ଆନନ୍ଦପୁର: କୋଭିଡ କଟକଣା ଯୋଗୁଁ ଦୁଇବର୍ଷ ଧରି ରଥଯାତ୍ରା ବନ୍ଦ ଥିଲା। ବାହାରେ ରଥ ପଡ଼ିରହିବା ଯୋଗୁଁ କାଠ ନଷ୍ଟ ହୋଇଯାଇଥିଲା। ନିର୍ଦ୍ଧାରିତ ସମୟରେ ରଥ ମରାମତି ନ ହୋଇପାରିବାରୁ ଘସିପୁରା ବ୍ଲକ୍ ବୀରଗୋବିନ୍ଦପୁରର ବଳଦେବଜିଉଙ୍କ ରଥ ଚଳିତବର୍ଷ ଗଡ଼ିପାରି ନାହିଁ। ତିନିଠାକୁରଙ୍କୁ ପହଣ୍ଡି କରି ମାଉସୀମା’ ମନ୍ଦିର ପର୍ଯ୍ୟନ୍ତ ନିଆଯାଇଛି। ବାହୁଡ଼ାରେ ରଥରେ ତିନି ଠାକୁରଙ୍କୁ ମନ୍ଦିରକୁ ଆଣିବାକୁ ଜୋରଦାର ପ୍ରସ୍ତୁତି ଚାଲିଛି।
ବୀରଗୋବିନ୍ଦପୁରର ଦଧିବାମନଜିଉ ଜନାର୍ଦ୍ଦନପୁରଶାସନରୁ ଆସିଥିଲେ। ସେଠାକାର ବାସିନ୍ଦା ସ୍ବର୍ଗତ ବୈଦ୍ୟନାଥ ମିଶ୍ର ତିନିଠାକୁରଙ୍କୁ ଏକ ଶଗଡ଼ରେ ବୀରଗୋବିନ୍ଦପୁର ଆଣିଥିଲେ। ପ୍ରଥମେ ଶ୍ରୀଜିଉମାନଙ୍କୁ ଏକ ଚାଳଘରେ ରଖାଯାଇଥିଲା। ୧୯୫୫ରେ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ସେହିବର୍ଷଠାରୁ ବୈଦ୍ୟନାଥଙ୍କ ଉଦ୍ୟମରେ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି। ତାଙ୍କର ଦେହାନ୍ତ ପରେ ନାତି ବୀରେନ୍ଦ୍ର କୁମାର ମିଶ୍ରଙ୍କ ଦ୍ବାରା ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି।
ମନ୍ଦିରର ମୁଖ୍ୟ ଶ୍ରୀ ମିଶ୍ରଙ୍କ କହିବା ଅନୁସାରେ, ରଥକାଠ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ବହୁ କଷ୍ଟରେ ନୂଆ କାଠ ଯୋଗାଡ଼ କରାଯାଇଥିଲା। କାରିଗର ନ ମିଳିବାରୁ ଧାର୍ଯ୍ୟ ସମୟରେ ରଥ ନିର୍ମାଣ ସମ୍ଭବ ହୋଇପାରି ନଥିଲା। ବାହୁଡ଼ା ପାଇଁ ବୀରଗୋବିନ୍ଦପୁରର ୫ଜଣ କାରିଗରଙ୍କ ଦ୍ବାରା ରଥ ନିର୍ମାଣ କରାଯାଉଛି। କା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବାହୁଡ଼ାରେ ତିନିଠାକୁର ନିଶ୍ଚିତ ରଥରେ ଫେରିବେ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/19-5.jpg)