ବରଗଡ଼: ବରଗଡ଼ ଜିଲ୍ଲାରେ ଖରିଫ୍‌ ଧାନ କିଣାବିକାର ବିକଳ ଚିତ୍ର ସାମ୍‌ନାକୁ ଆସିଛି। ରବି ଚାଷ ପାଇଁ ପ୍ରସ୍ତୁତ ହେବ ନା ଧାନ ବିକିବ, ଏହି ଦ୍ବିଧାରେ ଫସି ରହିଛି ଚାଷୀ। ମରାମତି ପାଇଁ କେନାଲ୍‌ରେ ଚଳିତ ମାସ ପହିଲାରୁ ପାଣି ଛଡ଼ା ଯାଇଛି। ଏଥିରେ ଚାଷୀ ରବିଚାଷ କରିବେ। କିନ୍ତୁ ଏଯାଏଁ ୧୮ହଜାର ଚାଷୀ ଖରିଫ୍‌ ଧାନ ବିକି ନାହାନ୍ତି। ଚାଷୀ ଧାନ ବିକ୍ରି ପାଇଁ ମଣ୍ଡିକୁ ଯିବେ ନା ରବି ଚାଷ କରିବେ? ଏଭଳି ଦୋଛକିରେ ଜିଲ୍ଲାର ଚାଷୀ ପଡ଼ି ରହିଛନ୍ତି। ଖରିଫ୍‌ ଧାନ ବିକିବା ପାଇଁ ୧,୩୯,୪୪୧ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଗୁରୁବାର ସୁଦ୍ଧା ୧,୨୦,୯୪୩ ଜଣ ଚାଷୀ ହିଁ ଧାନ ବିକିଛନ୍ତି। ଅର୍ଥାତ ଆହୁରି ୧୮,୪୯୮ ଜଣ ଚାଷୀ ଧାନ ବିକି ନାହାନ୍ତି। ଜିଲ୍ଲାରୁ ଏଯାଏ ୬୩,୬୧,୪୬୧ କ୍ବିଣ୍ଟାଲ ଧାନ କିଣା ସରିଛି। ହେଲେ ଧାନ ବର୍ତମାନ ମଣ୍ଡିଗୁଡ଼ିକରେ ପଡ଼ି ରହିଛି।

Advertisment

ପ୍ରାୟତଃ ସବୁତକ ମଣ୍ଡିରେ ଧାନର ପାହାଡ଼ ଛିଡ଼ା ହୋଇଛି। ଜିଲ୍ଲାର ତିନୋଟି ଯାକ ଆର୍‌ଏମ୍‌ସି ଅଧୀନରେ ଥିବା ମଣ୍ଡିରେ ଲକ୍ଷ ଲକ୍ଷ ବସ୍ତା ଧାନ ଅବିକ୍ରି ହୋଇ ରହିଛି। ଜିଲ୍ଲା ଯୋଗାଣ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ, ଜିଲ୍ଲାର ବିଭିନ୍ନ ମଣ୍ଡିରେ ୧୨,୪୬,୩୦୪ ପକେଟ୍‌ ଧାନ ପଡ଼ି ରହିଛି। ଯାହାର ପରିମାଣ ୫,୩୦,୧୭୮ କ୍ବିଣ୍ଟାଲ ହେବ। ଅତାବିରା ଆର୍‌ଏମ୍‌ସି ଅଧିନରେ ୧,୦୯,୨୨୫ ବସ୍ତା, ବରଗଡ଼ ଆର୍‌ଏମ୍‌ସି ଅଧିନରେ ୧,୫୭,୭୫୧ ବସ୍ତା ଏବଂ ପଦ୍ମପୁର ଆର୍‌ଏମ୍‌ସି ଅଂଚଳରେ ସର୍ବାଧିକ ୯,୭୯,୩୨୮ ବସ୍ତା ଧାନ ପଡ଼ି ରହିଛି। ଗତ ନଭେମ୍ବର ମାସରୁ ଧାନ କିଣାରେ ସୃଷ୍ଟି ହୋଇଥିବା ଏହି ବିଭ୍ରାଟ ବର୍ତମାନ ଯାଏଁ ବଳବତ୍ତର ରହିଛି। ପଦ୍ମପୁର ଉପଖଣ୍ଡରେ ସ୍ଥିତି ଆଗଭଳି ସଂଗୀନ ରହିଛି।

publive-image

କିନ୍ତୁ ପ୍ରଶାସନ ସଂପୂର୍ଣ୍ଣ ଭାବେ ଏହାକୁ ନଜରଅନ୍ଦାଜ କରି ଚାଲିଛି। ଏଣେ ବରଗଡ଼, ଅତାବିରା, ‌ଭେ‌ଡ଼େନ ଓ ବରପାଲି ବ୍ଲକ୍‌ରେ କେନାଲ ପାଣି ଆସିଲାଣି। ଚାଷୀମାନେ ରବି ଚାଷ ପାଇଁ ପହ୍ଲା ପକାଇବା ଆରମ୍ଭ କଲେଣି। ଅର୍ଥାତ ଚାଷୀ ବିଲକୁ ଯିବ ନା ଧାନ ବିକିବାକୁ ମଣ୍ଡିକୁ ଯିବ, ସେନେଇ ଏକ ସମ୍ବେଦନଶୀଳ ପରିସ୍ଥିତି ସୃଷ୍ଟି ହୋଇଛି। ଧାନବିକ୍ରି ପ୍ରକ୍ରିୟାରେ ଯେତେ ସ˚ସ୍କାର ଆଣିବାକୁ ସରକାର ଏବ˚ ପ୍ରଶାସନ ଚେଷ୍ଟା କଲେ ବି ତାହା ଫେଲ୍‌ ମାରିଛି। ଜିଲ୍ଲାର ଜଣାଶୁଣା ଚାଷୀଙ୍କୁ ବାଦ୍‌ ଦେଲେ ଅଗଣିତ ଚାଷୀ ମିଲର୍ସ ହାବୁଡ଼ରେ ପଡ଼ି ସ୍ବଳ୍ପ ଦରରେ ଧାନ ଟେକି ଦେଉଛନ୍ତି। ସୂଚନା ମୁତାବକ, ଜିଲ୍ଲାକୁ ତିନୋଟି ପର୍ଯ୍ୟାୟରେ ଖରିଫ୍‌ ଧାନ କିଣିବାକୁ ଟାର୍ଗେଟ୍‌ ଆସିଛି। ପ୍ରଥମ ପର୍ଯ୍ୟାୟରେ ୫୫ଲକ୍ଷ, ଦ୍ବିତୀୟରେ ୬ ଏବଂ ତୃତୀୟରେ ୭ଲକ୍ଷ  କ୍ବିଣ୍ଟାଲ ପାଇଁ ଟାର୍ଗେଟ୍‌ ଆସିଥିଲା। ଅର୍ଥାତ ମୋଟ୍‌ ଟାର୍ଗେଟ୍‌ ୬୮ ଲକ୍ଷ କ୍ବିଣ୍ଟାଲ ଧାନ ରହିଛି। ଏହି ଟାର୍ଗେଟ୍‌ ଆଗକୁ ବଢ଼ିବା ସମ୍ଭାବନା ବି କ୍ଷୀଣ। ତେଣୁ ପ୍ରତିବର୍ଷ ଭଳି ଏଥର ବି ଲକ୍ଷାଧିକ କ୍ବିଣ୍ଟାଲ ଧାନ ଅବିକ୍ରି ହୋଇ ରହିଯିବ।