ଦାନଦକ୍ଷିଣା, ଚାବି ଅଡ଼ୁଆରେ ଶ୍ରୀମନ୍ଦିର

ଶୃଙ୍ଖଳିତ ରଥଯାତ୍ରାକୁ ନେଇ ବଢ଼ୁଛି ଆଶଙ୍କା

ପୁରୀ: ମୁଣ୍ଡ ଉପରେ ରଥଯାତ୍ରା। ବଡ଼ଦାଣ୍ଡରେ ଚାଲିଛି ରଥ ନିର୍ମାଣ କାମ। ମହାପ୍ରଭୁଙ୍କ ଘୋଷଯାତ୍ରାକୁ ସଫଳ କରିବାକୁ ମନ୍ଦିର ଓ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଚଳାଇଛି। ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ପ୍ରଶାସନ ପକ୍ଷରୁ ଦୁଇଟି ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇ ସାରିଛି। ତେବେ ରଥଯାତ୍ର ପୂର୍ବରୁ ଦାନ ଦକ୍ଷିଣାକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ, ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ତଦନ୍ତ ଓ ପ୍ରଶାସନିକ ଅସ୍ଥିରତାକୁ ନେଇ ଉଭୟ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ିଯାଇଛି। ଦାନ ଦକ୍ଷିଣାକୁ ନେଇ ସେବକମାନେ ମୁହଁ ମୋଡୁଥିବା ବେଳେ ଏ ଯାଏ ଦଇତାଙ୍କ ପ୍ରାପ୍ୟକୁ ନେଇ ନିଷ୍ପତ୍ତି ଚୂଡ଼ାନ୍ତ ହୋଇନାହିଁ। ତେଣେ ଚାବି ହଜିବାକୁ ନେଇ ପ୍ରଶାସନିକ ଅଧିକାରୀ ମଧ୍ୟ ଚିନ୍ତାରେ ପଡିଛନ୍ତି। ସେମାନେ ରଥଯାତ୍ରା ପ୍ରସ୍ତୁତିକୁ ଗୁରୁତ୍ଵ ଦେବେ ନା ଚାବି ହଜିବା ଘଟଣାରେ ତଦନ୍ତର ସାମ୍ନା କରିବେ ସେ ନେଇ ଅଡୁଆରେ ପଡ଼ିଛନ୍ତି। ଅନ୍ୟପକ୍ଷରେ ମହାପ୍ରଭୁଙ୍କ ଘୋଷଯାତ୍ରା ମୁଣ୍ଡ ଉପରେ ଥିବାବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଚାନକ ବଦଳିକୁ ନେଇ ମଧ୍ୟ ଜଟିଳ ପରିସ୍ଥିତି ଉପୁଜିଛି। ଏଭଳି ସ୍ଥିତିରେ ମହାପ୍ରଭୁଙ୍କ ଶୃଙ୍ଖଳିତ ରଥଯାତ୍ରାକୁ ନେଇ ଏକପ୍ରକାର ଆଶଙ୍କା ଉପୁଜିଛି। ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ ଗତକାଳି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କ ବଦଳି ହୋଇଛି। ତାଙ୍କ ସ୍ଥାନରେ ପ୍ରଦୀପ୍ତ ମହାପାତ୍ରଙ୍କୁ ଦ୍ଵିତୀୟ ଥର ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ଵ ମିଳିଛି। ଶ୍ରୀ ମହାପାତ୍ରଙ୍କ ପାଇଁ ଶୃଙ୍ଖଳିତ ରଥଯାତ୍ରା ଏକ ଆହ୍ଵାନ ହୋଇଛି। ଶ୍ରୀ ମହାପାତ୍ର ସେବକଙ୍କୁ ସନ୍ତୁଷ୍ଟ କରି ରଥଯାତ୍ରାକୁ କିଭଳି ଶୃଙ୍ଖଳିତ କରିବେ ତାହା ତାଙ୍କର ଗୁରୁଦାୟିତ୍ଵ ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର