିଭାଗୀୟ କର୍ତ୍ତୃପକ୍ଷ ହରିଲୁଟ୍ କରୁଥିବା ନେଇ ଅଭିଭାବକ ମହଲରେ ଅଭିଯୋଗ ଉଠୁଛି।

ନୟାଗଡ଼ ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନସ୍ଥ ୩୧ ଗୋଟି ଆଶ୍ରମ, ସେବାଶ୍ରମ ଏବଂ ଉଚ୍ଚ ବିଦ୍ୟାଳୟ ରହିଥିବା ବେଳେ ଦଶପଲ୍ଲା ବ୍ଲକ୍‌ରେ ସର୍ବାଧିକ ୧୪ଟି ଆଶ୍ରମ, ସେବାଶ୍ରମ ଏବଂ ଉଚ୍ଚ ବିଦ୍ୟାଳୟ ରହିଛି। ସେଥି ମଧ୍ୟରେ ୯ ଗୋଟି ଆଶ୍ରମ ବିଦ୍ୟାଳୟ ସହିତ ୨ଟି ସେବାଶ୍ରମ ଏବଂ ୩ ଟି ଉଚ୍ଚ ବିଦ୍ୟାଳୟ ରହିଛି। ଏସବୁ ଆଶ୍ରମ ବିଦ୍ୟାଳୟରେ କେବଳ ଦଶପଲ୍ଲା ବ୍ଲକ୍‌ ନୁହେଁ, ଜିଲ୍ଲା ଓ ଜିଲ୍ଲା ବାହାରର ହଜାର ହଜାର ଆଦିବାସୀ ଓ ହରିଜନ ବର୍ଗର ଛାତ୍ରଛାତ୍ରୀ ରହି ଅଧ୍ୟୟନ କରି ଆସୁଛନ୍ତି। ମାତ୍ର ଅନେକ ଆଶ୍ରମ ବିଦ୍ୟାଳୟରେ ଏବେ ବି ଅନ୍ତେବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଉପଯୁକ୍ତ ଆଶ୍ରୟସ୍ଥଳ ବା ହଷ୍ଟେଲ ଗୃହ ନିର୍ମାଣ କରଯାଇ ନାହିଁ। କେଉଁଠି ଆଜବେଷ୍ଟସ୍‌ ଫାଟି ପାଣି ବୋହୁଛି ତ ପୁଣି କେଉଁଠି ହଷ୍ଟେଲ ଗୃହ ନିର୍ମାଣ ହୋଇଥିବା ବେଳେ ତାହା କାର୍ଯ୍ୟକାରୀ ନ ହୋଇ ପଡ଼ିରହିଛି। କେଉଁଠି ପ୍ରତିବାଦ ଉଠାଇଲେ କଥା କଥାକେ ଛାତ୍ରଛାତ୍ରୀଙ୍କୁ ନାଲି ଆଖି ଦେଖାଯାଉଛି ତ ପୁଣି କେଉଁଠି ହଷ୍ଟେଲରୁ ଛାତ୍ରଙ୍କୁ ବାହାର କରି ଦିଆଯାଉଛି। ଏସବୁ ଭିତରେ ଅନ୍ତେବାସୀ ଛାତ୍ରଛାତ୍ରୀମାନେ ବହୁ ଦୁର୍ଦ୍ଦିନ ମଧ୍ୟ ଦେଇ ଗତି କରୁଛନ୍ତି।

ଆଦିବାସୀ ଅଧ୍ୟୁଷିତ ସୁନ୍ଦରକୁମ୍ପା ଆଶ୍ରମ ବିଦ୍ୟାଳୟର ଅନ୍ତେବାସୀଙ୍କ ହଷ୍ଟେଲ ଗୃହଗୁଡ଼ିକର ଆଜବେଷ୍ଟସ୍‌ ଭାଙ୍ଗି ନଷ୍ଟ ହୋଇ ପଡ଼ିଥିବା ବେଳେ ଅସରାଏ ବର୍ଷାରେ ଛାତ୍ରମାନଙ୍କୁ ବହୁ ସମସ୍ୟା ଭୋଗିବାକୁ ପଡୁଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି। ସେହିପରି ନୂଆଗାଁ ଆଶ୍ରମ ବିଦ୍ୟାଳୟର ନୂତନ ହଷ୍ଟେଲ ଗୃହ ନିର୍ମାଣ ଶେଷ ହୋଇଥିବା ବେଳେ ତାହା କାର୍ଯ୍ୟକାରୀ ନହୋଇ ପଡ଼ି ରହିଛି। ଏପରିକି ତତ୍କାଳୀନ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରି ତୁରନ୍ତ ହଷ୍ଟେଲ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ବାଟବଣା ହୋଇଛି। ସେହିପରି ବିଗତ ଦିନଗୁଡ଼ିକରେ ଦେଖିବାକୁ ଗଲେ ବାଣିଗୋଛା ଉଚ୍ଚ ବିଦ୍ୟାଳୟରେ ଅନ୍ତେବାସୀ ଛାତ୍ରଙ୍କୁ ଲଗାଇ ପ୍ରଧାନ ଶିକ୍ଷୟିତ୍ରୀ ଅଇଁଠା ବାସନ ମଜାଇବା ଘଟଣାଠାରୁ ଆରମ୍ଭ କରି ଦୁର୍ଗାପ୍ରସାଦ ଆଶ୍ରମ ବିଦ୍ୟାଳୟରେ ଖୋଲା ଆକାଶ ତଳେ ଛାତ୍ରଛାତ୍ରୀଙ୍କୁ ନିମ୍ନମାନର ଖାଦ୍ୟଦେବା, ବୁଗୁଡା ବାଳିକା ଉଚ୍ଚ ବିଦ୍ୟାଳୟରେ ଚିକିତ୍ସା ଅବହେଳାରୁ ଅନ୍ତେବାସୀ ଛାତ୍ରୀଙ୍କ ମୃତ୍ୟୁ ହେବା ସହ ଟାକରା ଉଚ୍ଚ ବିଦ୍ୟାଳୟରେ ନିମ୍ନମାନର ଖାଦ୍ୟକୁ ନେଇ ପ୍ରତିବାଦ କରୁଥିବା ଛାତ୍ରଙ୍କୁ ମାଡ଼ମାରି ବାରମ୍ବାର ହଷ୍ଟେଲରୁ ବାହାର କରିଦେବା ଭଳି ଅନେକ ସମ୍ବେଦନଶୀଳ ଘଟଣା ଘଟିଥିଲେ ମଧ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଶୂନ।

ଗୋଟିଏ ପାର୍ଶ୍ବରେ ଦେଖିବାକୁ ଗଲେ ଆଶ୍ରମ ବିଦ୍ୟାଳୟଗୁଡ଼ିକୁ ସାମ୍ବାଦିକମାନେ ପ୍ରବେଶ ନକରିବା ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀ ହ୍ବିପ୍ ଜାରି କରିଥିବା ଶୁଣିବାକୁ ମିଳୁଛି। ସେପଟେ ଦଶପଲ୍ଲା ବ୍ଲକ୍‌ରେ କାର୍ଯ୍ୟରତ ବ୍ଲକ୍‌ କଲ୍ୟାଣ ଅଧିକାରୀ ସ୍ଥାନୀୟ ଅଂଚଳର ହୋଇଥିବା ହେତୁ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଅନ୍ତେବାସୀ ଛାତ୍ରଛାତ୍ରୀମାନେ ବହୁ ସମସ୍ୟା ମଧ୍ୟ ଦେଇ ଗତି କରୁଥିବା ଅଭିଯୋଗ ହୋଇ ଆସୁଛି। କିନ୍ତୁ ଏ ସମ୍ପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀ ଦାୟିତ୍ବରେ ଥିବା ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୀମାଞ୍ଚଳ ବେହେରାଙ୍କ କହିବା ଅନୁଯାୟୀ ସୁନ୍ଦୁରୁକୁମ୍ପା ହଷ୍ଟେଲ ଗୃହ ମରାମତି ପାଇଁ ଆମେ ପଦକ୍ଷେପ ନେଉଛୁ, ନୂଆଗାଁ ହଷ୍ଟେଲ ଗୃହ କାମ ବାକି ଥିବା ବେଳେ ଏହା ବିଡିଓଙ୍କ ଦାୟିତ୍ବରେ ରହିଛି। କିନ୍ତୁ ଖାଦ୍ୟପେୟ ସମ୍ପର୍କରେ କୌଣସି ଅଭିଯୋଗ ଆସିଲେ ତଦନ୍ତ କରାଯିବ ବୋଲି କହିଛନ୍ତି। ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଅଭିଭାବକ ମହଲରେ ଦୃଢ଼ ଦାବି କରାଯାଇଛି।

ସମ୍ବନ୍ଧିତ ଖବର