ବାଲେଶ୍ବର: ସାଧାରଣ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ବି ବାଲେଶ୍ବର ସଦର ବିଧାନସଭା କ୍ଷେତ୍ରରେ ଦଳୀୟ ବିବାଦ ଥମିବା ନାଁ ଧରୁନାହିଁ। ଆଜି ଜନସମ୍ପର୍କ ପଦଯାତ୍ରାରେ ଏହି ଆଭ୍ୟନ୍ତରୀଣ ବିବାଦ ଆହୁରି ସ୍ପଷ୍ଟ ହୋଇଛି। ପୂର୍ବରୁ ସୁପ୍ରିମୋଙ୍କ ନିକଟକୁ ଯାଇ ବିଷ ଉଗାଳିବା ଓ ଦଳର ବରିଷ୍ଠ ନେତା, ସଦସ୍ୟ ଏବଂ ନିର୍ବାଚିତ ପ୍ରତିନିଧିଙ୍କୁ ବିଭିନ୍ନ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାନଯିବା ଭଳି ଘଟଣା ଦେଖିବାକୁ ମିଳିଥିଲା। ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ବିଜେଡିର ଜନସମ୍ପର୍କ ପଦଯାତ୍ରାକୁ ଏଥର ବିଜେପି ସରକାର ବିରୋଧରେ କରିବାକୁ ଦଳପକ୍ଷରୁ ଆହ୍ବାନ ଦିଆଯାଇଥିଲା। ଆଜି ବାଲେଶ୍ବର ପୌରପାଳିକାରେ ସଦରର ପୂର୍ବତନ ବିଧାୟକ ସ୍ବରୂପ କୁମାର ଦାସଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଯେଉଁଥିରେ ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ସାଂସଦ ପ୍ରାର୍ଥିନୀ ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ସହ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ। କିନ୍ତୁ ସଦର ବିଧାନସଭା କ୍ଷେତ୍ରରେ ବିଜେଡିରୁ ପ୍ରତିନିଧିତ୍ବ କରୁଥିବା ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ବାଲେଶ୍ବର ପୌରାଧ୍ୟକ୍ଷା ସବିତା ସାହୁ ଓ ବାଲେଶ୍ବର ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହେରାଙ୍କ ଦେଖା ମିଳିନଥିଲା। ଏମାନଙ୍କ ସହ ଦଳର କିଛି ପ୍ରମୁଖ ନେତା, ଜିଲ୍ଲା ପରିଷଦ, ସରପଞ୍ଚ, ସମିତିସଭ୍ୟ, କାଉନସିଲରଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥିଲା। ପୂର୍ବତନ ବିଧାୟକ ସ୍ବରୂପ ଦାସ ଏହି କାର୍ଯ୍ୟକ୍ରମର ନେତୃତ୍ବ ନେଇଥିବା ବେଳେ ତାଙ୍କର ସମର୍ଥକମାନେ ଅଂଶଗ୍ରହଣ କରିଥିଲେ।  

Advertisment

ଏନେଇ ଜିଲ୍ଲା ପରିଷଦ ସଭାପତି ଶ୍ରୀ ପ୍ରଧାନଙ୍କୁ ପଚାରିବାରୁ ସେ ସ୍ବରୂପଙ୍କ ବିରୋଧରେ ବିଷ ଉଗାଳିଥିଲେ। ସିଧାସିଧା କହିଥିଲେ, ବାଲେଶ୍ବର ସଦର ଉପନିର୍ବାଚନରେ ନିର୍ବାଚିତ ହେବା ପରେ ସ୍ବରୂପ ଲୋକମାନଙ୍କ ଠାରୁ ଦୂରେଇ ଯାଇଥିଲେ। ନବୀନ ସରକାରଙ୍କ ବିକାଶମୂଳକ କାମ ତୃଣମୂଳ ସ୍ତରରେ ପହଞ୍ଚି ପାରିନଥିଲା। ଏପରିକି ସ୍ବରୂପ, ନିଜ ସହ ବୁଲୁଥିବା କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ପ୍ରାଧାନ୍ୟ ଦେଇ ଦଳ ପାଇଁ କାମ କରୁଥିବା ନେତା ଓ କର୍ମୀଙ୍କୁ ଅଣଦେଖା କରିଥିଲେ। ତେଣୁ ସାଧାରଣ ନିର୍ବାଚନରେ ତାଙ୍କୁ ଆଉଥରେ ପ୍ରାର୍ଥୀ କରାଗଲେ ଦଳର ପରାଜୟ ହେବ ବୋଲି ସୁପ୍ରିମୋ ତଥା ବରିଷ୍ଠ ନେତୃବୃନ୍ଦଙ୍କ ନିକଟରେ ଅଭିଯୋଗ ହୋଇଥିଲା। ପରବର୍ତ୍ତୀ ସମୟରେ ତା’ର ଜ୍ବଳନ୍ତ ଦୃଷ୍ଟାନ୍ତ ମଧ୍ୟ ଦେଖିବାକୁ ମିଳିଲା। ତେବେ ଏସବୁର ବିଧିବଦ୍ଧ ସମୀକ୍ଷା କରାନଯାଇ ଏବଂ ଦଳର ପ୍ରମୁଖ ନେତୃବୃନ୍ଦଙ୍କୁ କୌଣସି କାର୍ଯ୍ୟକ୍ରମରେ ସାମିଲ ନ କରାଇ ଯଦି ସେ ଆଗକୁ ବଢ଼ିପାରିବେ ତାହେଲେ ତାଙ୍କର କିଛି କହିବାର ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ବାଲେଶ୍ବର ପୌରାଧ୍ୟକ୍ଷ ସବିତା ସାହୁ ଓ ସଦର ବ୍ଲକ ଅଧ୍ୟକ୍ଷ ସୁନୀତା ବେହେରା ମଧ୍ୟ ଆଜିର ଜନ ସମ୍ପର୍କ ପଦଯାତ୍ରା ସମ୍ପର୍କରେ କୌଣସି ସୂଚନା ପାଇନଥିବା ଏବଂ କେହି ଡାକିନଥିବା ସ୍ପଷ୍ଟ କରିଛନ୍ତି। 

ଅନ୍ୟପକ୍ଷରେ କିଛିଦିନ ପୂର୍ବରୁ ପୂର୍ବତନ ବିଧାୟକ ସ୍ବରୂପ କୁମାର ଦାସ ନିଜର ସମର୍ଥକଙ୍କୁ ଧରି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ସେଠାରେ ସେ ନିଜ ପରାଜୟ ପାଇଁ ସିଧା ଜିଲ୍ଲା ପରିଷଦ ସଭାପତି, ସଦର ବ୍ଲକ ଅଧ୍ୟକ୍ଷ ଓ ବାଲେଶ୍ବର ପୌରାଧ୍ୟକ୍ଷଙ୍କ ସମେତ ଦଳର କିଛି ନେତାଙ୍କ ଷଡ଼ଯନ୍ତ୍ର ଥିଲା ବୋଲି ଅଭିଯୋଗ କରିଥିଲେ। ସଦର ବିଧାନସଭା ଆସନରେ ବିଜେଡି ପରାଜୟର କାରଣ ଦଳୀୟ କନ୍ଦଳ ଥିଲା ଏବଂ ଆଜି ବି ତାହା ସତେଜ ରହିଥିବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।