କଟକ: କଟକ ବିଜେଡିରେ ବରିଷ୍ଠ ନେତାଙ୍କ ମଧ୍ୟରେ କନ୍ଦଳ ଧୀରେ ଧୀରେ ବିସ୍ଫୋରକ ରୂପ ନେବାରେ ଲାଗିଛି। ଏଭଳି ସ୍ଥିତିରେ ଛାମୁଆ ନେତା ଓ କର୍ମୀମାନେ ନେତାଙ୍କ ମଧ୍ୟରେ ବାଣ୍ଟି ହୋଇଯିବା ଘଟଣା ଦଳକୁ ଦୁର୍ବଳ କରିବାରେ ଲାଗିଛି। ପରିବର୍ତ୍ତିତ ରାଜନୈତିକ ସ୍ଥିତିରେ ବରିଷ୍ଠ ନେତାଙ୍କ ଗତି କୁଆଡେ, ତାହାକୁ ନେଇ ଦଳର ଅନ୍ୟ ନେତା ଓ କର୍ମୀ ଦ୍ବନ୍ଦ୍ବରେ ପଡିଛନ୍ତି। ବିଜୁ ଜୟନ୍ତୀ କାର୍ଯ୍ୟକ୍ରମ ଓ ତା’ ପରଦିନ ବିଜୁବାବୁଙ୍କୁ ରାଜ୍ୟ ସରକାରଙ୍କ ଅପମାନର ପ୍ରତିବାଦ ଭଳି ଦୁଇଟି କାର୍ଯ୍ୟକ୍ରମ କଟକରେ ବିଜେଡି ପକ୍ଷରୁ ଯେଭଳି ଆୟୋଜନ ହେଲା, ତାହା ଏବେ ରାଜନୈତିକ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟସଭା ସଦସ୍ୟ ତଥା କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟଙ୍କ ପ୍ରତିକ୍ରିୟା ଆଗକୁ ଦଳ ଭିତରେ ହେବାକୁ ଯାଉଥିବା ବଡ଼ଧରଣର ବିସ୍ଫୋରଣର ଆଭାସ ଦେଉଛି। ବିଜୁ ଜୟନ୍ତୀ ଅବସରରେ ଚଳିତ ବର୍ଷ କଟକରେ ବିଜେଡି ବ୍ୟାନର୍ରେ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ ହୋଇ ନ ଥିଲା। ପୂର୍ବରୁ ପ୍ରତ୍ୟେକ ବର୍ଷ ବଡ଼ ଆକାରରେ ଉଭୟ ବାରବାଟୀ-କଟକ ଓ ଚୌଦ୍ବାର-କଟକରେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଥିଲା। କିନ୍ତୁ ଏଥର ମେୟର ସୁବାସ ସିଂହ ନିଜେ ଆୟୋଜକ ଭାବେ ବାରବାଟୀ କିଲ୍ଲା ପରିସରରେ ଥିବା ସରକାରୀ କ୍ବାର୍ଟର୍ସରେ ଏକ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ରକ୍ତଦାନ ବ୍ୟାନର୍ରେ ବିଜୁ ବାବୁଙ୍କ ଫଟୋ ଥିବା ବେଳେ ନବୀନ ପଟ୍ଟନାୟକଙ୍କ ଫଟୋ, ବିଜେଡିର ନାଁ କିମ୍ବା ଶଙ୍ଖ ଚିହ୍ନ ନଥିଲା। ସେହି କାର୍ଯ୍ୟକ୍ରମରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିଧାୟକ ସୌଭିକ ବିଶ୍ବାଳ ଯୋଗ ଦେଇଥିଲେ ବି ସାଂସଦ ଦେବାଶିଷ ସାମନ୍ତରାୟ, ନଗର ବିଜେଡି ସଭାପତି ମଧୁସୂଦନ ସାହୁ ଅଥବା ଦଳର ଅନ୍ୟ ପ୍ରମୁଖ ନେତା ଓ କର୍ମକର୍ତ୍ତାଙ୍କୁ ଦେଖିବାକୁ ମିଳି ନଥିଲା। ରକ୍ତଦାନ ବ୍ୟାନର୍ରୁ ନବୀନ, ବିଜେଡି ଓ ଶଙ୍ଖ ଉଭାନ ସଂପର୍କରେ ମତ ଦେଇ ମେୟର କହିଥିଲେ ଯେ ବିଜୁ ଜୟନ୍ତୀ କାର୍ଯ୍ୟକ୍ରମ ସରକାରୀ ଭାବେ ପାଳନ ହେଉଥିଲା। ସରକାରୀ କ୍ବାର୍ଟର୍ସରେ ପ୍ରବାଦ ପୁରୁଷଙ୍କ ପ୍ରତି ସମ୍ମାନ ଜଣାଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ। ତେଣୁ ଏଥିରେ ଦଳର ନାଁ, ଚିହ୍ନ ଇତ୍ୟାଦି ବ୍ୟବହାରର ଅବକାଶ ନଥିଲା।
ନବୀନ, ବିଜେଡି ଆଉ ଶଙ୍ଖ ଚିହ୍ନ ପାଇଁ ମଣିଷ ହୋଇଥିବା ବ୍ୟକ୍ତି ସେମାନଙ୍କୁ ଭୁଲି ଯାଉଛନ୍ତି
ବିଜୁଙ୍କୁ ଦିନେ ବିରୋଧ କରୁଥିଲେ, ଏବେ ନିଜକୁ ବିଜୁପ୍ରେମୀ କହୁଛନ୍ତି
ଅନ୍ୟପଟେ ବିଜୁ ବାବୁଙ୍କୁ ଅସମ୍ମାନ କରି ରାଜ୍ୟ ସରକାର ପଞ୍ଚାୟତରାଜ ଦିବସକୁ ବଦଳାଇବା, ଛୁଟି ବନ୍ଦ କରିବା ଇତ୍ୟାଦି ନିଷ୍ପତ୍ତିର ପ୍ରତିବାଦରେ ବିଜେଡି ପକ୍ଷରୁ ସାରା ରାଜ୍ୟରେ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବାରବାଟୀ-କଟକର ୩ ନମ୍ବର ୱାର୍ଡରେ ଏକ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମେୟର ସୁବାସ ସିଂହ, ଅଳ୍ପ କେତେ ଜଣ ବିଜେଡି କର୍ପୋରେଟର୍ ଓ ୱାର୍ଡ କାର୍ଯ୍ୟକର୍ତ୍ତାଙ୍କୁ ଦେଖିବାକୁ ମିଳିଥିଲା। ସେହି ଧାରଣାରେ ବି ସାଂସଦ ଦେବାଶିଷ ସାମନ୍ତରାୟ, ମଧୁସୂଦନ ସାହୁ ଅଥବା ଅନ୍ୟ ବରିଷ୍ଠ ନେତା, କର୍ମକର୍ତ୍ତା ସାମିଲ ହୋଇ ନଥିଲେ।
ଏଭଳି ଦୁଇ ଦୁଇଟି କାର୍ଯ୍ୟକ୍ରମରେ ଦେବାଶିଷ ଓ ଅନ୍ୟ ବରିଷ୍ଠ ନେତା ଯୋଗ ନ ଦେବା ସଂପର୍କରେ ଦେବାଶିଷଙ୍କ ମତ ଲୋଡାଯିବାରୁ ସେ କାହାର ନାଁ ନେଇଥିଲେ ବି ପରୋକ୍ଷରେ ମେୟର ସୁବାସ ସିଂହଙ୍କୁ ତୀବ୍ର କଟାକ୍ଷ କରିଛନ୍ତି। ଦେବାଶିଷ କହିଛନ୍ତି ଯେ ଯେଉଁ ବ୍ୟକ୍ତି ନବୀନ ପଟ୍ଟନାୟକ, ବିଜେଡି ଓ ଶଙ୍ଖ ଚିହ୍ନ ଯୋଗୁଁ ଆଜି ମଣିଷ ହୋଇଛନ୍ତି, ସିଏ ଆଜି ସେହି ତିନି ଜଣଙ୍କୁ ଭୁଲି ନିଜକୁ ବଡ଼ ନେତା ଭାବୁଛନ୍ତି। ସେଭଳି ବ୍ୟକ୍ତିଙ୍କ କାର୍ଯ୍ୟକ୍ରମକୁ ସେ କାହିଁକି ଯିବେ ବୋଲି ଦେବାଶିଷ ପାଲଟା ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଛନ୍ତି ଯେ ବିଜୁ ବାବୁଙ୍କ ବିରୋଧରେ ନାରା ଦେଇ ଏକଦା ରାଜନୀତି କରୁଥିବା ଏବଂ ବିଜୁ ବାବୁଙ୍କୁ ଠିକରେ ଜାଣି ନଥିବା ବ୍ୟକ୍ତି ନିଜକୁ ନକଲି ବିଜୁ ପ୍ରେମୀ ଭାବେ ଦେଖାଇବା ପାଇଁ ନାଟକ କରୁଛନ୍ତି। ବିଜୁ ବାବୁଙ୍କ ନାଁରେ କ’ଣ ପାରାଦୀପ ହୋଇଛି? କିନ୍ତୁ ପାରାଦୀପ ନାଁକୁ କ’ଣ ବାଦ ଦେଇ ଦିଆଯିବ ବୋଲି ବିଚିତ୍ର ଯୁକ୍ତି କରି ବିଜୁ ବାବୁଙ୍କ ସଂପର୍କରେ ସେମାନେ କେତେ ଅଜ୍ଞ ତା’ର ପ୍ରମାଣ ଦେଉଛନ୍ତି। ବିଜେଡି ଭିତରେ ରହି ଦଳକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ବ୍ୟକ୍ତିଙ୍କୁ ଆଗାମୀ ଦିନରେ ଦଳ ଭିତରେ ଉଚିତ ଜବାବ ଦିଆଯିବ ବୋଲି ଦେବାଶିଷ କହିଛନ୍ତି। ଦେବାଶିଷଙ୍କ ଏଭଳି ବୟାନ ବିଜେଡି କନ୍ଦଳକୁ ଆଗକୁ କି ମୋଡ଼ ଦେବ, ତାହା
ଉପରେ ସମସ୍ତଙ୍କ ନଜର ରହିଛି।