ପରିବେଶକୁ ନେଇ ଗୃହ କମିଟି ବୈଠକ କମ୍ପିଲା, ଅଧିକାରୀ ଥ ଥ ମ ମ, ବର୍ଷିଲେ ବାଚସ୍ପତି

'ସମ୍ବାଦ'ରେ ପ୍ରକାଶିତ ଖବର ଉପରେ ତନାଘନା

ଭୁବନେଶ୍ବର: ରାଜ୍ୟରେ ପ୍ରଦୁଷଣ ମାତ୍ରା ବଢ଼ୁଛି। ଖୁବଶୀଘ୍ର ଦିଲ୍ଲୀ ସହରର ପ୍ରଦୂଷଣ ମାତ୍ରା ପରି ଭୁବନେଶ୍ବର ବି ହୋଇଯିବ। ରାଜଧାନୀ ଭୁବନେଶ୍ବର ଓ ରାଜ୍ୟରେ ବିଭିନ୍ନ ଶିଳ୍ପ ଦ୍ବାରା ଅଙ୍ଗାରକାମ୍ଲ ନିର୍ଗମନ ନେଇ ଆଜି ବିଧାନସଭା ପରିବେଶ ସଂକ୍ରାନ୍ତ ଗୃହ କମିଟି ବୈଠକରେ ଘମାଘୋଟ ଆଲୋଚନା ହୋଇଛି। ରାଜଧାନୀ ପ୍ରଦୂଷିତ ନେଇ ‘ସମ୍ବାଦ’ରେ ପ୍ରକାଶିତ ଖବରକୁ ନେଇ ଗୃହ କମିଟି ସଦସ୍ୟ ମୋହନ ମାଝୀ ତମ୍ବିତୋଫାନ କରିଥିଲେ। ଅଧିକାରୀମାନେ ଖଣ୍ଡନ କରିଥିଲେ ହେଁ, ସେମାନଙ୍କ ଜବାବ କିନ୍ତୁ ସଦସ୍ୟଙ୍କୁ ସନ୍ତୁଷ୍ଟ କରିପାରିନଥିଲା। ବାୟୁ ପ୍ରଦୂଷଣ କରୁଥିବା କେତୋଟି ଶିଳ୍ପାନୁଷ୍ଠାନ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ବିଭାଗୀୟ ଅଧିକାରୀମାନେ ଉତ୍ତର ରଖି ନ ପାରିବାରୁ ବୈଠକରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ ଅସନ୍ତୋଷ ଝାଡିଥିଲେ। ଆସନ୍ତା ବୈଠକରେ ସମ୍ପୂର୍ଣ୍ଣ ତଥ୍ୟ ସହିତ ଆସିବା ଲାଗି ଜଙ୍ଗଲ ଓ ପରିବେଶ ବିଭାଗକୁ ବାଚସ୍ପତି ନିର୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ, ଗ୍ରାମାଞ୍ଚଳରେ ପ୍ଲାଷ୍ଟିକ୍ ନିଷେଧ ନେଇ ପ୍ରଚାର ରଥ ବୁଲାଇବାକୁ କୁହାଯାଇଛି।

ମଙ୍ଗଳବାର ବିଧାନସଭା ସୌଧର ୫୪ ନମ୍ବର ପ୍ରକୋଷ୍ଠରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ପରିବେଶ ସଂକ୍ରାନ୍ତ ଗୃହ କମିଟି ବୈଠକ ବସିଥିଲା। ମୁଖ୍ୟତଃ ୩ ଟି ପ୍ରସଙ୍ଗରେ ଗୃହ କମିଟି ବୈଠକରେ ଆଲୋଚନା କରାଯାଇଥିଲା। ରାଜ୍ୟରେ ଥିବା କେତୋଟି ଶିଳ୍ପର ବର୍ଜ୍ୟ ଜଳଦ୍ବାରା ନଦୀ, କେନାଲ, ଜଳାଶୟ ଓ ଚାଷଜମି ପ୍ରଦୂଷିତ ହେଉଛି। କେତୋଟି ସ୍ପଞ୍ଜ ଆଇରନ୍ କାରଖାନା ଅଙ୍ଗାରକାମ୍ଲ ଗ୍ୟାସ୍ ନିର୍ଗତ କରିବା ବନ୍ଦ କରିଛନ୍ତି। ସହରର ପରିମଳ ବ୍ୟବସ୍ଥା, ପୌର ସଂସ୍ଥା ଓ ଗ୍ରାମାଞ୍ଚଳରେ ପ୍ରଦୁଷଣ ରୋକିବା ପାଇଁ କି ପଦକ୍ଷେପ ନିଆଯାଇଛି ସେ ନେଇ ଆଲୋଚନା କରାଯାଇଥିଲା। ରାଜଧାନୀ ଭୁବନେଶ୍ବରରେ ପ୍ରଦୂଷଣ ମାତ୍ରା ବଢ଼ୁଥିବା ନେଇ ‘ସମ୍ବାଦ’ରେ ପ୍ରକାଶିତ ଖବରକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା କମିଟି ସଦସ୍ୟ ମୋହନ ଚରଣ ମାଝୀ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଏବି ଜଙ୍ଗଲ ଓ ପରିବେଶ ବିଭାଗ ଅଧିକାରୀମାନଙ୍କୁ ପ୍ରଶ୍ନ ପଚାରିଥିଲେ। ଯାହାକୁ ନେଇ ବୈଠକରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଅଧିକାରୀମାନଙ୍କ ଯୁକ୍ତିକୁ ନେଇ ବାଚସ୍ପତି ଶ୍ରୀ ପାତ୍ର ବିରକ୍ତି ପ୍ରକାଶ କରିଥିଲେ। ପ୍ରକାଶିତ ଖବର ଅନୁଯାୟୀ ରବିବାରରେ ଗାଡ଼ି ଚଳାଚଳ କମ୍ ଥାଇ ପ୍ରଦୂଷଣ ମାତ୍ରା ଅଧିକ ଥିବାବେଳେ ସୋମବାର କାର୍ଯ୍ୟ ଦିବସରେ କିପରି କମିଲା ବୋଲି ବିଏସସିଏଲ ଡିସପ୍ଲେ ବୋର୍ଡ଼ରେ ପ୍ରଦର୍ଶିତ ହୋଇଛି। ଏହାର କାରଣ କଣ ବୋଲି ପଚରାଯିବାରୁ ଅଧିକାରୀମାନେ ନିଜ ରିପୋର୍ଟକୁ ନିଜେ ଫାଙ୍କିବାକୁ ସଙ୍କୋଚ କରିନଥିଲେ। କହିଥିଲେ, ପ୍ରକାଶିତ ଖବର ଅସତ୍ୟ ତଥ୍ୟ ଉପରେ ଆଧାରିତ ନୁହେଁ। ଖୋଦ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ଦ୍ବାରା ଲଗାଯାଇଥିବା ଡିସପ୍ଲେ ବୋର୍ଡ଼ ତଥ୍ୟକୁ ସରକାରୀ ବାବୁମାନେ ଫାଙ୍କି ଦେଇଥିଲେ। ସେହିପରି ଅଙ୍ଗାରକାମ୍ଲ ଗ୍ୟାସ ବନ୍ଦ କରିନଥିବା କେତୋଟି ସ୍ପଞ୍ଜ କାରଖାନା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବାଚସ୍ପତି ଶ୍ରୀ ପଚାରିଥିଲେ ବି କୌଣସି ସନ୍ତୋଷଜନକ ଉତ୍ତର ମିଳି ନଥିଲା।

ବୈଠକରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଦେଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ମୋଟ ୬ ହଜାର ଶିଳ୍ପ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଅଧୀନରେ ପରିଚାଳିତ ହେଉଛନ୍ତି। ସେଥିରୁ ଗତ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ୧୧୪୨ଟି ଶିଳ୍ପରୁ ୧୧୧୧ଟି ଶିଳ୍ପ ବର୍ଜ୍ୟଜଳ ବିଶୋଧନ ପ୍ଲାଣ୍ଟ୍ ଲଗାଇଛନ୍ତି। ବିଶୋଧନ ପ୍ଲାଣ୍ଟ ବସାଇନଥିବା ୩୧ଟି ଶିଳ୍ପ ଉତ୍ପାଦନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସ୍ପଞ୍ଜ ଆଇରନ୍ କାରଖାନାରୁ ନିର୍ଗମନ ହେଉଥିବା ଅଙ୍ଗାରକାମ୍ଲ ଗ୍ୟାସ୍ ନିୟନ୍ତ୍ରଣ କରିବା ନେଇ ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ କୌଣସି ମାନ ନିରୂପଣ କରି ନଥିବା ଦର୍ଶାଇଛି। ଓଡ଼ିଶାରେ ଚାଲୁଥିବା ୩୪ଟି ସ୍ପଞ୍ଜ ଆଇରନ ଆଧାରିତ ଶିଳ୍ପରୁ ୨୬ଟି ଶିଳ୍ପ ଅଙ୍ଗାରକାମ୍ଲ ଗ୍ୟାସରୁ ଵେଷ୍ଟ ହେଡ୍ ରିକଭରି ବୟଲର ବସାଇ ଶକ୍ତି ଉତ୍ପାଦନ କରୁଛନ୍ତି। ସେହିପରି ୫୩ଟି ସ୍ପଞ୍ଜ ଆଇରନ୍ କାରଖାନାରୁ ୩ଟି କାରଖାନା ଶକ୍ତି ଉତ୍ପାଦନ ପ୍ଲାଣ୍ଟ୍ ବସାଇ ଅଙ୍ଗାରକ ଗ୍ୟାସ୍ ନିୟନ୍ତ୍ରଣ କରିବାରେ ସମର୍ଥ ହୋଇଛନ୍ତି। ସହରର ପରିମଳ ବ୍ୟବସ୍ଥା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ନିୟନ୍ତ୍ରଣରେ ନାହିଁ। ଗୃହ ଓ ନଗର ଉନ୍ନୟନ ବିଭାଗ ଦେଇଥିବା ତଥ୍ୟ ଅନୁଯାୟୀ, ୧୧୪ଟି ପୌରାଞ୍ଚଳରୁ ଦୈନିକ ମିଳୁଥିବା ୨ ହଜାର ୨୫୫ ଟନ୍ କଠିନ ବର୍ଜ୍ୟବସ୍ତୁରୁ ମାତ୍ର ୯୨ ଟନ୍ ବିଶୋଧନ କରିଯିବା ସହ ବାକିତକ ଡମ୍ପିଂୟାର୍ଡ଼ରେ ପକାଯାଉଛି।
ରାଜ୍ୟ ସରକାର ଗାନ୍ଧୀ ଜୟନ୍ତୀରୁ ସାରା ରାଜ୍ୟରେ ପ୍ଲାଷ୍ଟିକ ବ୍ୟବହାର ଉପରେ ନିଷେଧାଦେଶ ଜାରି କରିଛନ୍ତି। ଏହି ନିଷେଧାଦେଶ ସହରମାନଙ୍କରେ କାର୍ଯ୍ୟକାରୀ ହୋଇଥିଲେ ବି ଗ୍ରାମାଞ୍ଚଳରେ ଏବେ ବି ସଚେତନତା ଅଭାବରୁ ବ୍ୟବହାର କରାଯାଉଛି। ଏଥିଯୋଗୁଁ ଗ୍ରାମାଞ୍ଚଳ ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ଥିବା ନେଇ ବୈଠକରେ ବିଜେଡି ବିଧାୟକ ତଥା କମିଟି ସଦସ୍ୟ ସୌଭିକ୍ ବିଶ୍ବାଳ ଉଦବେଗ ପ୍ରକାଶ କରିଥିଲେ। ଆଗାମୀ ଦିନରେ ଗ୍ରାମାଞ୍ଚଳରେ ନିଷେଧ ହୋଇଥିବା ପ୍ଲାଷ୍ଟିକ ବିଷୟରେ ଲୋକଙ୍କୁ ସଚେତନ କରିବାକୁ ପ୍ରଚାର ରଥ ବୁଲାଇବା ସହ ପ୍ରଚାର ପତ୍ର ବାଣ୍ଟିବାକୁ ବାଚସ୍ପତି ଶ୍ରୀ ପାତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବାଚସ୍ପତି ଶ୍ରୀ ପାତ୍ରଙ୍କୁ ମିଶାଇ ୩୬ ସଦସ୍ୟ ବିଶିଷ୍ଟ ପରିବେଶ ସଂକ୍ରାନ୍ତ ଗୃହ କମିଟି ବୈଠକରେ ଉପସ୍ଥିତ ଥିଲେ। ବିଶେଷଜ୍ଞ ସଦସ୍ୟ ଭାବେ ବିଜେଡି ନେତା ଅରୂପ ପଟ୍ଟନାୟକ ପ୍ରଥମ କରି ଯୋଗଦେଇଥିଲେ। ଶ୍ରୀ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଥିଲେ, ଏହା ତାଙ୍କର ପ୍ରଥମ ଅନୁଭୁତି। ଆଗାମୀ ବୈଠକରେ ରାଜ୍ୟର ପ୍ରଦୂଷଣ ସ୍ଥିତି ବୈଠକରେ ମତ ରଖିବେ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର