ଖୋର୍ଦ୍ଧା: ବିଭାଗୀୟ ଅଧିକାରୀମାନେ ତାଙ୍କର ଫୋନ୍ ଧରୁନାହାନ୍ତି। ଅନେକଥର କଲ୍‌ କରିବା ପରେ ମଧ୍ୟ ପ୍ରତ୍ୟୁତ୍ତର ମିଳୁନାହିଁ। ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ୫-ଟି ସମୀକ୍ଷା ବୈଠକରେ ଏହିଭଳି ଅସନ୍ତୋଷ ପ୍ରକାଶ କରିଛନ୍ତି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। କେବଳ ମନ୍ତ୍ରୀ ଶ୍ରୀ ପଣ୍ଡା ନୁହନ୍ତି, ବୈଠକରେ ଅଧ୍ୟକ୍ଷତା କରୁଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ଶକ୍ତି, ଶିଳ୍ପ ଓ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମଧ୍ୟ ସମାନ କଥା କହିଛନ୍ତି। ସେ କହିଛନ୍ତି ଯେ, ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ନେଇ ମନ୍ତ୍ରୀ କିମ୍ବା ବିଧାୟକଙ୍କ ନିକଟରେ ତଥ୍ୟନାହିଁ। କାମ କେଉଁଠି ଅଟକି ଯାଇଛି ସେ ନେଇ ଜିଲ୍ଲାପାଳଙ୍କୁ ମଧ୍ୟ ବିଭାଗୀୟ ଅଧିକାରୀ ଜଣାଉନାହାନ୍ତି। ରାଜ୍ୟର ଗୁରୁତ୍ବପୂର୍ଣ୍ଣ ବିଭାଗମାନଙ୍କର ଦୁଇ ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ପରେ ସରକାରୀ ଯୋଜନା କିଭଳି ପ୍ରଶାସନିକ ଅବ୍ୟବସ୍ଥା ମଧ୍ୟରେ ଛନ୍ଦି ହୋଇଯାଇଛି, ତାହାର ଏକ ସୂଚନା ମିଳିଛି।

Advertisment

publive-image

ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ସମ୍ମିଳନୀ କକ୍ଷରେ ଆଜି ଏହି ବୈଠକ ବସିଥିଲା। ବୈଠକରେ ଉନ୍ନୟନ କାମକୁ ନେଇ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା ଉପରେ ମନ୍ତ୍ରୀ ଶ୍ରୀ ମିଶ୍ର ଗୁରୁତ୍ବାରୋପ କରିଥିଲେ। ଉପସ୍ଥିତ ବିଧାୟକମାନେ ଏହି ବୈଠକରେ ନିଜ ନିଜ ଅଞ୍ଚଳର ସମସ୍ୟା ପ୍ରସଙ୍ଗ ଉଠାଇଥିଲେ। ତେବେ ଆଲୋଚନାବେଳେ ମନ୍ତ୍ରୀ ଶ୍ରୀ ମିଶ୍ର ବିଭିନ୍ନ ଯୋଜନାରେ ମିଳିଥିବା ଅନୁଦାନ, କାର୍ଯ୍ୟର ଅଗ୍ରଗତି, ବନ୍ଦ ଥିବା କାର୍ଯ୍ୟର ସ୍ଥିତି ଆଦି ନେଇ ଅଜ୍ଞତା ପ୍ରକାଶ କରିବା ସହିତ ଏ ନେଇ ତୁରନ୍ତ ଜଣାଇବାକୁ ବିଭାଗୀୟ ଅଧିକାରୀମାନଙ୍କୁ କହିଥିଲେ। ବୈଠକରେ ଉପସ୍ଥିତ ଥିବା ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଶ୍ରୀ ପଣ୍ଡା ମଧ୍ୟ କହିଥିଲେ ଯେ, ବିଭାଗୀୟ ଅଧିକାରୀମାନେ ତାଙ୍କର ଫୋନ୍ ଧରୁନାହାନ୍ତି। ଅନେକ ଥର କଲ୍‌ କରିବା ପରେ ମଧ୍ୟ ପ୍ରତ୍ୟୁତ୍ତର ମିଳୁ ନ ଥିବାରୁ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ବୈଠକରେ ଚିଲିକା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଜୟଦେବ ବିଧାୟକ ଅରବିନ୍ଦ ଢାଲି, ବିଧାୟକ ଅନନ୍ତ ନାରାୟଣ ଜେନା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳେଇ, ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ, ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ, ପିଡି ଡିଆର୍‌ଡିଏ ଦିଗନ୍ତ ରାଉତରାୟ, ଏଡିଏମ୍ ମନୋରଂଜନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।