ପାଳିଆ ପୁରସ୍କାରକୁ ନେଇ ବିସ୍ଫୋରକ ସ୍ଥିତି: ଶ୍ରୀମନ୍ଦିର ପ୍ରଶାସନ ବିରୋଧରେ ସେବାୟତ ମେଳି

ପୁରୀ:‌ ପାଳିଆ ପୁରସ୍କାରକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ଭିତରେ ଲାଗି ରହିଥିବା ବିବାଦ ଦିନକୁ ଦିନ ବିସ୍ଫୋରକ ମୋଡ଼ ନେବାରେ ଲାଗିଛି। ଏହାକୁ ନେଇ ସେବାୟତ ମହଲରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ସେବାୟତମାନେ ଶ୍ରୀମନ୍ଦିର ପ୍ରଶାସନ ବିରୋଧରେ ମେଳି ବାନ୍ଧିବା ଆରମ୍ଭ କରିଛନ୍ତି। ଏ ନେଇ ସେବାୟତଙ୍କ ଘନ ଘନ ବୈଠକ ବି ବସୁଛି। ଆଜି ବି ଏ ଉପରେ ସେବାୟତଙ୍କ ଏକ ଗୁପ୍ତ ବୈଠକ ବିଭିନ୍ନ ନିଯୋଗର ସେବାୟତଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଖୁବଶୀଘ୍ର ସେବାୟତମାନେ ଶ୍ରୀମନ୍ଦିର ପ୍ରଶାସନ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବେ। କଳାବ୍ୟାଜ ପରିଧାନ କରି ଶ୍ରୀମନ୍ଦିର ଆଗରେ ସେମାନେ ପ୍ରତିବାଦ କରିବେ। କିନ୍ତୁ ଯଥାରୀତି ସେବାକାର୍ଯ୍ୟ ଚାଲିବ। ସେବା କାର୍ଯ୍ୟରେ କୌଣସି ଅନ୍ତରାୟ ସୃଷ୍ଟି ନକରି ଏମାନେ ଆନ୍ଦୋଳନ କରିବେ। ଶ୍ରୀମନ୍ଦିରରେ ପୂଜାପଣ୍ଡା, ସିଂଘାରୀ, ଗରାବଡ଼ୁ, ପତ୍ରୀବଡ଼ୁ, ଚୁନରା, ପଢ଼ିଆରୀ, ଭିତରଚ୍ଛୁ, ତଳୁଚ୍ଛ, ଘଣ୍ଟୁଆ, ମୁଦ୍ରା, ପତି ମହାପାତ୍ର, ସୁଆରବଡ଼ୁ, ବଡ଼ୁସୁଆର, ମହାସୁଆର, ଖଟଶେଜ ମେକାପ, ବୈଜୟନ୍ତୀ ଆଦି ସେବକମାନେ ନିୟମିତ ମହାପ୍ରଭୁଙ୍କ ସେବା କରି ଆସୁଛନ୍ତି। ସେବାକାର୍ଯ୍ୟ ପାଇଁ ଏମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପାଳିଆ ପୁରସ୍କାର ଦେଇ ଆସୁଛି। ଜଗମୋହନ ମରାମତି ସମୟରେ ସମସ୍ତ ସେବକଙ୍କୁ ଡବଲ ପାଳିଆ ପୁରସ୍କାର ଦିଆଯାଉଥିଲା। ଏ ବାବଦକୁ ସେବାୟତଙ୍କୁ ଦୈନିକ ସର୍ବନିମ୍ନ ୨ହଜାର ଟଙ୍କାରୁ ସର୍ବାଧିକ ୧୨ହଜାର ଟଙ୍କା ପର୍ଯ୍ୟନ୍ତ ମିଳୁଥିଲା। ଗରାବଡ଼ୁ, ପତ୍ରୀବଡ଼ୁ ସେବକମାନେ ସର୍ବନିମ୍ନ ପାଳିଆ ପୁରସ୍କାର ପାଉଥିବାବେଳେ ସର୍ବାଧିକ ପାଳିଆ ପୁରସ୍କାର ପୂଜାପଣ୍ଡା, ସିଂଘାରୀ ସେବକମାନେ ପାଉଥିଲେ। ଏବେ ବି କିନ୍ତୁ ଗତ ଅଗଷ୍ଟ ମାସରୁ ସେବାୟତଙ୍କ ଡବଲ ପାଳିଆ ପୁରସ୍କାର ବନ୍ଦ ରହିଛି। ଏହାକୁ ନେଇ ସେବାୟତମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବହୁ ସେବାୟତ ଗତ ଅଗଷ୍ଟ ମାସରୁ ସେମାନଙ୍କ ପାଳିଆ ପୁରସ୍କାର ଗ୍ରହଣ କରୁନାହାନ୍ତି।

ସମ୍ବନ୍ଧିତ ଖବର