ସମ୍ବଲପୁର: ଜିଲ୍ଲା ପରିଷଦ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲା ପୋଛି ନେଇ ବଡ଼ ସଫଳତା ହାସଲ କରିଥିବା ଶାସକ ଦଳ ବିଜେଡିକୁ  ପୌର ନିର୍ବାଚନରେ ମସ୍ତବଡ଼ ଝଟ୍‌କା ଲାଗିଛି। ଅଧିକାଂଶ ପୌରପରିଷଦର ଅଧ୍ୟକ୍ଷ ପଦ ଜିତିଥିଲେ ବି ଦଳ ଏମିତି କିଛି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ହାରିଛି ଯାହା ପ୍ରାର୍ଥୀ ତୁଳନାରେ ସଂପୃକ୍ତ ଅଞ୍ଚଳର ନେତାଙ୍କ ପ୍ରତି ଚାଲେଞ୍ଜ ସୃଷ୍ଟି କରିଛି। ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାର ଏକ ବା ଅଧିକ ଗୁରୁତ୍ବପୂର୍ଣ୍ଣ ପୌରପରିଷଦରେ ବିଜେଡିର ଅଧ୍ୟକ୍ଷ ପ୍ରାର୍ଥୀ ପରାଜିତ ହୋଇଛନ୍ତି। କେତେକ ସ୍ଥାନରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲାବେଳେ ଶାସକ ଦଳ ତୃତୀୟ ସ୍ଥାନକୁ ଠେଲି ହୋଇଯାଇଛି।

Advertisment

ଏହି ନିର୍ବାଚନର ଫଳାଫଳ ମନ୍ତ୍ରୀ ସୁଶାନ୍ତ ସିଂହ, ଟୁକୁନୀ ସାହୁ, ଦିବ୍ୟଶଂକର ମିଶ୍ର, ନବ ଦାସ, ଶାସକ ଦଳ ମୁଖ୍ୟ ସଚେତକ ରୋହିତ ପୂଜାରୀ, ବିଧାୟକ ରାଜେନ୍ଦ୍ର ‌ଢୋଲକିଆ ଆଦି ନେତାଙ୍କ ଲୋକପ୍ରିୟତା ଓ ସାଂଗଠନିକ ଦକ୍ଷତା ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି। କଳାହାଣ୍ଡି ଜିଲ୍ଲାର ବହୁ ଚର୍ଚ୍ଚିତ ମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ନିଜ ଗଡ଼ ଜୁନାଗଡ଼ରେ ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ପରାଜିତ ହୋଇଛନ୍ତି। ଏହା ବିଜେପି ଖାତାକୁ ଯାଇଛି। ଏଥି ସହ ଆଗାମୀ ଦିନରେ ଦିବ୍ୟଶଂକରଙ୍କ ପଥ ଯେ ସୁଗମ ନୁହେଁ ତାହାର ସଂକେତ ମିଳିଯାଇଛି। ସେହିପରି ଧର୍ମଗଡ଼ ଆସନରେ ମଧ୍ୟ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ସେଠାରେ ବିଜେଡି ପ୍ରାର୍ଥୀଙ୍କ ପରାଜୟ ମନ୍ତ୍ରୀ ଦିବ୍ୟଶଂକରଙ୍କ ସହ ଧର୍ମଗଡ଼ ବିଧାୟକ ମୌଷଧି ବାଗଙ୍କ ଅକଲ ବି ଗୁଡୁମ କରି ଦେଇଛି। ଗତ ୨ଟି ପଞ୍ଚାୟତ ନିର୍ବାଚନ (୨୦୧୭ ଓ ୨୦୨୨) ରେ ନୂଆପଡ଼ା ଜିଲ୍ଲା ବିଜେଡିର ଗଡ଼ ସାବ୍ୟସ୍ତ ହୋଇଥିଲା। କିନ୍ତୁ ଦିନ କେଇଟା ପରେ ପୌର ନିର୍ବାଚନରେ ଜିଲ୍ଲାର ୩ଟି ଯାକ ଅଧ୍ୟକ୍ଷ ଆସନ ଦଳ ହାତଛଡ଼ା କରିଛି। ଏଠାରେ ବିଜେପି ସାଂସଦ ବସନ୍ତ ପଣ୍ଡାଙ୍କୁ ଲୋକେ ପାନେ ଚଖାଇ ଥିବାବେଳେ, ବିଜେଡି ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କୁ ଅବସ୍ଥା ଢିଲା କରି ଦେଇଛନ୍ତି। ସାଂସଦଙ୍କ ପୁଅ ଅଭିନନ୍ଦନ ପଣ୍ଡା ନୂଆପଡ଼ା ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରି ସ୍ବାଧୀନ ପ୍ରାର୍ଥୀଙ୍କଠାରୁ ହାରି ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଅପରପକ୍ଷରେ ବିଧାୟକ ଢୋଲକିଆଙ୍କ ସମର୍ଥିତ ବିଜେଡି ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଛନ୍ତି। ଖରିଆର୍‌ରେ କଂଗ୍ରେସ୍ ବିଜୟୀ ହୋଇଛି, ଦ୍ବିତୀୟ ସ୍ଥା‌ନରେ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି ଓ ବିଜେଡି ତୃତୀୟ ସ୍ଥାନକୁ ଠେଲି ହୋଇଯାଇଛି। ଖରିଆର୍‌ ରୋଡ୍‌ରେ ଅଧ୍ୟକ୍ଷ ପଦ ବିଜେପି ଖାତାକୁ ଯାଇଥିବା ବେଳେ ବିଜେଡି ପ୍ରାର୍ଥୀ ଦ୍ବିତୀୟ ସ୍ଥାନରେ ରହିଛନ୍ତି।

