କରୋନା କାଳର ଦୁର୍ଦ୍ଦଶା: ୧୭ ଘଣ୍ଟା ବୁଲିଲେ, ଶେଷରେ ଆଖି ବୁଜିଲେ

କୁଜଙ୍ଗ: ଚିକିତ୍ସା ପାଇଁ ଜଗତସିଂହପୁର ଜିଲ୍ଲା କୁଜଙ୍ଗରୁ ଆରମ୍ଭ କରି ଭୁବନେଶ୍ବର ଯାଏ ବିଭିନ୍ନ ହସ୍ପିଟାଲକୁ ଗଲେ ଯୁବକ। ଛାତିରେ ଯନ୍ତ୍ରଣା ହେଉଥିବା ଯୁବକଙ୍କୁ ଗାଡ଼ିରେ ଧରି ୧୭ ଘଣ୍ଟା କାଳ ବୁଲିଲେ ତାଙ୍କ ପରିବାର ଲୋକ। କିନ୍ତୁ କରୋନା ସନ୍ଦେହରେ କେହି ତାଙ୍କ ଚିକିତ୍ସା କଲେନି। ଗୋଟିଏ ସ୍ଥାନରେ ତୁରନ୍ତ ୧୫ ହଜାର ଟଙ୍କା ଦାଖଲ କରି ନ ପାରିବାରୁ ଚିକିତ୍ସା ସୁବିଧା ବି ମିଳିଲାନି। ଏଭଳି ସ୍ଥିତିରେ ଶେଷରେ ଚିକିତ୍ସା ନ ପାଇ ଆଖିବୁଜି ଦେଲେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ରାଜ୍ୟରେ ପୁଣି ସାମନାକୁ ଆସିଛି।

କୁଜଙ୍ଗ ବ୍ଲକ୍ ମଙ୍ଗରାଜପୁର ପଂଚାୟତ ହସିଣାଖପଡ଼ା ଗ୍ରାମର ବାବାଜୀ ତରାଇଙ୍କ ପୁତ୍ର ରଞ୍ଜିତ କୁମାର ତରାଇ ଓରଫ କଟକିଆ(୩୬) ଗତକାଲି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ମାଳହୁଙ୍କା ମେଡ଼ିକାଲକୁ ନିଆଯାଇଥିଲା। ସେଠାରେ କୌଣସି ଡାକ୍ତର ନଥିଲେ। ଏକ ମେଡ଼ିସିନ ଦୋକାନୀ ତାଙ୍କୁ ଦୁଇଟି ଇଞ୍ଜେକ୍ସନ ଦେଇ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ। କିନ୍ତୁ ଅବସ୍ଥା ଦେଖି କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଜଗତସିଂହପୁର ଜିଲ୍ଲା ମୁଖ୍ୟ ମେଡ଼ିକାଲକୁ ରେଫର କରି ଦେଇଥିଲେ। ସେଠାରେ ମଧ୍ୟ କୌଣସି ପ୍ରାଥମିକ ଚିକିତ୍ସା କରାନଯାଇ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର କଟକରେ ଆଇସିୟୁ ଖାଲି ନଥିବା କହି ତାଙ୍କୁ ସେଠାରୁ ମଧ୍ୟ ଫେରାଇ ଦିଆଯାଇଥିଲା। ଦିନ ୧୧ଟା ବେଳକୁ ଛାତିରେ ଯନ୍ତ୍ରଣା ବଢ଼ି ଚାଲିଥିଲା ଓ ଶ୍ବାସପ୍ରଶ୍ବାସ କଷ୍ଟ ହୋଇଥିଲା। ଏଭଳି ସ୍ଥିତିରେ ତାଙ୍କୁ ସାଙ୍ଗରେ ନେଇଥିବା ସମ୍ପର୍କୀୟ ଭୁବନେଶ୍ବର ଦୁଇଟି ପ୍ରତିଷ୍ଠିତ ଘରୋଇ ମେଡ଼ିକାଲକୁ ନେଇଥିଲେ। ସେଠାରେ ମଧ୍ୟ ଆଇସିୟୁ ନଥିବା କହି ତାଙ୍କୁ ହସ୍‌ପିଟାଲ କର୍ତୃପକ୍ଷ ଫେରାଇ ଦେଇଥିଲେ। ଏମିତି ୧୭ ଘଣ୍ଟା ଏ ହସ୍‌ପିଟାଲରୁ ସେ ହସ୍‌ପିଟାଲ ବୁଲି ଶେଷକୁ ରାତି ପ୍ରାୟ ୧୨ଟାରେ ଏକ ନର୍ସିଂହୋମ ଚିକିତ୍ସା ପାଇଁ ରାଜି ହୋଇ ତୁରନ୍ତ ୧୫ ହଜାର ଟଙ୍କା କାଉଣ୍ଟରରେ ଜମା କରିବାକୁ କହିଲେ। ନହେଲେ, ଚିକିତ୍ସା କରାଯିବ ନାହିଁ ବୋଲି ରୋକ୍‌ଠୋକ୍‌ କହିଥିଲେ। ସେମାନେ ପୂର୍ବରୁ ପ୍ରସ୍ତୁତ ହୋଇ ଯାଇ ନ ଥିବାରୁ ତାଙ୍କ ପାଖରେ ଏତେ ଟଙ୍କା ନ ଥିଲା। ମାତ୍ର, ନର୍ସିଂହୋମ କର୍ତୃପକ୍ଷ କିଛି ବି ଶୁଣିବାକୁ ପ୍ରସ୍ତୁତ ନ ଥିଲେ। ଫଳରେ ସେହି ନର୍ସିଂହୋମ ଆଗରେ ପ୍ରାୟ ରାତି ଗୋଟାଏ ବେଳକୁ ଯୁବକଙ୍କର ମୃତ୍ୟୁ ଘଟିଥିଲା।
ମୃତ ରଂଜିତଙ୍କର ୬ ବର୍ଷର ପୁଅ ଓ ଏକ ୪ ବର୍ଷର ଶିଶୁ କନ୍ୟା ଅଛନ୍ତି। ଚିକିତ୍ସା ଅବହେଳାରୁ ତାଙ୍କର ପୁଅର ଅକାଳ ମୃତ୍ୟୁ ଘଟିଲା ବୋଲି ବାପା ବାବାଜୀ ବେହେରା କହିଛନ୍ତି। କରୋନ ଭୟରେ ଅନ୍ୟରୋଗୀଙ୍କ ଚିକିତ୍ସା ନ ହେବାରୁ ଅକାଳରେ ଜୀବନ ଚାଲିଯାଉଥିବା ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର