ଭୁବନେଶ୍ବର: ବିଜେଡିର ଅପ୍ରତ୍ୟାଶିତ ପରାଜୟକୁ ମାସେ ପୂରିଗଲାଣି। କିନ୍ତୁ ପରାଜୟର କାରଣ ଖୋଜିବା ତ ଦୂରର କଥା, ଏଥିପାଇଁ କମିଟି ଗଠନ ହୋଇପାରିଲାନି। କାହା ଚାପରେ ଏହି କମିଟି ଗଠନ କରାଯାଉ ନାହିଁ, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁଣି ଏବେ ଯେଉଁ ଦଳୀୟ ପଦପଦବିରେ କିଛି ନେତାଙ୍କୁ ଥଇଥାନ କରାଯାଇଛି, ତାହାକୁ ବହୁ ବରିଷ୍ଠ ନେତା ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସଭାପତି ନବୀନ ପଟ୍ଟନାୟକଙ୍କ ନାମରେ ସବୁ ହେଉଥିଲେ ହେଁ ପାରିପାର୍ଶ୍ବିକ ସ୍ଥିତିରୁ ଏବେ ବି ପ୍ରଚ୍ଛଦରେ ରହି ଭି କେ ପାଣ୍ଡିଆନ ନିଷ୍ପତ୍ତି ଗ୍ରହଣ କରୁଛନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଫଳରେ ଦଳ ଭିତରେ ଅସନ୍ତୋଷ ପୁଣି ‌ତେଜିବାରେ ଲାଗିଛି।

Advertisment

୪ ତାରିଖରେ ବିଜେଡିର ପରାଜୟ ପରେ ୫ ତାରିଖରେ ହିଁ କୁହାଯାଇଥିଲା ଯେ ବରିଷ୍ଠ ନେତାମାନଙ୍କୁ ନେଇ କମିଟି ଗଠନ ହେବ। ଏହି କମିଟି ପରାଜୟର କାରଣ ଖୋଜିବ। ଏହା ମଧ୍ୟରେ ନବୀନ ନିବାସରେ ବରିଷ୍ଠ ନେତାମାନଙ୍କର ଏକାଧିକ ବୈଠକ ସରିଲାଣି। କିନ୍ତୁ କମିଟି ଗଠନ କଥା ଆଉ ଉଠୁ ନାହିଁ। କିଛି ବରିଷ୍ଠ ନେତାଙ୍କ ଯୁକ୍ତି ହେଉଛି ଯେ ନିର୍ବାଚନରେ ବିଜେଡିର ପରାଜୟ ପଛରେ ପାଣ୍ଡିଆନଙ୍କର ଏକ ବଡ଼ ଭୂମିକା ରହିଛି। ସରକାରୀ ଦଳ ଓ କଳରେ ତାଙ୍କର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବ ସମସ୍ତଙ୍କୁ ଅଣନିଃଶ୍ବାସୀ କରିଦେଇଥିଲା। ତାଙ୍କୁ ନବୀନଙ୍କ ଉତ୍ତରାଧିକାରୀ ଭାବେ ଏପରି ଚିତ୍ରଣ କରାଗଲା ଯେ ତାହା ରାଜ୍ୟବାସୀଙ୍କ ଦ୍ବାରା ଗ୍ରହଣୀୟ ହେଲାନି। ଏହା ବାଦ୍ ବିଜେଡି ପରାଜୟର ଆଉ କିଛି ଛୋଟ ଛୋଟ କାରଣ ମଧ୍ୟ ରହିଛି। ଟିକେଟ୍‌ ବଣ୍ଟନରେ ମନମାନି, କିଛି ନେତାଙ୍କ ଲୋକପ୍ରିୟତା ହ୍ରାସ ଆଦି ପ୍ରସଙ୍ଗ ରହିଛି।

ଯଦି ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ ହେବ, ତେବେ ପରାଜୟର କାରଣ ଭାବେ ପାଣ୍ଡିଆନଙ୍କ ଭୂମିକାକୁ ତ ନିଶ୍ଚିତ ଆଗକୁ ଆଣିବାକୁ ପଡ଼ିବ। କିନ୍ତୁ ଦଳର ସଭାପତି ନବୀନ ପଟ୍ଟନାୟକ ଗଣମାଧ୍ୟମରେ ପାଣ୍ଡିଆନଙ୍କୁ ସାର୍ଟିଫିକେଟ୍‌ ଦେଇସାରିଛନ୍ତି। ନିର୍ବାଚନ ପରେ ଯଦିଓ ପାଣ୍ଡିଆନ୍ ରାଜନୀତିରୁ ‌ସନ୍ନ୍ୟାସ ନେଇଥିବା ଘୋଷଣା କରିଛନ୍ତି, କିନ୍ତୁ ନବୀନ ନିବାସରେ ଏବେ ମଧ୍ୟ ତାଙ୍କର ଆଧିପତ୍ୟ ରହିଛି। କୌଣସି ଦଳୀୟ ବୈଠକରେ ସେ ବସୁ ନଥିଲେ ହେଁ ନବୀନ ନିବାସରେ ତାଙ୍କୁ ସବୁବେଳେ ଦେଖିବାକୁ ମିଳୁଛି। ସେଥିପାଇଁ କମିଟି ଗଠନ କଲେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ସମ୍ଭବତଃ ଏହି କାରଣ ପାଇଁ କମିଟି ପ୍ରସଙ୍ଗଟି କେହି ଉଠାଉ ନାହାନ୍ତି।