ସବୁଠୁ ଆଶ୍ଚର୍ଯ୍ୟଜନକ ଫଳାଫଳ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଦ୍ବିତୀୟ ଘର କହା ଯାଉଥିବା ବିଜେପୁର ନିର୍ବାଚନମଣ୍ଡଳୀରେ। ଏହି ନିର୍ବାଚନମଣ୍ଡଳୀର ସବୁଠୁ ଗୁରୁତ୍ବପୂର୍ଣ୍ଣ ବରପାଲି ଏନ୍‌ଏସିରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସାରା ପଶ୍ଚିମ ଓଡ଼ିଶାରେ ବିଜେଡି ସଂଗଠନର ମଙ୍ଗ ଧରିଥିବା ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ମନୋନୀତ ବିଜେଡି ପ୍ରାର୍ଥୀ ଏଠି ପରାସ୍ତ ହୋଇଛନ୍ତି। ସ୍ଥାନୀୟ ବିଧାୟିକା ରୀତା ସାହୁଙ୍କ ପ୍ରଚ୍ଛନ୍ନ ସମର୍ଥନରେ ଛିଡ଼ା ହୋଇଥିବା ସ୍ବାଧୀନ ପ୍ରାର୍ଥୀ ନିର୍ବଚନ ଜିତିବା, ସେଠାରେ ବିଜେଡି ମଧ୍ୟରେ ଏକ ବଡ଼ ଅନ୍ତର୍ଦ୍ବନ୍ଦ୍ବର ସୂତ୍ରପାତ କରିଛି। ସ୍ବାମୀଙ୍କ ମୃତ୍ୟୁ ପରେ କଂଗ୍ରେସ୍‌ରୁ ଡାକି ଆଣି ବିଜେଡି ବିଧାୟକ କରିଥିବା ରୀତାଙ୍କ ଏହି ବିଦ୍ରୋହୀ ଭୂମିକାକୁ ଦଳ କେମିତି ଦୃଷ୍ଟିରେ ନେବ ତାହା ତ’ ପର କଥା, କିନ୍ତୁ ଏହି ଫଳାଫଳ ସୁଶାନ୍ତଙ୍କ ସମ୍ମାନରେ ଆଞ୍ଚ ଆଣିଛି ଏହା ଯେକେହି ସ୍ବୀକାର କରିବେ।

ସେହିପରି ବହୁ ବର୍ଷ ଧରି ଝାରସୁଗୁଡ଼ା ଜିଲ୍ଲାରେ ଅପ୍ରତିଦ୍ବନ୍ଦ୍ବୀ ନେତା ଭାବେ ଉଭା ହୋଇଥିବା ମନ୍ତ୍ରୀ ନବ ଦାସଙ୍କୁ ଏଥର ପ୍ରଥମ ଝଟ୍‌କା ଲାଗିଛି। କିଶୋର ମହାନ୍ତିଙ୍କ ଅବର୍ତ୍ତମାନରେ ନିଜେ ସମଗ୍ର ଜିଲ୍ଲାର ମଙ୍ଗ ଧରିଥିବା ନବ ବେଲପାହାଡ଼ରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାରେ ଅସମର୍ଥ ହୋଇଛନ୍ତି। ସେଠାରେ କଂଗ୍ରେସ ପ୍ରାର୍ଥୀ ବିଜୟୀ। ସମ୍ବଲପୁର ଜିଲ୍ଲାରେ ରେଢ଼ାଖୋଲ ବିଧାୟକ ‌ରୋହିତ ପୂଜାରୀଙ୍କ ସ୍ଥିତି ଦୋହଲି ଯାଇଥିବା ଏହି ନିର୍ବାଚନରୁ ସଂକେତ ମିଳିଛି। ଜିଲ୍ଲା ପରିଷଦ ନିର୍ବାଚନରେ ସାରା ଜିଲ୍ଲାରେ ଦଳ ଭଲ କରିଥିବାବେଳେ ରେଢ଼ାଖୋଲ ବ୍ଲକ୍‌ରେ ପ୍ରଦର୍ଶନ ସବୁଠୁ ଦୁର୍ବଳ ରହିଥିଲା। ସେଠାରେ ଗୋଟିଏରେ ହାରିଥିବାବେଳେ ଅନ୍ୟଟିରେ ୨୦୦ରୁ କମ୍ ଭୋଟ୍‌ରେ ଶେଷ ରାଉଣ୍ଡରେ ବିଜୟୀ ହୋଇଥିଲା। ରେଢ଼ାଖୋଲ ଏନ୍‌ଏସି ଆସନ ମଧ୍ୟ ରୋହିତଙ୍କ ସମର୍ଥିତ ବିଜେଡି ପ୍ରାର୍ଥୀ ହାରି ଯାଇଛନ୍ତି। ସେଠାରେ ବିଜେପି ପ୍ରାର୍ଥୀ ବି‌ଜୟୀ ହେବା ରୋହିତଙ୍କୁ ମସ୍ତବଡ଼ ଝଟ୍‌କା ଦେଇଛି।

ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ବଲାଙ୍ଗୀର ଜିଲ୍ଲାରେ ମନ୍ତ୍ରୀ ଟୁକୁନି ସାହୁଙ୍କ ଗଡ଼ ଟିଟିଲାଗଡ଼ ବିଜେପି ଛଡ଼ାଇ ନେଇଛି। ସେ ତାଙ୍କ ପୌରପାଳିକାରେ ନିଜ ପ୍ରାର୍ଥୀଙ୍କୁ ଜିତାଇପାରି ନାହାନ୍ତି। ପଞ୍ଚାୟତ ଭଳି ପୌର ନିର୍ବାଚନରେ ମଧ୍ୟ ବଲାଙ୍ଗୀରରେ ବରିଷ୍ଠ କଂଗ୍ରେସ୍ ନେତା ନରସିଂହ ମିଶ୍ରଙ୍କୁ ଝଟ୍‌କା ଲାଗିଛି। ସେଠାରେ କଂଗ୍ରେସ୍ ପ୍ରାର୍ଥୀ ପରାସ୍ତ ହୋଇଥିବାବେଳେ ଅଧ୍ୟକ୍ଷ ପଦ ବିଜେଡି ଖାତାକୁ ଯାଇଛି। ତେବେ କଣ୍ଟାବାଞ୍ଜିର କଂଗ୍ରେସ୍‌ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ପ୍ରଭାବ ନିଜ ନିର୍ବାଚନମଣ୍ଡଳୀରେ ଅବ୍ୟାହତ ରହିଛି। ତାଙ୍କ ମନୋନୀତ ପ୍ରାର୍ଥୀ ମାନେ ଜିଲ୍ଲା ପରିଷଦରେ ଭଲ କରିଥିବାବେଳେ ଏବେ କଣ୍ଟାବାଞ୍ଜି ପୌରାଧ୍ୟକ୍ଷ ନିର୍ବାଚନରେ ବି ବାଜିମାତ୍‌ କରିଛନ୍ତି।