ଭଞ୍ଜନଗର : ଡାକ୍ତର ଅଭାବ ଓ ଭିତ୍ତିଭୂମି ସମସ୍ୟା ଭିତରେ ସନ୍ତୁଳି ହେଉଥିବା ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନା ପ୍ରତି ସ୍ବାସ୍ଥ୍ୟ ବିଭାଗ ପୁଣି ଅବହେଳା ମନୋଭାବ ଦେଖାଇଛି। ବହୁଦିନର ଦାବି ଏବଂ ଆନ୍ଦୋଳନ ପରେ ତିନିଜଣ ଡାକ୍ତରଙ୍କୁ ଏଠାରେ ଅବସ୍ଥାପିତ କରାଯାଇଥିଲା। କିନ୍ତୁ ବିଭିନ୍ନ କାରଣ ଦର୍ଶାଇ ସେମାନଙ୍କୁ ଏଠାରୁ ରିଲିଭ୍ କରିଦିଆଯାଇଥିବା ସହ ନୂଆ ଡାକ୍ତରଙ୍କୁ ଏଯାଏ ନିଯୁକ୍ତି ଦିଆଯାଇନି। ଫଳରେ ପୁଣି ରୋଗୀ ସେବା ଗଭୀର ଭାବେ ପ୍ରଭାବିତ ହୋଇଛି।
ଏହି ଡାକ୍ତରଖାନା ଉପରେ ଭଞ୍ଜନଗର ଉପଖଣ୍ଡ ସମେତ ସୀମାନ୍ତ କନ୍ଧମାଳ ଓ ନୟାଗଡ଼ ଜିଲ୍ଲାବାସୀ ନିର୍ଭରଶୀଳ। କିନ୍ତୁ ୨୪ ଜଣ ଡାକ୍ତରଙ୍କ ଜାଗାରେ ମାତ୍ର ୧୪ ଜଣ ଅଛନ୍ତି। ସେମାନଙ୍କ ମଧ୍ୟରୁ ୯ ଜଣ ବିଶେଷଜ୍ଞ ଡାକ୍ତର ଅଛନ୍ତି। ତେବେ ସର୍ଜରି, ନିଶ୍ଚେତକ ଓ ଚକ୍ଷୁ ଭଳି ଗୁରୁତ୍ବପୂର୍ଣ ବିଭାଗରେ କେହି ବିଶେଷଜ୍ଞ ନାହାନ୍ତି। ଡାକ୍ତର ଅଭାବ ସହିତ ସହଯୋଗୀ ପଦବି ଗୁଡ଼ିକ ବି ଖାଲି ପଡ଼ିଛି। ବହୁବର୍ଷ ଧରି ଏମ୍ବିବିଏସ୍ ସର୍ଜନ୍ ନାହାନ୍ତି।
ଡାକ୍ତର ପଦବି ପୂରଣ ଦାବିରେ ଗତ ଅଗଷ୍ଟ ମାସରେ ସାମ୍ବାଦିକ ସଂଘ ସମେତ ଅନେକ ସଙ୍ଗଠନ ପ୍ରଶାସନ ନିକଟରେ ସେମାନଙ୍କ ଦାବି ଉପସ୍ଥାପନ କରିଥିଲେ। ଏହାପରେ ଏଠାରେ ୩ ଜଣ ଏମ୍ବିବିଏସ୍ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିଲା। କିଛି ମାସ କାମ କରିବା ପରେ ଜଣେ ଡାକ୍ତର ପିଜି କରିବାକୁ ଛତିଶଗଡ଼ ଓ ଆଉ ଜଣେ ଡାକ୍ତର ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜକୁ ପଳାଇଲେ। ଅନ୍ୟଜଣେ ଡାକ୍ତରଙ୍କୁ ଜେଲ୍ରେ ନିଯୁକ୍ତି ଦିଆଗଲା।
ଫଳରେ ସ୍ଥିତି ବର୍ତ୍ତମାନ ସଂଗିନ୍ ପାଲଟିଛି। ବିଶେଷଜ୍ଞ ଡାକ୍ତରମାନେ ହିଁ ପୂର୍ବ ଭଳି ଆଉଟ୍ଡୋର ଓ ଇନ୍ଡୋର ରୋଗୀଙ୍କ ସେବା କରୁଛନ୍ତି। ଏଭଳି ପରିସ୍ଥିତିରେ ଗତ ସପ୍ତାହରେ ଉଦ୍ଘାଟିତ ହୋଇଥିବା ସହରାଞ୍ଚଳ ସ୍ବାସ୍ଥକେନ୍ଦ୍ର ପାଇଁ ସ୍ବତନ୍ତ୍ର ଡାକ୍ତର ନିଯୁକ୍ତି ଦିଆଯାଇନି। ବିକଳ୍ପ ବ୍ୟବସ୍ଥା ସ୍ବରୂପ ସେଠାରେ ଆଉଟ୍ଡୋର୍ ସେବା ପାଇଁ ଏଠାରୁ ଜଣେ ଡାକ୍ତର ନିୟୋଜିତ ହୋଇଛନ୍ତି। ଫଳରେ ଉପଖଣ୍ଡ ଡାକ୍ତରଖାନାରେ ରୋଗୀ ସେବା କେମିତି ଚାଲୁଛି ତାହା ଏଥିରୁ ସ୍ପଷ୍ଟ ଅନୁମେୟ।
ସବୁଠୁ ଉଦ୍ବେଗର ବିଷୟ ହେଉଛି, ୪ ବର୍ଷ ଧରି ଗୁରୁତ୍ବପୂର୍ଣ୍ଣ ସର୍ଜରି ବିଭାଗରେ ଜଣେ ବି ଡାକ୍ତର ନାହାନ୍ତି। ଫଳରେ ଦୁର୍ଘଟଣାରେ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ରେଫର୍ କରାଯାଉଛି। ଜଣେ ଅସ୍ଥିଶଲ୍ୟ ଡାକ୍ତର ସର୍ଜରି ବିଭାଗରେ କାମଚଳା ଦାୟିତ୍ବ ନିର୍ବାହ କରୁଛନ୍ତି। ଅଧୀକ୍ଷକଙ୍କୁ ମିଶାଇ ୪ ଜଣ ସ୍ତ୍ରୀ ଓ ପ୍ରସୂତି ଡାକ୍ତର ରହିଥିବା ବେଳେ ଜଣେ ନିଶ୍ଚେତକ ବିଶେଷଜ୍ଞ ଛତ୍ରପୁରରେ ତିନି ଦିନ ଏବଂ ଏଠାରେ ତିନିଦିନ ଡ୍ୟୁଟି କରୁଛନ୍ତି। ଫଳରେ ଭଞ୍ଜନଗର ଡାକ୍ତରଖାନା ପ୍ରତି ସ୍ବାସ୍ଥ୍ୟ ବିଭାଗ ଦୟା ଦେଖାଉଛି ନା’ ଅବହେଳା ମନୋଭାବ ପ୍ରଦର୍ଶନ କରୁଛି ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।