ଗଞ୍ଜାମରେ ଆବାସ ଅଡ଼ୁଆ ବଢ଼ୁଛି, ଯାଞ୍ଚ୍‌ରେ କଟିଥିବା ୬୩ ହିତାଧିକାରୀ ପରିବାରଙ୍କ ଧାରଣା

ଶେରଗଡ଼ : ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚୂଡ଼ାନ୍ତ ହିତାଧିକାରୀ ତାଲିକା ପ୍ରକାଶ ପାଇବା ପରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ଅସନ୍ତୋଷ ତେଜିବାରେ ଲାଗିଛି। ବହୁ ଯୋଗ୍ୟ ହିତାଧିକାରୀଙ୍କ ନାମକୁ ବାଦ୍ ଦିଆ ଯାଇଥିବା ଏବଂ ଅନେକ ଅଯୋଗ୍ୟ ତଥା ଧନୀ ବ୍ୟକ୍ତିମାନଙ୍କୁ ଚୂଡ଼ାନ୍ତ ତାଲିକାରେ ସାମିଲ କରା ଯାଇଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ଫଳରେ ସମସ୍ତ ପଞ୍ଚାୟତ ପକ୍ଷରୁ ଗୁପ୍ତ ଭାବେ ଅଯୋଗ୍ୟ ହିତାଧିକାରୀଙ୍କ ବିଷୟରେ ଅଭିଯୋଗପତ୍ର ଗ୍ରହଣ କରାଯାଇ ଯାଞ୍ଚ୍ ପରେ କିଛି ହିତାଧିକାରୀଙ୍କୁ ବାଦ୍ ଦିଆଯାଇଛି। ଯାହାକୁ ନେଇ ଏବେ ଚାରିଆଡ଼େ ଅଡ଼ୁଆ ପରିସ୍ଥିତି ବଢ଼ିବାରେ ଲାଗିଛି। ଏହି କ୍ରମରେ ଶେରଗଡ଼ ବ୍ଲକ୍ ଖିରିଡ଼ା ପଞ୍ଚାୟତର ୬୩ ଜଣ ହିତାଧିକାରୀଙ୍କ ନାମକୁ ଚୂଡ଼ାନ୍ତ ତାଲିକାରୁ ବାଦ୍ ଦିଆଯାଇଥିବାରୁ ଏହାର ପ୍ରତିବାଦରେ ସେମାନେ ଦିନତମାମ ବ୍ଲକ୍ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ଚୂଡ଼ାନ୍ତ ତାଲିକାରେ ୮୯ ଜଣଙ୍କ ନାମ ରହିଥିଲା। କିନ୍ତୁ ଅନଲାଇନ୍ ଓ ଅଫଲାଇନ୍ ଅଭିଯୋଗକୁ ଯାଞ୍ଚ ପରେ ତନ୍ମଧ୍ୟରୁ ୬୩ ଜଣଙ୍କୁ ବାଦ୍ ଦିଆଯାଇଛି। ଏହାର ପ୍ରତିବାଦରେ ଶତାଧିକ ମହିଳା ଓ ପୁରୁଷ ଧାରଣା ଦେଇଥିଲେ। ସେମାନଙ୍କ ଅଭିଯୋଗ ହେଉଛି, ପଞ୍ଚାୟତର ସରୋଜନଗରରେ ସବିତା ନାଇକ, ରଶ୍ମିତା ନାଇକ, ମମତା ନାଇକ, ରଶ୍ମି ନାଇକ, ଗାୟତ୍ରୀ ନାଇକ ଓ ମମତା ନାଇକ ଚାଳଛପର ଘରେ ରହୁଛନ୍ତି। ଜଙ୍ଗଲରୁ ବାଉଁଶ ଆଣି ନିଶୁଣି ତିଆରି କରି ଏହାକୁ ବିକ୍ରି କରୁଛନ୍ତି। କିନ୍ତୁ କେଉଁ ଆଧାରରେ ଉପରୋକ୍ତ ଗରିବ ପରିବାରଙ୍କୁ ଆବାସ ତାଲିକାରୁ ବାଦ୍ ଦିଆଗଲା ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ବିଭିନ୍ନ ନାରା ଦେଇ ଗ୍ରାମବାସୀ ଦିନତମାମ ବ୍ଲକ୍ କାର୍ଯ୍ୟାଳୟର ଫାଟକ ଆଗରେ ଧାରଣା ଦେଇଥିଲେ। ଦାବି ପୂରଣ ନହେବା ଯାଏ, ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି। ଖବର ଲେଖାଯିବା ସୁଦ୍ଧା, ଏଯାଏ ଗ୍ରାମବାସୀ ଧାରଣା ଜାରି ରଖିଛନ୍ତି।

ସୂଚନା ଥାଉକି, ଶେରଗଡ଼ ବ୍ଲକ୍‌ରେ ୧୬୯୦ ହିତାଧିକାରୀଙ୍କ ନାମ ଚୂଡ଼ାନ୍ତ ତାଲିକାରେ ରହିଥିଲା। ମୋଟ ୧୭୯ଟି ଅଭିଯୋଗକୁ ବିଚାରରେ ନେଇ ପ୍ରଶାସନିକ ତଦନ୍ତ ପରେ ୧୫୫ ଜଣ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଥିଲେ। ତନ୍ମଧ୍ୟରୁ ଖିରିଡ଼ା ପଞ୍ଚାୟତରୁ ସର୍ବାଧିକ ୬୩ ଜଣ ଅଛନ୍ତି।

ସମ୍ବନ୍ଧିତ ଖବର