ଗଠନ ହୋଇପାରିଲାନି ‘ଫ୍ୟାକ୍ଟ ଫାଇଣ୍ଡିଂ କମିଟି’
ପାଣ୍ଡିଆନ, ବବିଙ୍କୁ ନେଇ ମୁହଁ ଖୋଲିଲେଣି ନେତା
କାହିଁକି ଦରକାର ପଡ଼ିଲା ରାଜ‌ନୈତିକ ସଚିବ ପଦବି
ମୁଖପାତ୍ର, ଗଣମାଧ୍ୟମ ସଂଯୋଜକ ପଦବିରେ ପୁରୁଣା ମୁହଁ

ପରାଜୟ ପରେ ରାଜ୍ୟ କମିଟିକୁ ସମ୍ପୂର୍ଣ୍ଣ ଭାଙ୍ଗିଦେବା ପାଇଁ ନେତାମାନେ ପ୍ରସ୍ତାବ ଦେଇ ଆସୁଥିଲେ। ନବୀନ ନିବାସରେ ସଭାପତିଙ୍କୁ ଭେଟିଲା ପରେ ବହୁ ବରିଷ୍ଠ ନେତା ଏହି ପ୍ରସ୍ତାବ ଦେଇଥିଲେ। ରଥଯାତ୍ରା ଦିନ ସଭାପତି କମିଟିକୁ ଭାଙ୍ଗିବା ସହ ମୁଖପାତ୍ର ଓ ଗଣମାଧ୍ୟମ କମିଟିର ନାମ ଘୋଷଣା କଲେ। ଆଗକୁ ରାଜ୍ୟ କମିଟି ଘୋଷଣା ହେବ ବୋଲି ସୂଚନା ଦିଆଯାଇଛି। ତେ‌େବ ଯେତିକି ନାମ ଘୋଷଣା ହୋଇଛି, ତାହାକୁ ନେଇ ଆଭ୍ୟନ୍ତରୀଣ କନ୍ଦଳ ତେଜିବାରେ ଲାଗିଛି। ବିଜେଡିକୁ ଯେ ସମ୍ପୂର୍ଣ୍ଣ ନୂଆ ରୂପ ଦେବାକୁ ଉଦ୍ୟମ ହେଉଛି, ତାହାକୁ ଗ୍ରହଣ କରିବାକୁ ବରିଷ୍ଠ ନେତା ନାରାଜ। ସେହି ପୁରୁଣା ଢାଞ୍ଚାରେ କେବଳ କିଛି ଲୋକଦେଖାଣିଆ ପରିବର୍ତ୍ତନ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ମତପ୍ରକାଶ ପାଉଛି।
ସଭାପତି ନବୀନ ପଟ୍ଟନାୟକଙ୍କ ରାଜ‌ନୈତିକ ସଚିବ ଭାବେ ସଂତୃପ୍ତ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ପ୍ରଥମ ଥର ପାଇଁ ଦଳରେ ଏମିତି ଏକ ପଦବି ସୃଷ୍ଟି କରାଯାଇଛି। ଏହି ପଦବିର କାହିଁକି ଦରକାର ପଡ଼ିଲା, ତାହା ବରିଷ୍ଠ ନେତାମାନେ ବୁଝିପାରୁ ନାହାନ୍ତି। ଏମିତିରେ ବି ଶ୍ରୀ ମିଶ୍ରଙ୍କର ରାଜନୈତିକ ଅଭିଜ୍ଞତା ନାହିଁ। ବହୁତ କମ୍ ଦିନ ହେଲା ସେ ରାଜନୀତିରେ ମିଶିଛନ୍ତି ଓ ଲୋକସଭା ନିର୍ବାଚନରେ ଠିଆ ହୋଇ ପରାଜୟ ବରଣ କରିଛନ୍ତି। ତେଣୁ କେଉଁ ପରିସ୍ଥିତିରେ ନବୀନ ତାଙ୍କୁ ନିଜର ରାଜନୈତିକ ସଚିବ ଭାବେ ବାଛିଲେ, ତାହା ବେଶ୍‌ ରହସ୍ୟଜନକ। ଏହି ନିଷ୍ପତ୍ତି ନବୀନଙ୍କର ନିଜର ନା ଆଉ କିଏ ଶ୍ରୀ ମିଶ୍ରଙ୍କୁ ସେଠାରେ ରଖି ସବୁ ଡୋର ନିଜେ ଧରିଛନ୍ତି, ତାହା ଆଲୋଚନାର ପ୍ରସଙ୍ଗ ପାଲଟିଛି।

ସେହିପରି ମୁଖପାତ୍ର ତାଲିକାରେ କିଛି ବରିଷ୍ଠ ନେତାଙ୍କୁ ନିଆଯାଇଛି ସତ। ଦଳର ଦ୍ବିତୀୟ ଓ ତୃତୀୟ କ୍ଷମତା କେନ୍ଦ୍ରର ଖାସ୍ ଅନୁଗତଙ୍କୁ ପୁଣି ମୁଖପାତ୍ର ଭାବେ ନିଯୁକ୍ତି ଦିଆଯାଇଛି। ଏହାକୁ ଦଳର ନେତାମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏଥିରେ ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ନିର୍ବାଚନର କିଛି ଦିନ ଆଗରୁ ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କୁ ମନାଇ ତାଙ୍କୁ ଦଳର ମୁଖ୍ୟସ୍ରୋତକୁ ଅଣାଯାଇଥିଲା। ତାଙ୍କୁ ମୁଖପାତ୍ର ପଦବି ସହ ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ଏଥର ତାଙ୍କୁ ମୁଖପାତ୍ର ତାଲିକାରେ ରଖାଯାଇ ନାହିଁ। ଏମିତିରେ ପରାଜିତ ନେତାମାନଙ୍କୁ ମୁଖପାତ୍ର ରଖାଯାଇଥିଲା ବେଳେ ଶ୍ରୀ ଦାସବର୍ମାଙ୍କୁ କାହିଁକି ବାଦ୍ ଦିଆଗଲା, ତାହା ଚର୍ଚ୍ଚାର ବିଷୟ ହୋଇଛି। ତେବେ ରାଜ୍ୟ କମିଟି ପୁନର୍ଗଠନ ହେଲା ପରେ ଚିତ୍ର ଆହୁରି ସ୍ପଷ୍ଟ ହେବ।

ଅନ୍ୟପଟେ ଦଳ ଭିତରେ ଜଣଙ୍କ ପରେ ଜଣେ ନେତା ମୁହଁ ଖୋଲିବା ଆରମ୍ଭ କଲେଣି। ମଙ୍ଗଳା କିଷାନ୍ ଓ ପ୍ରଭାତ ବିଶ୍ବାଳଙ୍କ ପରି ନେତା ସିଧାସଳଖ ପାଣ୍ଡିଆନ ଓ ପ୍ରଣବଙ୍କୁ ପରାଜୟ ପାଇଁ ଦାୟୀ କରିସାରିଛନ୍ତି। ପୁଣି ସମ୍ବିତ ରାଉତରାୟ ବି ପରୋକ୍ଷରେ ସେହି ଇଙ୍ଗିତ ଦେଇଛନ୍ତି। ପାଣ୍ଡିଆନଙ୍କ ସପକ୍ଷରେ ସାଂସଦ ଦେବାଶିଷ ସାମନ୍ତରାୟ ଆଗକୁ ଆସିଥିଲେ ମଧ୍ୟ ତାଙ୍କୁ ସେତିକି ସମର୍ଥନ ମିଳୁ ନଥିବା‌ ଦେଖିବାକୁ ମିଳିଛି। ଦଳ ଭିତରେ ଅନ୍ତର୍ଦ୍ବନ୍ଦ୍ବ ଓ ପରସ୍ପର ବିରୋଧରେ ବୟାନବାଜି ଆରମ୍ଭ ହୋଇଗଲାଣି। ଭୁବନେଶ୍ବରରେ ଏହି ବୟାନବାଜି ବଢ଼ୁଥିବାରୁ ଗଣମାଧ୍ୟମରେ ମୁହଁ ଖୋଲିବା ଉପରେ ଦଳ କଟକଣା ଲଗାଇଲା। କିନ୍ତୁ ଅନ୍ୟ ଆଡ଼େ ତାହା ବ୍ୟାପିଗଲାଣି। ଏହାକୁ ଦଳର ସଭାପତି କିପରି ରୋକୁଛନ୍ତି, ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି।