ନିଟ୍‌ ଆଡମିଟ୍‌ କାର୍ଡରେ ତ୍ରୁଟି : ପରୀକ୍ଷାର୍ଥୀ ପହଞ୍ଚିଲା ବେଳକୁ ପରୀକ୍ଷା ସରିଲାଣି

ଅନୁଗୁଳ, ରାଉରକେଲା, ସମ୍ବଲପୁରରୁ ଅଭିଯୋଗ, ଖୋଲାହେଲା ପରୀକ୍ଷାର୍ଥୀ ନାକଫୁଲ, କାନଫୁଲ, ଜୋତା ଖୋଲି ପରୀକ୍ଷା କେନ୍ଦ୍ରକୁ ଗଲେ ପରୀକ୍ଷାର୍ଥୀ

ଭୁବନେଶ୍ବର : ବାଦ ବିବାଦ ଓ କଡ଼ା ଯାଞ୍ଚ ମଧ୍ୟରେ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି ଆଜି ଓଡ଼ିଶାରେ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍)ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିଥିବା ଏହି ପରୀକ୍ଷାରେ ୩୭ ହଜାର ୪୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଓଡ଼ିଶାରୁ ୪୨ ହଜାର ପରୀକ୍ଷାର୍ଥୀ ନିଟ୍‌ ଦେବାକୁ ନାମ ପଞ୍ଜୀକରଣ କରିଥିବା ବେଳେ ୩୭ ହଜାର ଭାଗନେଇଥିଲେ। ଏଥିସହ କର୍ଣ୍ଣାଟକର ୩୬୫ ଓ ସିଲିଗୁଡ଼ିର ୧୫୫ ଜଣ ଛାତ୍ରଛାତ୍ରୀ ନିଟ୍‌ ଦେଇଥିବା ଏନ୍‌ଟିଏ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ରାଉରକେଲା, ଅନୁଗୁଳ, ସମ୍ବଲପୁର ସହରର କେନ୍ଦ୍ରଗୁଡ଼ିକରେ ପରୀକ୍ଷାର୍ଥୀଙ୍କୁ ହଟହଟା ହେବାକୁ ପଡ଼ିଛି। ବାତ୍ୟା ‘ଫନି’ ଯୋଗୁଁ ଗତ ମେ’ ୫ରେ ଓଡ଼ିଶାରେ ହେବାକୁ ନିଟ୍‌ ପରୀକ୍ଷାକୁ ବାତିଲ୍‌ କରାଯାଇଥିଲା। ମେ’ ୨୦ ତଥା ଆଜି ଓଡ଼ିଶା ଲାଗି ସ୍ବତନ୍ତ୍ର ଭାବେ ନିଟ୍‌ ହେବ ବୋଲି ଘୋଷଣା ହୋଇଥିଲା। ସେହି ଅନୁଯାୟୀ ପରୀକ୍ଷା ଲାଗି ଗତ ମେ’ ୧୫ରେ ନୂଆ ଆଡମିଟ୍‌ କାର୍ଡ ଜାରି କରାଯିବା ସହ ଏନ୍‌ଟିଏ ୱେବସାଇଟ୍‌ରେ ଏନେଇ ଉଲ୍ଲେଖ କରାଯାଇଥିଲା। ପରୀକ୍ଷାର୍ଥୀଙ୍କ ଲାଗି ଜାରି ହୋଇଥିବା ନୂଆ ଆଡ୍‌ମିଟ କାର୍ଡରେ ତାରିଖ ଓ ସମୟ ବଦଳି ଯାଇଥିଲା। କିନ୍ତୁ ଏନ୍‌ଟିଏ କର୍ତ୍ତୃପକ୍ଷଙ୍କ ଖାମଖିଆଲି କାମ ଯୋଗୁଁ କିଛି ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ କାର୍ଡରେ ପରୀକ୍ଷା ତାରିଖ ବଦଳି ଥିଲା ସିନା ହେଲେ ପରୀକ୍ଷା ସମୟ ବଦଳି ନଥିଲା। ଅର୍ଥାତ ଅପରାହ୍ନ ୨ଟାରୁ ୫ଟା ଯାଏ ପରୀକ୍ଷା ହେବ ବୋଲି ଲେଖାଥିଲା। ତେଣୁ ପରୀକ୍ଷାର୍ଥୀମାନେ ୧୨ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ରିପୋର୍ଟିଂ, ଅପରାହ୍ନ ୧ଟା ୩୦ରେ ପରୀକ୍ଷା କେନ୍ଦ୍ରର ଗେଟ୍ ବନ୍ଦ ହେବ ବୋଲି ଆଡ୍‌ମିଟ କାର୍ଡରେ ନିର୍ଦ୍ଦେଶ ଥିଲା। ସେହି ଅନୁଯାୟୀ ଉକ୍ତ ପରୀକ୍ଷାର୍ଥୀ ୧୨ଟାରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ବେଳେ ଗେଟ୍ ବନ୍ଦ ହୋଇଥିଲା। ପରୀକ୍ଷା ଚାଲିଥିଲା। ତେଣୁ ସୁରକ୍ଷା କର୍ମୀମାନେ ପରୀକ୍ଷାର୍ଥୀଙ୍କୁ ପ୍ରବେଶ ଲାଗି ଅନୁମତି ଦେଇ ନଥିଲେ। ଏନେଇ ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଭୁବନେଶ୍ବରର ଏକ କେନ୍ଦ୍ରରେ ପ୍ରବେଶ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ କଡ଼ା ଯାଞ୍ଚ

ଅନ୍ୟପକ୍ଷରେ ଅନୁଗୁଳ, ବାଲେଶ୍ବର, ବ୍ରହ୍ମପୁର, ଭୁବନେଶ୍ବର, କଟକ, ରାଉରକେଲା ଓ ସମ୍ବଲପୁର ସହରରେ ହୋଇଥିବା ପରୀକ୍ଷା କେନ୍ଦ୍ରଗୁଡ଼ିକର ଗେଟ୍‌ ପୂର୍ବାହ୍ନ ୮ଟାରୁ ଖୋଲିଥିଲା। ପରୀକ୍ଷାର ସୁପରିଚାଳନା ଓ କପି ମୁକ୍ତ କରିବା ଉପରେ ଏଥର ବି କଡ଼ାକଡ଼ି କରାଯାଇଥିଲା। ଯେଉଁଥିପାଇଁ ଅନେକ ପରୀକ୍ଷାର୍ଥୀଙ୍କୁ ହଟହଟା ହେବାକୁ ପଡ଼ିଥିଲା। ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ ସମୟରେ ନାକେଦମ ହୋଇଛନ୍ତି। ବନେଶ୍ବରରେ କେତେଜଣ ପରୀକ୍ଷାର୍ଥୀ ସାଙ୍ଗରେ ଆଡମିଟ୍‌ କାର୍ଡ ଆଣିଥିଲେ ମଧ୍ୟ ବୈଧ ପରିଚୟପତ୍ର ନଥିବାରୁ ପ୍ରବେଶ କରିପାରି ନଥିଲେ। ସେମାନଙ୍କୁ ଫେରିବାକୁ ପଡ଼ିଥିଲା।

ପରୀକ୍ଷା କେନ୍ଦ୍ର ଭିତରକୁ କେତେକ ସାମଗ୍ରୀ ପ୍ରବେଶ ଉପରେ କଟକଣା ଜାରି ହୋଇଥିଲା। ପରୀକ୍ଷା କେନ୍ଦ୍ରକୁ ଆସିବା ସମୟରେ ପେନ୍‌ସିଲ୍‌ ବାକ୍ସ, ପ୍ଲାଷ୍ଟିକ୍‌ ପାଉଚ୍‌, କାଲକୁଲେଟର, ପେନ୍‌, ସ୍କେଲ୍‌, ପେନ୍‌ ଡ୍ରାଇଭ୍‌, ଇରେଜର, ଇଲୋକଟ୍ରୋନିକ୍‌ ପେନ୍‌, ମୋବାଇଲ୍‌ ଫୋନ୍‌, ବ୍ଲୁଟୁଥ୍‌, ଇୟରଫୋନ୍, ମାଇକ୍ରୋଫୋନ୍‌, ହେଲଥ୍‌ ବ୍ୟାଣ୍ଡ, ହ୍ୟାଣ୍ଡବ୍ୟାଗ୍‌, ୱାଲେଟ୍‌, କ୍ୟାପ୍‌, ହାତଘଣ୍ଟା, ବ୍ରେସ୍‌ଲେଟ୍‌, କ୍ୟାମେରା, ଅଳଙ୍କାର, ଖାଦ୍ୟ ସାମଗ୍ରୀ, ପାଣି ବୋତଲ ଆଦି ନ ଆଣିବାକୁ ପରାମର୍ଶ ଦିଆଯାଇଥିଲା। ତେବେ ପରୀକ୍ଷାର୍ଥୀ ଉକ୍ତ ସାମଗ୍ରୀ ଆଣି ଆସିଥିଲେ। ଜୋତା ପିନ୍ଧିକୁ ଅନୁମତି ନଥିଲା। ସ୍ଲିପର, ସାଣ୍ଡାଲ ପିନ୍ଧିବାକୁ ଅନୁମତି ଥିଲା। ତେ‌ବେ‌ କିଛି ପରୀକ୍ଷାର୍ଥୀ ଜୋତା ପିନ୍ଧିଥିବାରୁ ବାହାରେ ଖୋଲି ଖାଲି ପାଦରେ ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ। ଡ୍ରେସ୍‌ ପରିଧାନ ଉପରେ ବି କଟକଣା ଥିବାରୁ କେତେକ ପରୀକ୍ଷାର୍ଥୀଙ୍କୁ କିଛି ସାମଗ୍ରୀ କାଢ଼ିବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର