ସମସ୍ୟା ଘେରରେ ଘୁ. ଉଦୟଗିରି, ଆଗାମୀ ନିର୍ବାଚନରେ ଜବାବ ଦେବାକୁ ସଜ ହେଲାଣି ଜନତା 

ଘୁ.ଉଦୟଗିରି : ସରକାରଙ୍କ ମାଳ ମାଳ ଯୋଜନା ମଧ୍ୟରେ ସମସ୍ୟା ଘେରରେ ଫସି ରହିଛି ଘୁ.ଉଦୟଗିରି। ଅନେକ ଦାବି ପରେ ମଧ୍ୟ ବର୍ଷ ବର୍ଷ ହେଲା ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ଜଳସେଚନ ଓ ପାନୀୟଜଳ ଯୋଗାଣ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇପାରିନି। ରାଜନୈତିକ ଓ ପ୍ରଶାସନିକ ଅପାରଗତା ପାଇଁ ସାଧାରଣ ଲୋକଙ୍କୁ ସମସ୍ୟା ଭୋଗିବାକୁ ପଡ଼ୁଛି। ଅଞ୍ଚଳବାସୀ ବାରମ୍ବାର ଦାବି କରି ଥକି ପଡ଼ିଥିବା ବେଳେ କେବଳ ମିଥ୍ୟା ପ୍ରତିଶ୍ରୁତି ଛଡ଼ା ଆଉକିଛି ମିଳୁନାହିଁ। ଏଣିକ ଆଉ ସହିବେ ନାହିଁ, ଆଗାମୀ ସାଧାରାଣ ନିର୍ବାଚନରେ ଜବାବ ଦେବେ ବୋଲି ପ୍ରସ୍ତୁତ ହେଲାଣି ଅଞ୍ଚଳବାସୀ।

ଘୁ. ଉଦୟଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତ ବିଶେଷଜ୍ଞ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ପଦବି ଖାଲି ପଡ଼ିଛି। ଦୀର୍ଘ ବର୍ଷ ହେଲା ଡାକ୍ତର ଏବଂ କର୍ମଚାରୀଙ୍କ ସରକାରୀ ବାସଗୃହର ନିର୍ମାଣ ଚାଲିଥିବା ବେଳେ ତାହା ଶେଷ ହେଉନାହିଁ। ସାଂସଦ ଡ. ଅଚ୍ୟୁତ ସାମନ୍ତ ପ୍ରଦାନ କରିଥିବା ଆମ୍ବୁଲାନ୍ସଟି ଲୋକଙ୍କ ସେବାରେ ଆସିପାରୁନାହିଁ। ସ୍ଥାନୀୟ ବାଳିକା ଉଚ୍ଚବିଦ୍ୟାଳୟ, ହବାକ ଉଚ୍ଚବିଦ୍ୟାଳୟରେ ପ୍ରଧାନଶିକ୍ଷକ ନଥିବା ବେଳେ କଳିଙ୍ଗ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପଦ ଖାଲି ପଡ଼ିଛି। ସେହିପରି କଲେଜରେ ଶ୍ରେଣୀଗୃହର ଘୋର ଅଭାବ ଦେଖିବାକୁ ମିଳିଛି। ଦୀର୍ଘ ବର୍ଷର ଦାବି ପରେ ମଧ୍ୟ ଘୁ.ଉଦୟଗିରିକୁ ରାଜସ୍ୱ ଉପଖଣ୍ଡର ମାନ୍ୟତା ପାଇପାରିନାହିଁ। ଘୁ. ଉଦୟଗିରି ସହରରୁ କଟକ, ବ୍ରହ୍ମପୁର, ଜୟପୁର, ଭବାନୀପାଟଣା ଓ ରାଉରକେଲାକୁ ସରକାରୀ ବସ୍ ଚଳାଚଳ ସହ ଭଞ୍ଜନଗର ଠାରୁ କେଉଁଝର ଚଳାଚଳ କରୁଥିବା ସରକାରୀ ବସକୁ ଘୁ. ଉଦୟଗିରିରୁ ଚଲାଇବା ପାଇଁ ଦାବି ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଘୁ. ଉଦୟଗିରି ସହରରେ ଏକ ସରକାରୀ ବସଷ୍ଟାଣ୍ଡ ନିର୍ମାଣ ନିମନ୍ତେ ଦେଢ଼ କୋଟି ଟଙ୍କା ଅନୁଦାନ ଆସିଥିଲେ ମଧ୍ୟ ଜମି ଯୋଗାଣ ନକରିବା ଯୋଗୁଁ ଟଙ୍କା ପଡ଼ିରହିଛି। ସେହିପରି ସହରରେ ପାନୀୟ ଜଳ ସମସ୍ୟା ଦୂର, ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ, ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା, ଜନଗହଳି ସ୍ଥାନରେ ପରିଶ୍ରଗାର ନିର୍ମାଣ, ସ୍ୱତନ୍ତ୍ର ଆମିଷ ବଜାର ନିର୍ମାଣ ଓ ହାଟପଦାର ପୁନରୁଦ୍ଧାର କେବଳ ଦାବିରେ ହିଁ ସୀମିତ ରହିଯାଇଛି।

ବଡ଼ କଥା ହେଉଛି, ଘୁ.ଉଦୟଗିରି ବ୍ଲକ୍ ତଥା ସହରରେ ଗୋଟିଏ ହେଲେ ବି ପେଟ୍ରୋଲ ଟାଙ୍କି ନାହିଁ। ଜଳସେଚନ ସୁବିଧା ନଥିବାରୁ ଚାଷୀ ଚାଷରୁ ମୁହଁ ଫେରାଇ ଦାଦନ ମୁହାଁ ହେଲେଣି। ଶୀତଳ ଭଣ୍ଡାର ଖତ ଖାଉଛି, ବିଇଓ ପଦବି ଖାଲି ପଡ଼ିଛି ଓ ସୁଯୋଗ ଥିଲେ ମଧ୍ୟ ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇପାରୁନାହିଁ। ଦୀର୍ଘ ବର୍ଷ ଧରି ଏହି ସବୁ ସମସ୍ୟା ଲାଗି ରହିଥିଲେ ମଧ୍ୟ ତାର ସମାଧାନ ହୋଇ ନପାରିବା ନେତାଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଏହି ସବୁ ସମସ୍ୟାକୁ ନେଇ ଆଗାମୀ ଦିନରେ ଏକ ବିରାଟ ଜନଆନ୍ଦୋଳନ ମୁଣ୍ଡ ଟେକିବାକୁ ଯାଉଥିବା ସ୍ପଷ୍ଟ ହୋଇଛି। ସ୍ଥାନୀୟ ଅଞ୍ଚଳରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଗୁଡ଼ିକ କେବଳ ପ୍ରଚାର ସର୍ବସ୍ୱ ହୋଇ ରହିଯାଇଥିବା ବେଳେ ତାହା ବାସ୍ତର ରୂପ ନେଇପାରିନାହିଁ। ତେବେ ଏହାର ଜବାବ ଆଗାମୀ ସାଧାରଣ ନିର୍ବାଚନରେ ଦିଆଯିବ ବୋଲି ଅଞ୍ଚଳବାସୀ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର